Advertisment

Haldiapadar Overbridge: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫାଇଦା ପାଇଁ ବଦଳାଯାଇଥିଲା ଡିପିଆର, ଚ୍ୟାଉ ବି ଥିଲେ ନାଚାର

୨୦୧୩-୧୪ରେ ଏହି ବ୍ରିଜରେ ଗାଡ଼ି ଚଳାଚଳ ଆରମ୍ଭ କରିଥିଲା। ଏହାପରଠୁ ଏଠାରେ ଲଗାତର ଦୁର୍ଘଟଣା ଘଟିବାରେ ଲାଗିଲା। ଏହାର ଡିଜାଇନ ବଦଳାଇବା ପାଇଁ ସ୍ଥାନୀୟ ବାସିନ୍ଦା ଅନେକ ଥର ଦାବି କରିଥିଲେ। ହେଲେ ଫଳ କିଛି ହେଲାନି।

Overbridge
Advertisment

ଗତ ଜାନୁଆରୀ ୩୧ ତାରିଖରେ ବ୍ରହ୍ମପୁରର ହଳଦିଆପଦର ବ୍ରିଜରେ ୫ ଜଣଙ୍କ ଜୀବନ ଯିବା ପରେ ‘ଓଡ଼ିଶା ରିପୋର୍ଟର’ରେ ଲଗାତର ଖବର ପ୍ରସାରଣ ହୋଇଥିଲା। କେମିତି ଭୁଲ ନକ୍ସା ଯୋଗୁଁ ମୁଣ୍ଡ ଗଡ଼ୁଛି ଏହି ବ୍ରିଜରେ, କେମିତି ବଡବଡୁଆଙ୍କ ପାଇଁ ବଦଳି ଯାଇଥିଲା ଡିପିଆର- ଏସବୁ କଥା ଆମେ ଉଠାଇଥିଲୁ। ଏହା ପରେ ଆସନ୍ତା ୧୬ ତାରିଖରେ ବ୍ରିଜକୁ ଯାଞ୍ଚ କରିବା ପାଇଁ ଆସୁଛି ରାସ୍ତା ଓ କୋଠାବାଡ଼ି ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଟେକନିକାଲ ଟିମ୍।

Advertisment

୨୦୧୩-୧୪ରେ ଏହି ବ୍ରିଜରେ ଗାଡ଼ି ଚଳାଚଳ ଆରମ୍ଭ କରିଥିଲା। ଏହାପରଠୁ ଏଠାରେ ଲଗାତର ଦୁର୍ଘଟଣା ଘଟିବାରେ ଲାଗିଲା। ଏହାର ଡିଜାଇନ ବଦଳାଇବା ପାଇଁ ସ୍ଥାନୀୟ ବାସିନ୍ଦା ଅନେକ ଥର ଦାବି କରିଥିଲେ। ହେଲେ ଫଳ କିଛି ହେଲାନି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ଆଗରେ ସମସ୍ତେ ମୁଣ୍ଡ ନୁଆଇଁଥିଲେ। ଆଗରୁ ପ୍ଲାନିଂରେ ଥିଲା ଓଭରବ୍ରିଜ୍‌ ସିଧାସଳଖ ଉଠି ଆନ୍ଧ୍ର ପଟକୁ ମୁହଁ କରିବ। ହେଲେ ଏହା ବଦଳି ୩ଟି ବାଙ୍କ ବୁଲି ସିଧା ସଳଖ ଜାତୀୟ ରାଜପଥରେ ମିଶି ଭୁବନେଶ୍ୱର ପଟକୁ ରହିଲା। ଫଳରେ ଲୋକେ ଏହି ବ୍ରିଜ ଦେଇ ଯିବା ଆସିବା କରିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଅତିଶୀଘ୍ର ଭୁଲ ସୁଧାରିବା ପାଇଁ ଦାବି ହେଉଛି। 

ସମାଜସେବୀ ମନ୍ମଥ ପାଣିଗ୍ରାହୀ କହିଛନ୍ତି, ଓଭରବ୍ରିଜ୍ କାମ ଆରମ୍ଭ ହେଲା ଦିନଠାରୁ ହିଁ ତ୍ରୁଟି ରହିଥିଲା। ଆମେ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଏକ ସର୍ବଦଳୀୟ ବୈଠକ ଡାକିଥିଲୁ। ସର୍ବଦଳୀୟ ବୈଠକରେ ସମସ୍ତେ ଯୋଗ ଦେଇଥିଲେ। ଓଭରବ୍ରିଜ୍‌ର ଢାଞ୍ଚାକୁ ଆମେ ବିରୋଧ କରିବା ସହିତ ଏଥିରେ ପରିବର୍ତ୍ତନ କରିବାକୁ ଦାବି କରିଥିଲୁ। କିନ୍ତୁ କୌଣସି ପ୍ରକାରର ଚାପ ହେଉ ଅବା ପଇସା ବଳ ଅବା ବାହୁ ବଳ ଅବା କୌଣସି ରାଜନୀତିକ ଚାପ ଯୋଗୁ ଓଭରବ୍ରିଜ୍‌ର ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଗଲା ନାହିଁ। ଫଳରେ ଏପର୍ଯ୍ୟନ୍ତ ଏହି ଓଭରବ୍ରିଜ୍‌ରେ ୨୬ ଜଣଙ୍କ ଜୀବନ ଗଲାଣି।

Advertisment

ଆମେ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରସାରଣ କରିଥିଲୁ କେମିତି ବଡ଼ ବଡ଼ୁଆଙ୍କ ଜମି ପାଇଁ ଡିପିଆରରେ ପରିବର୍ତ୍ତନ ହୋଇଥିଲା। ଏହି ଓଭର ବ୍ରିଜ ନିକଟରେ ଗଂଜାମ ଜିଲ୍ଲାର ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅଙ୍କ ଜମି ଅଛି। ଆଉ ଏଥିପାଇଁ ଡିପିଆରରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ସରକାରୀ ଜମି ଥାଇ ବି ଜାଣିଶୁଣି ପ୍ରଭାବଶାଳୀ ନେତା ଓ ବିଲଡରଙ୍କୁ ଡବଲ ଫାଇଦା ଦେବା ପାଇଁ ଏଭଳି ଅଙ୍କାବଙ୍କା ବ୍ରିଜ କରାଯାଇଥିଲା । 

୧୬ ତାରିଖରେ ଯେଉଁ ଟିମ୍ ଆସୁଛି ଅତିଶୀଘ୍ର ଏହି ବ୍ରିଜ୍ ଉପରେ ରିପୋର୍ଟ କରି ଯେଉଁ ନେତା ଓ ଇଞ୍ଜିନିୟର ସାମିଲ ଅଛନ୍ତି, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଭାରତ ବିକାଶ ପରିଷଦ। ନ ହେଲେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ବ୍ରହ୍ମପୁରର ତତ୍କାଳୀନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗୁଁ ନକ୍ସା ବଦଳିଥିଲା। ସେ ବିଧାୟକ ଥିଲେ ବି କିଛି କରିପାରି ନଥିଲେ। ୧୬ରେ ଆସୁଥିବା ରାସ୍ତା ଓ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ ଟିମକୁ ସେ ସ୍ୱାଗତ କରିଛନ୍ତି।

ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe