Advertisment

Abhijit Majumdar passes away: ଚାଲିଗଲେ ଦାଦା

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅଭିଜିତ୍ ମଜୁମଦାରଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

author-image
Jitendra Garnayak
abhijit

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅଭିଜିତ୍ ମଜୁମଦାରଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।

Advertisment

ଲିଭର ଜନିତ ସମସ୍ୟା ସହିତ ଅନ୍ୟାନ ରୋଗରେ ପୀଡ଼ିତ ଅଭିଜିତ୍ ମଜୁମଦାରଙ୍କୁ ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ କଟକର ଏକ ଘରୋଇ ହସ୍‌ପିଟାଲରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଦୀର୍ଘ ଦିନ ଧରି ଆଇସିୟୁରେ ରହିବା ପରେ ଗତ ନଭେମ୍ବର ୧୦ ତାରିଖରେ ତାଙ୍କୁ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ସ୍ଥିର ଥିଲା। ତେଣୁ ତାଙ୍କୁ ଏମ୍‌ସ କର୍ତ୍ତୃପକ୍ଷ ଡିସ୍‌ଚାର୍ଜ କରିବା ପାଇଁ ଚିନ୍ତା କରୁଥିଲେ।

ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଅର୍ଥାତ୍ ୨୩ ତାରିଖରେ ସେ ପୁଣି ଅସୁସ୍ଥ ହୋଇପଡ଼ିଲେ। ସେଥିପାଇଁ ଆବଶ୍ୟକ ଚିକିତ୍ସା ଆରମ୍ଭ କରାଯାଇଥିଲା। ଆଜି ସକାଳ ୭ଟା ୪୩ ମିନିଟ୍‌ରେ ତାଙ୍କର କାର୍ଡିୟାକ ଆରେଷ୍ଟ ହୋଇଥିଲା। ତାଙ୍କୁ ସିପିଆର ଦିଆଯାଇଥିଲା। କିନ୍ତୁ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଅଭିଜିତ୍‌ଙ୍କୁ ବଞ୍ଚାଇପାରି ନଥିଲେ ଡାକ୍ତର। ସକାଳ ୯ଟା ୨ ମିନିଟ୍‌ରେ ତାଙ୍କ ମୃତ ଘୋଷଣା କରାଯାଇଥିଲା।

Advertisment

ଅଭିଜିତଙ୍କ ବିୟୋଗରେ ଓଡ଼ିଆ ସିନେମା ଓ ଆଲବମ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ସେହିଭଳି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। 

୧୯୭୧ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିଜିତ୍‌ ୧୯୯୧ରେ ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିଲେ। ପାଠପଢ଼ା ଶେଷ ହେବା ପରେ ସେ ଏକ କଲେଜରେ ଅଧ୍ୟାପନା କରୁଥିଲେ। ତେବେ ସଙ୍ଗୀତରେ କ୍ୟାରିୟର ଗଢ଼ିବା ପାଇଁ ୧୯୯୬ରେ ସେ ଅଧ୍ୟାପକ ଚାକିରି ଛାଡ଼ି ଦେଇଥିଲେ। ଓଡ଼ିଆ ଫିଲ୍ମ ଓ ଆଲବମ ଜଗତକୁ ସେ ଭେଟି ଦେଇଛନ୍ତି ଅନେକ ହିଟ୍ ଗୀତ। ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସେ।

ଅଭିଜିତ୍ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ। ‘ଧସକିଗଲା’ ଥିଲା ଅଭିଜିତଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍‌। ଆଲବମ୍‌ରେ କାମ କରୁଥିବା ଅଭିଜିତ୍‌ ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡ୍‌ ଜଗତରେ ପାଦ ଥାପିଥିଲେ। ଏହା ପରେ ‘ତୋ ବିନା ଭଲ ଲାଗେନା’, ‘ଶ୍ୱଶୁର ଘର ଜିନ୍ଦାବାଦ’, ‘ତୁ ଥାଆ ମୁଁ ଯାଉଛି ରୁଷି’, ବାଳୁଙ୍ଗା ଟୋକା, ‘ମ୍ୟାଟ୍ରିକ୍ ଫେଲ୍’, ରଙ୍ଗିଲା ଟୋକା, ‘ଲଭ୍ ହେଲା ଏମିତିରେ’, ‘ପୁଣି ଦେଖା ହେବ ଆର ଜନମରେ’, ‘ଲଭ୍ ଷ୍ଟେଶନ୍’, ‘ସିଷ୍ଟର ଶ୍ରୀଦେବୀ’, ସୁନ୍ଦରଗଡ଼ର ସଲମାନ ଖାନ୍’ ଭଳି ଅନେକ ହିଟ ସିନେମାରେ ସେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ତରଙ୍ଗ ଟିଭିରେ ତାଙ୍କର ଏକାଧିକ ସଂଗୀତ ଭିତ୍ତିକ ଶୋ’ ବେଶ୍ ଲୋକପ୍ରିୟ ହୋଇଥିଲା। ସେହି ସବୁ ଶୋ’ ମଧ୍ୟରେ ରହିଛି 'ମେଲୋଡି ନାଇଟ୍ସ ଉଇଥ୍ ଅଭିଜିତ୍ ମଜୁମଦାର', ‘ଲକ୍‌ଡାଉନ୍ ଅନ୍ତାକ୍ଷରୀ’ ଓ ‘ବ୍ୟାଣ୍ଡ ବାଜା ବାରାତ ଉଇଥ ଅଭିଜିତ ମଜୁମଦାର’ ଖୁବ୍ ଲୋକପ୍ରିୟ ହୋଇଥିଲା ଓଡ଼ିଆ ହେଉ କି ସମ୍ବଲପୁରୀ ଆଲବମ୍‌ ଅବା ଓଡ଼ିଆ ସିନେମା ଗୀତ, ସବୁଥିରେ ନିଜ କମ୍ପୋଜିସନର ଯାଦୁ ଦେଖାଇଛନ୍ତି ଅଭିଜିତ ଦାଦା।