ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୁଲିସ୍।
ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ।
ସୂଚନା ଅନୁସାରେ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରକୁ ଟାଙ୍ଗିଆ ଧରି ପଶି ଯାଇଥିଲା ଅଭିଯୁକ୍ତ । ସେହି ସମୟରେ ଘରେ ଥିବା ପ୍ରଫେସର ନାୟକଙ୍କ ବୋହୂ ଓ ଝିଅଙ୍କୁ ସେ ୧୦୦ ଟଙ୍କା ମାଗିଥିଲା। ତେବେ ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ପ୍ରଫେସର ନାୟକ ସେଠାରେ ପହଞ୍ଚି ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା।
ଗୁରୁତର ଅବସ୍ଥାରେ ପ୍ରଫେସର ନାୟକଙ୍କୁ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଥିଲା। ତେବେ ତାକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।