ମାଗଣା ପାଠପଢ଼ା ନାଁରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ‘କିସ୍’ କର୍ତ୍ତୃପକ୍ଷଙ୍କୁ ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମହଙ୍ଗା ପଡ଼ିଛି । ଦୀର୍ଘ ଦୁଇଦଶନ୍ଧିରୁ ଅଧିକ ଅବଧି ପରେ ପ୍ରଥମଥର ପାଇଁ ‘କିସ୍’ ଶିକ୍ଷାନୁଷ୍ଠାନର କେଳେଙ୍କାରୀ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ହୋଇଛି । ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କୁ ହତ୍ୟା ମାମଲାରେ ତାଙ୍କର ୩ଜଣ ସହପାଠୀଙ୍କ ସମେତ କିସ୍ ଅନୁଷ୍ଠାନର ଅନ୍ୟ ୮ଜଣ କର୍ମଚାରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଏହାସହିତ କିମସ୍ ହସ୍ପିଟାଲର ୮ଜଣ ଡାକ୍ତରଙ୍କୁ ମଧ୍ୟ ଅଜଣା ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି ।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ବିଶ୍ୱର ସର୍ବବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ‘କିସ’ରେ ପାଠପଢ଼ା ନୁହେଁ ବରଂ ଛାତ୍ରମାନଙ୍କର ‘ଜୋକର ଗ୍ୟାଙ୍ଗ’ ଆଧିପତ୍ୟ ବିସ୍ତାର କରି ସମସ୍ତ ପ୍ରକାରର ବେଆଇନ କାର୍ଯ୍ୟରେ ଲିପ୍ତ ଥିଲା ବୋଲି ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ‘କିସ’ରେ ୩୦ହଜାର ପିଲା ପଢ଼ୁଛନ୍ତି ବୋଲି କିସ୍ କର୍ତ୍ତୃପକ୍ଷ ଦାବି କରୁଥିଲେ ମଧ୍ୟ ଶହଶହ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଜୋକର ଗ୍ୟାଙ୍ଗ କିଭଳି ସକ୍ରିୟ ଥିଲା ତାହା ଶିବଙ୍କୁ ହତ୍ୟାକାରୀ ଜୋକର ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ପୁଲିସ ଗିରଫ ପରେ ପଦାକୁ ଆସିଛି ।
ଆଦିବାସୀ ଛାତ୍ର ଶିବଙ୍କ ହତ୍ୟାକୁ ହୃଦଘାତ କହି ନିରୀହ ପିତାମାତାଙ୍କୁ ବିଭ୍ରାନ୍ତ କରିଥିବା କିସ୍ କର୍ମଚାରୀ, କିମସ ଡାକ୍ତର ଓ ସର୍ବୋପରି କିସ୍ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ସକ୍ଷମ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି । ‘କିସ୍ ଓ କିଟ’ର ସବୁଘଟଣା ଭଳି ଏହାକୁ ବି ଅନୁରୂପ ଭାବେ ଚାପି ଦେଇ ଅଚ୍ୟୁତଙ୍କୁ ପୁଣିଥରେ ନିଜର କଳାସାମ୍ରାଜ୍ୟକୁ ବଜାୟ ରଖିବାର ସୁଯୋଗ ଦିଆଯିବ କି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ହୃଦଘାତ ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ: ପୁଲିସ କମିଶନର
ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡା ମୃତ୍ୟୁ ମାମଲାରେ ‘କିସ୍’ ମିଛ କହିଥିଲା ଓ ସତକୁ ଲୁଚାଇବାକୁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଶ୍ରୀ ସିଂ କହିଚନ୍ତି ଯେ, ‘କିସ୍’ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଥମେ ଏହାକୁ ଏକ ସାଧାରଣ ମୃତ୍ୟୁ ବା ହୃଦଘାତ୍ ବୋଲି କହି ଲୁଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ପୋଷ୍ଟମଟର୍ମ ରିପୋର୍ଟ ଅନୁଯାୟୀ ମୃତ ଛାତ୍ରର ଶରୀରରେ ଏକାଧିକ ଆଘାତ ଚିହ୍ନ ଓ ବେକରେ ଚାପ ପ୍ରୟୋଗ କରାଯାଇଥିବା ଦାଗ ମିଳିଛି । ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଛାତ୍ର ମରିଯିବା ପରେ କିସ୍ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଡକାଇ ମିଛ କହି ଶବ ହସ୍ତାନ୍ତର କରିଥିଲେ । ଏପରିକି ସ୍ଥାନୀୟ ପୁଲିସକୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା ।
ପୁଲିସ କମିଶନର ଶ୍ରୀ ସିଂ ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଚାଂଚଲ୍ୟକର ତଥ୍ୟ ଉଜାଗର କରିଛନ୍ତି । ସେ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ପରିସରରେ କିଛି ଛାତ୍ର ନିଜକୁ ‘ଜୋକର ଗ୍ୟାଙ୍ଗ' ସଦସ୍ୟ ବୋଲି କହି ଅନ୍ୟ ପିଲାମାନଙ୍କ ଉପରେ ଦାଦାଗିରି ବା ଆଧିପତ୍ୟ ବିସ୍ତାର କରୁଥିଲେ । ମୃତ ଛାତ୍ର ଜଣକ ଏହି ଗ୍ୟାଙ୍ଗର ଆଧିପତ୍ୟକୁ ଗ୍ରହଣ କରିନଥିବାରୁ ଓ ସେମାନଙ୍କ ସହ ଯୁକ୍ତିତର୍କ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳର କାନ୍ଥରେ ମଧ୍ୟ ‘ଜୋକର ଗ୍ୟାଙ୍ଗ\' ବୋଲି ଲେଖାଥିବା ପୁଲିସ ନଜରକୁ ଆସିଛି । ପୁଲିସ ଏହି ଘଟଣାରେ ଜଡ଼ିତ ନାବାଳକ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିଛି । ଆଉ ସତ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କିସ୍ ଅନୁଷ୍ଠାନର ୮ ଜଣ କମର୍ଚାରୀଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି ।
କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା
କିସ୍ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଆଜି ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିଛନ୍ତି । ଆୟୋଗର ସଦସ୍ୟମାନେ ଆଜି କିସ୍ ପରିସର ଗସ୍ତ କରି ସେଠାରେ ପ୍ରାୟ ଦେଢ଼ଘଣ୍ଟା ରହି ହଷ୍ଟେଲ ଓ ବାଥରୁମ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି ଯେ, ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇ ଆୟୋଗ ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଶିକ୍ଷାନୁଷ୍ଠାନର ପକ୍ଷରୁ ଚରମ ଅବହେଳା ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ଏମସ ହସ୍ପିଟାଲକୁ ପୋଷ୍ଟମର୍ଟମ ରିପୋର୍ଟ ମଗାଯାଇଛି ଓ କିସ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିନା ପୋଷ୍ଟମର୍ଟମରେ ଶବକୁ ଗାଁକୁ ପଠାଇବା ପାଇଁ ଶିକ୍ଷାନୁଷ୍ଠାନ କାହିଁକି ତତ୍ପରତା ଦେଖାଇଲା ଓ ଘଟଣାକୁ ଲୁଚାଇବା ପାଇଁ ହଷ୍ଟେଲ ୱାର୍ଡେନ ଓ ଶିକ୍ଷକମାନଙ୍କ ଭୂମିକା କ’ଣ ଥିଲା ତା’ର ଯାଂଚ କରାଯାଉଛି । ପୁଲିସଠାରୁ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ । ପିଲାମାନଙ୍କର ସୁରକ୍ଷା ଦାୟିତ୍ୱ ଶିକ୍ଷାନୁଷ୍ଠାନର । ତେଣୁ ସେଠାରେ ହତ୍ୟାକାଣ୍ଡ ଘଟିବା ଓ ଏହାକୁ ଲୁଚାଇବା ପାଇଁ ଉଦ୍ୟମ କରାଯିବା ଅକ୍ଷମଣୀୟ ଅପରାଧ । ଖୁବଶୀଘ୍ର ସମସ୍ତ ଦୋଷୀଙ୍କୁ ଆଇନର କାଠଗଡ଼ାକୁ ଅଣାଯିବ ବୋଲି ସେ କହିଛନ୍ତି ।
୮ ଗିରଫ, ପ୍ରମାଣ ନଷ୍ଟ ପାଇଁ କରିଥିଲେ ସବୁକିଛି
ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ତାଙ୍କର ୩ଜଣ ସହପାଠୀଙ୍କୁ କୋର୍ଟରେ ହାଜର କରି ବ୍ରହ୍ମପୁର ସୁଧାର ଗୃହକୁ ପଠାଇ ଦିଆଯିବ । ଶିବଙ୍କୁ ଏହି ୩ଜଣ ଛାତ୍ର ତଂଟି ଚିପି ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାକୁ ଲୁଚାଇବା ଓ ପରିବାର ସଦସ୍ୟଙ୍କୁ ମିଛ କହି ବିଭ୍ରାନ୍ତ କରିବା ଅଭିଯୋଗରେ ପୁଲିସ କିସ୍ ଶିକ୍ଷାନୁଷ୍ଠାନର ଅତିରିକ୍ତ ସିଇଓ ପ୍ରମୋଦ କୁମାର ପାତ୍ର, ଟିଜିଟି ଶିକ୍ଷକ ବିନୟ କୁମାର ଗୋଛି, ସିନିୟର ଏକାଡେମିକ କୋ-ଅର୍ଡିନେଟର ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ ଓ ହେଡମାଷ୍ଟର ରଶ୍ମିରଞ୍ଜନ ନାୟକ ଙ୍କ ସମେତ ହଷ୍ଟେଲ ସୁପରଭାଇଜର ଶୁଭକାନ୍ତ ବେହେରା, ଆସିଷ୍ଟାଂଟ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର ଓ ସୁଜାତା ମିଶ୍ର ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି । ପୁଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, ଏହି ହତ୍ୟା ଘଟଣା ପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଜର ଦୋଷ ଲୁଚାଇବା ପାଇଁ ସବୁ ପ୍ରକାର ହୀନ ପ୍ରୟାସ କରିଥିଲେ । ଶିବଙ୍କ ବାପା ରଘୁନାଥ ମୁଣ୍ଡାଙ୍କୁ ଫୋନ୍ କରି ତାଙ୍କ ପୁଅ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଇଥିଲେ । କିନ୍ତୁ ସେ ଭୁବନେଶ୍ୱରରେ ପହଂଚିବା ପରେ ଡାକ୍ତରମାନେ ତାଙ୍କ ପୁଅକୁ ମୃତଘୋଷଣା କରିଥିବା ଜାଣିବାକୁ ପାଇôଥଲେ । ଏହି ଘଟଣାକୁ ଚାପି ଦେବା ପାଇଁ ସ୍କୁଲର ଶିକ୍ଷକ ଓ ର୍କମଚାରୀମାନେ ଶିକ୍ଷାନୁଷ୍ଠାନର ନାବାଳକ ସାକ୍ଷୀମାନଙ୍କୁ ଧମକଚମକ ଦେବା ସହ ଭୟଭୀତ କରିଥିଲେ । ଏପରିକି ପ୍ରମାଣ ନଷ୍ଟ କରିବା ଓ ଅପରାଧୀଙ୍କୁ ପ୍ରଶୟ ଦେବା ଭଳି ଗୁରୁତର ଅଭିଯୋଗ ମଧ୍ୟ କର୍ତ୍ତୃପକ୍ଷଙ୍କ ବିରୋଧରେ ରହିଛି ।
ଶେଷ ଖବର ସୁଦ୍ଧା ପୁଲିସ ଏହି ମାମଲାରେ କିମସ୍ ହସ୍ପିଟାଲର ୮ଜଣ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ଜେରା ପାଇଁ ଉଠାଇ ନେଇଛି । ସେମାନେ କେଉଁ ପରିସ୍ଥିତିରେ ଶବ ବ୍ୟବଚ୍ଛେଦ କରିନଥିଲେ ତଥା କାହା ନିର୍ଦ୍ଦେଶରେ ପୁଲିସକୁ ସୂଚନା ନଦେଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ତାହା ଜାଣିବା ପାଇଁ ପ୍ରୟାସ କରୁଥିବା ସୂଚନା ମିଳିଛି ।
କିସ୍ କର୍ତ୍ତୃପକ୍ଷଙ୍କୁ ଛୁଇଁପାରିବ ତ ପୁଲିସ
ମାତ୍ର ୬ମାସ ବ୍ୟବଧାନରେ କେନ୍ଦୁଝର ଜିଲ୍ଲାର ଦୁଇ ଆଦିବାସୀ ଛାତ୍ର ମିଲନ ଓରାମ ଓ ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ‘କିସ’ ଅନୁଷ୍ଠାନର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଛି । ‘କିସ’କୁ ବିଶ୍ୱର ସର୍ବବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କହି ବିଦେଶରୁ କୋଟିକୋଟି ଟଙ୍କା ଅନୁଦାନ ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠୁ ଅନୁଦାନ ଉଠାଇବାରେ କିସ୍ କର୍ତ୍ତୃପକ୍ଷ ନିଜର ପାରିବାପଣିଆ ଦେଖାଇ ସାରିଛି ।
ଏପରିକି ୨୦୧୭ ମସିହାରୁ କିସ୍ ବିରୁଦ୍ଧରେ ନାନାଦି ଅଭିଯୋଗ ହେଉଥିଲେ ମଧ୍ୟ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜର ପତିଆରା ଦେଖାଇ ସେହିସବୁ ଅଭିଯୋଗକୁ ସରକାରୀସ୍ତରରେ ମ୍ୟାନେଜ୍ କରିବାରେ ସକ୍ଷମ ହେଉଥିଲେ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ‘କିସ’ ବିରୁଦ୍ଧରେ କୌଣସି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ କରିବାରେ ସରକାର ଓ ପ୍ରଶାସନ ସକ୍ଷମ ହୋଇନାହାନ୍ତି । ଏପରିକି ଜାତୀୟ ମାନବାଧିକାର ଆୟୋଗଙ୍କ ପ୍ରତିକୂଳ ଟିପ୍ପଣୀ ସତ୍ତ୍ୱେ କିସ୍ ବିରୁଦ୍ଧରେ ସରକାର କିଛି ଆକ୍ସନ ନେଇନଥିଲେ ।
କିନ୍ତୁ ଆଦିବାସୀ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ସରକାରଙ୍କ ଚେତା ପଶିଛି । ଅଚ୍ୟୁତଙ୍କୁ କୋଳେଇ ଧରିବା ସରକାରଙ୍କୁ ମହଙ୍ଗା ପଡ଼ିପାରେ ବୋଲି ଆଶଙ୍କା କରି ସରକାର ଏବେ ଆକ୍ସନ ମୋଡକୁ ଆସିଛନ୍ତି । ତଥାପି କିସ୍ ଓ କିଟର ଦୈନନ୍ଦିନ ବ୍ୟାପାର ସହ ଜଡ଼ିତ ଅଚ୍ୟୁତଙ୍କୁ ଖସାଇବା ପାଇଁ ଉଦ୍ୟମ ହେଉଥିବା ଏବଂ କେବଳ କର୍ମଚାରୀଙ୍କ ଉପରେ ଆକ୍ସନ ମାଧ୍ୟମରେ ଏହି ମାମଲାକୁ ରଫାଦଫା କରିବା ନିମନ୍ତେ ପ୍ରୟାସ ଚାଲିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us