ବିଜୁଙ୍କ ନାଁରେ ହେବ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଂଟର, ଡକୋଟା ସ୍ଥାନାନ୍ତର ପାଇଁ ୩.୩୬ କୋଟି ଖର୍ଚ୍ଚ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବରିଶାଲଠାରେ ଏବ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଂଟର ସ୍ଥାପନ ହେବ ।

ଡାକୋଟା

  • Published: Friday, 17 February 2023
  • , Updated: 17 February 2023, 10:41 PM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବରିଶାଲଠାରେ ଏବ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଂଟର ସ୍ଥାପନ ହେବ । ଏଥିପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ  କରିଛନ୍ତି । ସେହିପରି କୋଲକାତା ବିମାନ ବନ୍ଦରରେ ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ବିଜୁ ପଟ୍ଟନାୟକଙ୍କ ଡକୋଟା ବିମାନକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ୩.୩୬କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଶାଲଠାରେ ଥିବା ଦୀର୍ଘବର୍ଷ ପୁରୁଣା ଏୟାରଷ୍ଟ୍ରିପର ଆଧୁନିକୀକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିପାଇଁ ଏହି ଏୟାରଷ୍ଟ୍ରିପକୁ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଂଟର ଭାବେ ବିକଶିତ କରିବା ସହ ଏଠାରେ ସରକାରୀ ପାଇଲଟ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ(ଗତି) ଦ୍ୱାରା ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହେବ । ଏହି ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ଆଭିଏସନ୍ ସେଂଟର ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ମୋଟ ୧୮୮.୭୭ଏକର ଜମି ଅଧିଗ୍ରହଣ କରିବେ, ଯେଉଁଥିରେ ୨୭.୧୫ଏକର ଘରୋଇ ଜମି ରହିଛି ।

ଏହି ଜମି ଅଧିଗହଣ ନିମନ୍ତେ ରାଜ୍ୟ ସରକାର ନୀତିଗତ ଅନୁମୋଦନ ଦେଇସାରିଛନ୍ତି । ପୂର୍ବରୁ ୨୦୧୭-୧୮ ମସିହାରେ ରାଜ୍ୟ ସରକାର ଏହି ଏୟାରଷ୍ଟ୍ରିପର ଆଧୁନିକରଣ କାର୍ଯ୍ୟ ପାଇଁ ୯.୧୮କୋଟି ଟଙ୍କା ବ୍ୟୟ କରିଥିଲେ ଓ ପରେ ପାଚେରୀ ନିର୍ମାଣ ପାଇଁ ୧କୋଟି ଟଙ୍କା ବ୍ୟୟ ହୋଇଥିଲା । ୨୦୧୮-୧୯ ମସିହାରେ ଏହି ଏୟାରଷ୍ଟ୍ରିପର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଠାରୁ ବିମାନ ଚଳାଚଳ ନିମନ୍ତେ ଅନାପତ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏବେ ରାଜ୍ୟ ସରକାର ସମ୍ପୃକ୍ତ ଏୟାରଷ୍ଟ୍ରିପ ପାଇଁ ଅଧିକ ଜମି ଅଧିଗ୍ରହଣ କରି ସେଠାରେ ବିଜୁ ପଟ୍ଟନାୟକ ଆଭିଏସନ୍ ସେଂଟର ସ୍ଥାପନ କରିବେ, ଯେଉଁଠି ପାଇଲଟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଦୀର୍ଘବର୍ଷ ଧରି କୋଲକାତା ବିମାନ ବନ୍ଦରରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ବିଜୁ ପଟ୍ଟନାୟକଙ୍କ ଡକୋଟା ବିମାନକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ପ୍ରଥମ ପର୍ଯ୍ୟାୟରେ ୩.୩୬କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ବିମାନକୁ ଭୁବନେଶ୍ୱରର ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ସେଂଟର ଦ୍ୱାରା ସ୍ଥାନାନ୍ତର କରାଯାଇଛି । ଏବେ ଏହି ଡକୋଟାକୁ ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ ବିଲିଡିଂ ପାଖରେ ୧.୧ଏକର ପରିମିତ ଅଂଚଳରେ ପ୍ରଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି । ମାର୍ଚ୍ଚ ୫ତାରିଖରେ ବିଜୁ ପଟ୍ଟନାୟକ ଜୟନ୍ତୀରେ ଏହି ଡକୋଟା ବିମାନ ପ୍ରଦର୍ଶନୀ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜୟପୁର ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସେଠାରୁ ଦୈନିକ ଯାତ୍ରୀବାହୀ ବିମାନ ଚଳାଚଳ କରୁଥିବାବେଳେ ଏବେ ରାଜ୍ୟ ସରକାର ମାଲକାନଗିରିରେ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ନୀତିଗତ ଅନୁମୋଦନ ମିଳିସାରିଛି ତଥା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏବେ ଏୟାରଷ୍ଟ୍ରିପ ପାଚେରୀ ନିର୍ମାଣ କାର୍ଯ୍ୟ ୮୦% ଶେଷ ହୋଇଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଜୋରସୋରେ ଚାଲିଛି ।

Related story