Advertisment

ନବଙ୍କୁ ହତ୍ୟାର ୧୪ଦିନ ପରେ ବି କାରଣ ଅସ୍ପଷ୍ଟ: ସଙ୍କଟରେ ତଦନ୍ତ ଓ ବିଶ୍ୱସନୀୟତା

ନବଙ୍କ ମୃତ୍ୟୁର ୧୪ଦିନ ବିତିଥିଲେ ମଧ୍ୟ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ହତ୍ୟା କଲେ, ହତ୍ୟା ପଛରେ ରାଜନୀତିକ କିମ୍ବା ବ୍ୟବସାୟିକ ଶତ୍ରୁତା ରହିଛି କି ନାହିିଁ, କିମ୍ବା ଅନ୍ୟ କିଛି କାରଣ ରହିଛି ତାକୁ ଭେଦ କରିବାରେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ସଫଳ ହୋଇନି।

author-image
Ordigital Desk
Naba Das

Naba Das

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ୧୪ ଦିନ ପରେ ମଧ୍ୟ ହତ୍ୟାର କାରଣ ଖୋଜି ପାଇବାରେ ସକ୍ଷମ ହୋଇନଥିବା ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚର ବିଶ୍ୱସନୀୟତା ସଙ୍କଟରେ ପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଜେପି ବିଧାୟକ ଓ ସାଂସଦ ଆଜି ଝାରସୁଗୁଡ଼ାରେ ନବଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ ତଦନ୍ତର ଶିଥିଳତାକୁ ନେଇ ପ୍ରଶ୍ନ କରିବା ସହ ନବଙ୍କ ସମର୍ଥକମାନେ ବି ବର୍ତ୍ତମାନର ତଦନ୍ତକୁ ନେଇ ଖୁସି ନୁହଁନ୍ତି ଓ ତୃତୀୟ ପକ୍ଷ ଦ୍ୱାରା ତଦନ୍ତ କରାଯିବା ଦରକାର ବୋଲି ବୟାନ ଦେଇଛନ୍ତି। ନବଙ୍କ ମୃତ୍ୟୁର ୧୪ଦିନ ବିତିଥିଲେ ମଧ୍ୟ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ହତ୍ୟା କଲେ, ହତ୍ୟା ପଛରେ ରାଜନୀତିକ କିମ୍ବା ବ୍ୟବସାୟିକ ଶତ୍ରୁତା ରହିଛି କି ନାହିିଁ, କିମ୍ବା ଅନ୍ୟ କିଛି କାରଣ ରହିଛି ତାକୁ ଭେଦ କରିବାରେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ସଫଳ ହୋଇନି। ଆଉ ପ୍ରତିଦିନ ନୂଆ ନୂଆ ଭେଳିକି କରି କ୍ରାଇମବ୍ରାଂଚ କେବଳ ନିଜର ଅପାରଗତା ପଦାରେ ପକାଇବାରେ ଲାଗିଛି। ଏମିତି ବି କ୍ରାଇମବ୍ରାଂଚର ପୁରୁଣା ଟ୍ରାକ୍ ରେକର୍ଡକୁ ଦେଖିଲେ ରାଜନୀତିକ ଲିଙ୍କ୍ ଥିବା କୌଣସି ମାମଲାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିଥିବାର ନଜିର ନାହିଁ ।

Advertisment

ଆଜି ନବଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ରାଇମବ୍ରାଂଚ ତଦନ୍ତ ପରିବର୍ତ୍ତେ ତୃତୀୟ ପକ୍ଷ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ଅଧୋଗତି ହୋଇଛି ଓ ସଙ୍ଗୀନ ଆଡ଼କୁ ଯାଉଛି। ସରକାର ସଚେତନ ହେବାର ଆବଶ୍ୟକତା ରହିଛି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଧର୍ମେନ୍ଦ୍ରଙ୍କ ଏହି ବୟାନ ଉପରେ ଗଣମାଧ୍ୟମକୁ ବିଜେଡି ସାଂସଦ ସସ୍ମିତ ପାତ୍ର ବୟାନ ଜାରି କହିଛନ୍ତି ଯେ,ନବ ଦାସଙ୍କ ହତ୍ୟାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ। ତଦନ୍ତ ଚାଲିଛି, ନିର୍ଯ୍ୟାସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯେଉଁ କ୍ରାଇମବ୍ରାଂଚ ପୂର୍ବରୁ ନେଇଥିବା କୌଣସି ରାଜନୀତିକ ଲିଙ୍କ୍ ଥିବା ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରିବାରେ ସକ୍ଷମ ହୋଇନି, ଏବେ ନବଙ୍କ ହତ୍ୟା ପଛର କାରଣକୁ କ’ଣ ସତରେ ଭେଦ କରିପାରିବ? ଗତ ୧୪ଦିନ ଧରି କ୍ରାଇମବ୍ରାଂଚର ଗତିବିଧି ଯାହା, କେବଳ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ସଦୃଶ ହୋଇଛି । କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ମାମଲାକୁ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟରେ ସୀମିତ ରଖିଛି । ନବଙ୍କ ହତ୍ୟା ପଛର କାରଣ ଭାବେ ରାଜନୀତିକ କିମ୍ବା ବ୍ୟବସାୟିକ ଦିଗକୁ ଅନ୍ୱେଷଣ କରିବାକୁ ପ୍ରୟାସ କରିନି । ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ କରି କେବଳ ଦିନ ଗଡ଼ାଇବା ଓ ମାମଲାକୁ ଶାନ୍ତ କରିବାକୁ କ୍ରାଇମବ୍ରାଂଚ ପ୍ରୟାସ କରୁଥିବା ଚର୍ଚ୍ଚା । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ୧୪ଦିନ ପରେ ବି ପୁଲିସ ହାତ ଖାଲି ଥିବା ତଥା ହତ୍ୟା ପଛର ରହସ୍ୟକୁ ଭେଦ କରିବା ସମ୍ଭବପର ହୋଇନଥିବାରୁ କ୍ରାଇମବ୍ରାଂଚ ଉପରେ ଅଙ୍ଗୁଳି ଉଠିବା ସ୍ୱାଭାବିକ । ଯଦି ସରକାର ବାସ୍ତବରେ ନବଙ୍କ ହତ୍ୟା ପଛର କାରଣ ଜାଣିବାକୁ ଆଗ୍ରହୀ ଓ ଦୋଷୀଙ୍କୁ ଦଣ୍ଡିତ କରିବାକୁ ଚାହାଁନ୍ତି ତା’ହେଲେ ତୃତୀୟ ପକ୍ଷ ସ୍ୱାଧୀନ ସଂସ୍ଥା ଦ୍ୱାରା ଯାଂଚ କରାଇବାରେ ଅସୁବିଧା କେଉଁଠି?

Advertisment

ଉଲ୍ଲେଖଯୋଗ୍ୟ, କ୍ରାଇମବ୍ରାଂଚ ୯ବର୍ଷ ତଳେ ହାତକୁ ନେଇ ଘଙ୍ଗାପାଟଣା ଜମି ଦୁର୍ନୀତିରେ ବିଜେଡି ଲିଙ୍କ୍ ଥିବାରୁ ଏହାର ତଦନ୍ତକୁ ଅଧାପନ୍ତରିଆ କରି ରଖିଛି । ସେହିପରି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମାମଲାରେ ବିଜେଡି ନେତାଙ୍କ ନାଁ ଆସିବାରୁ ଏହି ମାମଲାରେ କାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା କ୍ରାଇମବ୍ରାଂଚ ପାଇଁ ସକ୍ଷମ ହୋଇନି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ପରିସରରେ ଆତ୍ମହତ୍ୟା କରିବା ଭଳି ଦୁଇଟି ଘଟଣାର ତଦନ୍ତ କ୍ରାଇମବ୍ରାଂଚ ପାଖରେ ଥିଲେ ବି ବିଜେଡି ଲିଙ୍କକୁ କ୍ରାଇମବ୍ରାଂଚ ଛୁଇଁବା ତ ଦୂରର କଥା ସାମାନ୍ୟ ଜେରା ବି କରିପାରିନି । ସେହିପରି ନିକଟରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ସାରଥୀ ବାବା କେଳେଙ୍କାରୀ, ଝାରସୁଗୁଡ଼ାର ବିଜାପାଲି ଗାଁର ଛାତ୍ରୀ ସଂଯୁକ୍ତା ଜୟପୁରିଆଙ୍କ ହତ୍ୟା, ସଞ୍ଜୟ ଦାସବର୍ମାଙ୍କ ପିଏଙ୍କ ହତ୍ୟା ଆଦି ଘଟଣାରେ କ୍ରାଇମବ୍ରାଂଚ କେବଳ ନାଁକୁ ତଦନ୍ତ କରିଛି । କୌଣସି ନିର୍ଯ୍ୟାସ କିମ୍ବା ଦୋଷୀଙ୍କ ପାଖରେ କ୍ରାଇମବ୍ରାଂଚ ପହଂଚି ପାରିନି । ସେହିଭଳି ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚଢ଼ାଇ ହତ୍ୟା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଦେଇଥିବା ବୟାନ ସଧାସଳଖ ବିଜେଡି ନେତା-ମନ୍ତ୍ରୀମାନଙ୍କ ସମ୍ପୃକ୍ତିକୁ ଇସାରା କରୁଥିଲେ ମଧ୍ୟ ରାଜ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଛି। ତେଣୁ ନବଙ୍କ ମାମଲାରେ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଂଚ କେବଳ ଦିନ ଗଡ଼ାଇ ମାମଲାକୁ ଶାନ୍ତ କରିବାର ରଣନୀତି ଆପଣାଇଛି ବୋଲି ସାଧାରଣରେ ଚର୍ଚ୍ଚା।

Naba Das Bjd Leader Naba Das Murder