/odisha-reporter/media/media_files/2025/09/24/oas-shiba-mallick-2025-09-24-20-05-08.jpg)
ଗିରଫ ଓଏଏସ୍ ଅଫିସର ଶିବ ମଲ୍ଲିକ Photograph: (OR)
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା OAS ଅଫିସର ତଥା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ସମେତ ଅନେକ ସଂପତ୍ତି ଠାବ କରାଯାଇଛି।
କେନ୍ଦ୍ରାପଡ଼ାର ଭାଗବତପୁରରେ ତାଙ୍କର ଏହି ମାର୍କେଟ କମ୍ପ୍ଲେକ୍ସଟି ଅଛି। ଏହା ୩ ମହଲା ବିଶିଷ୍ଟ। ଏଥିରେ ୩ଟି ବଡ଼ ହଲ୍ ଓ ୩ଟି ଦୋକାନ ରହିଛି। ୨୦୨୪ରେ ଏହାର ନିର୍ମାଣ ହୋଇଛି।
କେନ୍ଦ୍ରାପଡ଼ାର ଗଣେଶପୁରରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି, ଯାହା ୨୭୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି। ୨୦୨୪-୨୫ରେ ଏହାର ନିର୍ମାଣ ହୋଇଛି।
ସେହିପରି କେନ୍ଦ୍ରାପଡ଼ାର ଡେରାବିଶର ବାଘିଲୋବାବନପୁରରେ ଶ୍ରୀ ମଲ୍ଲିକଙ୍କର ଏକ ଦୁଇ ମହଲା କୋଠା ରହିଛି, ଯାହା ୪୬୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି। ୨୦୨୮-୧୯ରେ ଏହାର ନିର୍ମାଣ ହୋଇଥିଲା।
ଏହା ସହିତ ତାଙ୍କର ୭ଟି ପ୍ଲଟ୍ ଅଛି। ଏହି ପ୍ଳଟ୍ଗୁଡ଼ିକ କେନ୍ଦ୍ରାପଡ଼ା ସହର ଆଖପାଖରେ ରହିଛି।
ତହସିଲଦାର ଶ୍ରୀ ମଲ୍ଲିକଙ୍କ ଘରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ ଓ ବୀମା ଜମା ବାବଦକୁ ସେ ୧୮ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ୪ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କର ସମସ୍ତ ଘରକରଣା ସାମଗ୍ରୀର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା। ତାଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
କାହିଁକି ନେଉଥିଲେ ଲାଞ୍ଚ
ଗୋଜାବନ୍ଧ ଗାଁର ପିତାମ୍ବର ସ୍ୱାଇଁଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ସେହି ଜବରଦଖଲ ଉଚ୍ଛେଦ କରିବା ପାଇଁ ପିତାମ୍ବରଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ୱାଇଁ ତହସିଲଦାର ଶ୍ରୀ ମଲ୍ଲିକଙ୍କୁ କହିଥିଲେ। ହେଲେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ବାହାର କରିବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ସେ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବିଶ୍ରାମ ଗୃହରେ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଏହା ପରେ ତାଙ୍କ ଅଫିସ୍ ଓ ତାଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
