Advertisment

ଉଚ୍ଚଶିକ୍ଷା ବିଭାଗରୁ ମନ୍ତ୍ରୀଙ୍କ ପରେ ବିଦା ହେଲେ ସଚିବ ବିଷ୍ଣୁପଦ ସେଠୀ

ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସବୁ ଦାୟିତ୍ୱ କାଢ଼ି ନିଆଯାଇ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରାଯାଇଛି ।

author-image
Hemant Lenka
Bishnupada sethi

Bishnupada sethi

ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପନିସମେଂଟ ସ୍ୱରୂପ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ବିତାଡ଼ିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସବୁ ଦାୟିତ୍ୱ କାଢ଼ି ନିଆଯାଇ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରାଯାଇଛି । ଶ୍ରୀ ସେଠୀ ଏବେ କେବଳ ବିନା କାର୍ଯ୍ୟରେ ସାଧାରଣ ପ୍ରଶାସନ ବିଭାଗରେ ହାଜିରା ପକାଇବେ।

ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ଜଳବିଦ୍ୟୁତ ନିଗମ(ଓଏଚପିସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି । ଏହି ନୂଆ ଦାୟିତ୍ୱ ସହ ଶ୍ରୀ ଅଗ୍ରୱାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ଅଗ୍ରୱାଲ ଏବେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବାବେଳେ ମହିଳା ବିକାଶ ସମବାୟ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

Advertisment

ସୂଚନାଯୋଗ୍ୟ, ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ବିଦା କରି ସରକାର ସମ୍ପୃକ୍ତ ବିଭାଗରେ କୌଣସି ବଡ଼ଧରଣର କେଳେଙ୍କାରୀରେ ସେମାନଙ୍କ ସମ୍ପୃକ୍ତି ରହିଥିବା ଆଡ଼କୁ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି।

Odisha