Advertisment

One-Stop Digital Gateway ନୂଆଓଡ଼ିଶା’ ପରେ ଏବେ ‘ମାଇଭାରତ’: ସବୁ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ, ୱାନଷ୍ଟପ୍ ଡିଜିଟାଲ ଗେଟୱେ

ସ୍ନାତକ ଓ ସ୍ନାତକୋତ୍ତର ପଢ଼ୁଥିବା ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପଞ୍ଜିକରଣ ନିଶ୍ଚିତ କରିବା ଶିକ୍ଷାନୁଷ୍ଠାନର ଦାୟିତ୍ୱ । ଏଥିପାଇଁ କଲେଜଗୁଡ଼ିକ ଏକ ସ୍ୱତନ୍ତ୍ର ପଞ୍ଜିକା ପ୍ରସ୍ତୁତ କରିବେ ଯେଉଁଥିରେ ପ୍ରତି ଛାତ୍ରଛାତ୍ରୀଙ୍କ ‘ମାଇଭାରତ ଆଇଡି’ ନମ୍ବର ଉଲ୍ଲେଖ ରହିବ ।

author-image
Prakaash Sethi
Higher-Educations

ବିଜେଡି ସରକାରର ‘ନୂଆ ଓଡ଼ିଶା’ ଯୋଜନାକୁ ବନ୍ଦ କରିଥିବା ମୋହନ ମାଝୀଙ୍କ ସରକାର ଏବେ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ରାଜ୍ୟର ଯୁବପିଢ଼ି ବିଶେଷକରି କଲେଜ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି । ଭାରତ ସରକାରଙ୍କ ‘ମାଇ ଭାରତ’ ପୋର୍ଟାଲକୁ ରାଜ୍ୟଣ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Advertisment

 ରାଜ୍ୟର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ‘ମାଇଭାରତ’ ପୋର୍ଟାଲରେ ବାଧ୍ୟତାମୂଳକ ଭାବେ ପଞ୍ଜିକୃତ ହେବାକୁ ପଡ଼ିବ । ଏହା କେବଳ ଏକ ପଞ୍ଜିକରଣ ନୁହେଁ ବରଂ ରାଜ୍ୟର ଯୁବଶକ୍ତିଙ୍କୁ ସିଧାସଳଖ ଭାରତ ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସହ ଯୋଡ଼ିବ, ଯାହାକି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ମଂଚ ସାଜିବ ।


ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ‘ୱାନଷ୍ଟପ୍ ଡିଜିଟାଲ ଗେଟୱେ’


‘ମାଇଭାରତ’ ବା ‘ମେରା ଯୁବ ଭାରତ’ ପୋର୍ଟାଲଟି ଛାତ୍ରଛାତ୍ରୀମାନଙ୍କ ପାଇଁ ‘ ୱାନଷ୍ଟପ୍ ଡିଜିଟାଲ୍ ଗେଟୱେ’ ଭାବେ କାର୍ଯ୍ୟ କରିବ । ଏଥିରେ ପଞ୍ଜିକରଣ କରିବା ପରେ ଛାତ୍ରଛାତ୍ରୀମାନେ  ବିଭିନ୍ନ ସରକାରୀ ଯୋଜନା, ଜାତୀୟ ଯୁବ ମହୋତ୍ସବ, ଦକ୍ଷତା ବିକାଶ ଶିବିର ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସହଜରେ ଭାଗ ନେଇପାରିବେ । ବିଶେଷ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଇଣ୍ଟର୍ଣ୍ଣସିପ୍ ଓ କ୍ଷେତ୍ର ପରିଦର୍ଶନ ସୁଯୋଗ ଛାତ୍ରଛାତ୍ରୀମାନଙ୍କ ବାସ୍ତବ ଜ୍ଞାନ ବୃଦ୍ଧିରେ ସହାୟକ ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବା, ଦଳଗତ କାର୍ଯ୍ୟ, ଯୋଗାଯୋଗ ଦକ୍ଷତା ଓ ଡିଜିଟାଲ ଜ୍ଞାନକୌଶଳ ବୃଦ୍ଧି କରିବା ଉପରେ ଏହି ପୋର୍ଟାଲ ଗୁରୁତ୍ୱ ଦେଇଥାଏ । ଏହା ସେମାନଙ୍କୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ଦୁନିଆର ନୂଆ ନୂଆ ଜ୍ଞାନକୌଶଳ ସହ ପରିଚିତ କରାଇବ ।

Advertisment


ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ମାଇଭାରତ' (ମେରା ଯୁବା ଭାରତ) ପୋର୍ଟାଲରେ ରାଜ୍ୟର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରିବା ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଗୁରୁବାର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଶତପ୍ରତିଶତ ପଞ୍ଜୀକରଣ ନିଶ୍ଚିତ କରିବାକୁ କହିଛନ୍ତି ।


ମିଳିବ ଡିଜିଟାଲ୍ ସାର୍ଟିଫିକେଟ୍ ଓ କ୍ୟାରିୟରରେ ସ୍ୱୀକୃତି

ଏହି ପୋର୍ଟାଲରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କୁ ସରକାରୀ ‘ସ୍ୱୀକୃତି ଓ ପ୍ରମାଣପତ୍ର’ ମିଳିବ । କୌଣସି ସ୍ୱେଚ୍ଛାସେବୀ କାର୍ଯ୍ୟ, ସାମାଜିକ ଅଭିଯାନ କିମ୍ବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମନ୍ତଣାଳୟ ପକ୍ଷରୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ଆଉ ଏହି ସାର୍ଟିଫିକେଟ୍ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଚାକିରି କ୍ଷେତ୍ରରେ ସେମାନଙ୍କ ବାୟୋଡାଟାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରଭାବଶାଳୀ କରାଇବ ତଥା ନିଯୁକ୍ତି ସୁଯୋଗ ବୃଦ୍ଧି ସହ ସେମାନଙ୍କର ଭବିଷ୍ୟତ କ୍ୟାରିୟରକୁ ଅଧିକ ସମୃଦ୍ଧ କରିବ ।


କଲେଜଗୁଡ଼ିକୁ ଶତପ୍ରତିଶତ ପଞ୍ଜିକରଣ ଓ ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶ

ସ୍ନାତକ ଓ ସ୍ନାତକୋତ୍ତର ପଢ଼ୁଥିବା ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପଞ୍ଜିକରଣ ନିଶ୍ଚିତ କରିବା ଶିକ୍ଷାନୁଷ୍ଠାନର ଦାୟିତ୍ୱ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିପାଇଁ କଲେଜଗୁଡ଼ିକ ଏକ ସ୍ୱତନ୍ତ୍ର ପଞ୍ଜିକା ପ୍ରସ୍ତୁତ କରିବେ ଯେଉଁଥିରେ ପ୍ରତି ଛାତ୍ରଙ୍କ ‘ମାଇଭାରତ ଆଇଡି’ ନମ୍ବର ଉଲ୍ଲେଖ ରହିବ । ଏହି ସମଗ୍ର ପ୍ରକ୍ରିୟାର ସଠିକ୍ ପରିଚାଳନା ପାଇଁ ଏନଏସଏସ, ରେଡକ୍ରସ୍ ଓ ରୋଭର୍ସ ଆଣ୍ଡ ରେର୍ଞ୍ଜସଙ୍କୁ ଅନୁପାଳନ ରିପୋର୍ଟ ପ୍ରଦାନ କରିବାର ଦାୟିତ୍ୱ ମଧ୍ୟ ବିଭାଗ ପକ୍ଷରୁ ନ୍ୟସ୍ତ କରାଯାଇଛି । ସରକାରଙ୍କ ଏହି ନୂଆ ପଦକ୍ଷେପ ଯୁବପିଢ଼ିଙ୍କୁ ଏକ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବା ସହ ଦେଶ ଗଠନ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରାଇବ ।

 ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ା ନୁହେଁ, ବରଂ ସ୍ୱଚ୍ଛତା ଅଭିଯାନ, ଡିଜିଟାଲ ସାକ୍ଷରତା ଓ ସ୍ୱାସ୍ଥ୍ୟ ସଚେତନତା ଭଳି ଗୋଷ୍ଠୀ ବିକାଶମୂଳକ କାର୍ଯ୍ୟକ୍ରମରେ ସିଧାସଳଖ ଜଡ଼ିତ ହୋଇ ଦେଶ ଗଠନରେ ନିଜର ଯୋଗଦାନ ଦେଇପାରିବେ । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେମାନଙ୍କୁ ଏକ ଦାୟିତ୍ୱସଂପନ୍ନ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ଏହି ଅଭିଯାନକୁ ସଫଳ କରିବାକୁ ବିଭାଗ ପକ୍ଷରୁ ସମସ୍ତ କଲେଜ ପ୍ରିନ୍ସିପାଲମାନଙ୍କୁ କୁହାଯାଇଛି ।


ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଲେଜଗୁଡ଼ିକରେ ‘ନୂଆ ଓଡ଼ିଶା’ ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ କଲେଜ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ା ଯାଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ ।