
SUpreme Courts order and Police DGP YB Khurania Admits Insurance Fraud in Personal Affidavit (pic)
ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା ଓ ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ପରେ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ଚେତା ପଶିଛି । ସଡ଼କ ଦୁର୍ଘଟଣା ବୀମାରେ ଜାଲିଆତି ଅଭିଯୋଗରେ ସତ୍ୟତା ଥିବାକୁ ସ୍ୱୀକାର କରି ଜଣେ ଆଇଜି ପାହ୍ୟାର ଅଫିସରଙ୍କ ଦ୍ୱାରା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ) ଗଠନ ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ ମଧ୍ୟ କରାଇଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ତାରିଖକୁ ଧାର୍ଯ୍ୟ କରିବା ସହ ଏସଆଇଟି ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ବି ଦେଇଛନ୍ତି ।
ସୁପ୍ରିମକୋର୍ଟରେ ତ୍ରୁଟି ସ୍ୱୀକାର କଲେ ପୁଲିସ ଡିଜି
ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଓ ବିଚାରପତି ଜଷ୍ଟିସ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଏହି ମାମଲାର ସୋମବାର(ଡିସେମ୍ବର ୧୫) ଶୁଣାଣିବେଳେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଜର ହୋଇ ପକ୍ଷ ରଖିଥିଲେ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ପାଳନ କରି ଏହି ମାମଲାକୁ ବରିଷ୍ଠ ଅଫିସରମାନଙ୍କ ଦ୍ୱାରା ତଦନ୍ତ କରାଯିବାର ଆବଶ୍ୟକତା ରହିଥିଲା ବୋଲି ପୁଲିସ ଡିଜି ବୁଝିପାରିଛନ୍ତି ବୋଲି ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି । ସେଥିପାଇଁ ଜଣେ ଆଇଜି ପାହ୍ୟାର ଅଫିସରଙ୍କ ଅଧ୍ୟକ୍ଷତାରେ ସେ ଏସଆଇଟି ଗଠନ କରିଛନ୍ତି । ଆଉ ଏ ସଂକ୍ରାନ୍ତରେ ଏକ ପ୍ରାଥମିକ ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି, ଯେଉଁଥିରେ ମୋଟର ଯାନ ଦୁର୍ଘଟଣା ବୀମା ମାମଲାରେ ହୋଇଥିବା ଜାଲିଆତି ଅଭିଯୋଗର ସତ୍ୟତା ଥିବା ମଧ୍ୟ ପୁଲିସ ଡିଜି ସ୍ୱୀକାର କରିଛନ୍ତି । ତେବେ ଏହି ତଦନ୍ତକୁ ନିର୍ଣ୍ଣାୟକ ସ୍ଥିତିରେ ପହଂଚାଇବା ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିବା ପରେ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଛନ୍ତି ।
ଏହି ମାମଲାରେ ପୁଲିସ ଡିଜିଙ୍କ ଆଗ୍ରହକୁ ଖଣ୍ଡପୀଠ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି ଗମ୍ଭୀରତା ବଜାୟ ରହିବ ବୋଲି ଆଶା କରିଛନ୍ତି । କିଛି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ନେଇ ଆମେ ଅବଗତ ହୋଇଛୁ ଓ ଯଦି କୌଣସି ଅଫିସର ଭୁଲ୍ କରିଥିବେ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।
ପୁଲିସ ଡିଜିଙ୍କୁ କାହିଁକି ଦାଖଲ କରିବାକୁ ପଡ଼ିଲା ବ୍ୟକ୍ତିଗତ ଶୋ’କଜ୍ ?
ସୁପ୍ରିମକୋର୍ଟଙ୍କ ନଭେମ୍ବର ୨୭ତାରିଖର କଡ଼ା ଭର୍ତ୍ସନା ଓ ନିର୍ଦ୍ଦେଶନାମା ପରେ ହିଁ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ଚେତା ପଶିଥିଲା । ଆଉ ଡିସେମ୍ବର ୧୩ତାରିଖରେ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବା ପରେ ଡିସେମ୍ବର ୧୫ତାରିଖ ଶୁଣାଣିବେଳେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଜର ପକ୍ଷ ରଖିଥଲେ ।
ନଭେମ୍ବର ୨୭ତାରିଖ ରାୟରେ ସୁପ୍ରିମକୋର୍ଟଙ୍କ ଏହି ଦୁଇଜଣିଆ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ପୋଷଣ କରି ପୁଲିସ ଡିଜିଙ୍କ କାର୍ଯ୍ୟଶୈଳୀକୁ କଡ଼ା ଭର୍ତ୍ସନା କରିଥିଲେ । ପୁଲିସ ଡିଜିଙ୍କ ଏଭଳି ଅତ୍ୟନ୍ତ ଖାମଖିଆଲି ମନୋଭାବ ପାଇଁ କାହିଁକି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ କରି ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରି କାରଣଦର୍ଶାଅ ନୋଟିସର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଖଣ୍ଡପୀଠ ଏହି ମାମଲାର ଶୁଣାଣିବେଳେ ୨୦୨୫ ର୍ମାଚ୍ଚ ୬ ତାରିଖରେ ଏସଆଇଟି ଗଠନ କରି ତଦନ୍ତ କରି ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୨୭ତାରିଖ ଶୁଣାଣିବେଳେ ଡିଜିପି ନିଜେ ଏହି ତଦନ୍ତର ତଦାରଖ କରିବା ପରିବର୍ତ୍ତେ ଏହାକୁ କ୍ରାଇମବ୍ରାଂଚର ଜଣେ ଡିଏସପିଙ୍କୁ ହସ୍ତାନ୍ତର କରି "ଅତ୍ୟନ୍ତ ଖାମଖିଆଲି ମନୋଭାବ’ ପ୍ରଦର୍ଶନ କରିଥିବା ଏପରିକି ତଦନ୍ତର ଅଗ୍ରଗତିକୁ ଡିଜିପି ନିଜେ ଯାଂଚ କରିନଥିବା କହି ଏହି କାରଣଦର୍ଶାଅ ନୋଟିସର ଜବାବ ବ୍ୟକ୍ତିଗତ ସତ୍ୟପାଠ ଦାଖଲ ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ମୁହାଁମୁହିଁ ହୋଇଥିଲେ ଦୁଇ ଶୀର୍ଷ ଅଫିସର !
ନଭେମ୍ବର ୨୭ରେ ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ପୁଲିସ ମୁଖ୍ୟାଳୟରେ କମ୍ପନ ସୃଷ୍ଟି ହୋଇଥିଲା । ପୁଲିସ ମୁଖ୍ୟାଳୟ ସୂତ୍ର ଅନୁସାରେ, ପୁଲିସ ଡିଜି ୱାଇବି ଖୁରାନିଆ ଏହି ଘଟଣାରେ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ରଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ମାମଲାକୁ କାହିଁକି ଗୁରୁତ୍ୱର ସହ ନେଇ ତଦନ୍ତର ତଦାରଖ କଲେନି ବୋଲି ତାଙ୍କୁ କାରଣଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିବା ଜଣାପଡ଼ିଛି । ଏପରିକି ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ଚର୍ଚ୍ଚା ହେଉଛି । ଦୁଇ ଶୀର୍ଷ ଅଫିସରଙ୍କ ଏଭଳି ମୁହାଁମୁହିଁ ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟରେ କମ୍ପନ ସୃଷ୍ଟି ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବର ୧୯ତାରିଖରେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାକୁ ନେଇ ‘ଦି ଓରିଏଂଟାଲ୍ ଇନସ୍ୟୁରାନ୍ସ କଂପାନୀ ଲିମିଟେଡ୍ ବନାମ ଟୁନି ପତି ଓ ଅନ୍ୟମାନେ' ମାମଲାରେ ରାଜ୍ୟ ପୁଲିସର ଖାମଖିଆଲି ମନୋଭାବକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ବର୍ଷକ ମଧ୍ୟରେ ସେହି ସମାନ ଗାଡ଼ିକୁ ବ୍ୟବହାର କରି ୫ଟି ଅଲଗା ଅଲଗା ସଡ଼କ ଦୁର୍ଘଟଣା ମାମଲାରେ କ୍ଷତିପୂରଣ ଦାବି କରାଯାଇଥିବା ବୀମା କମ୍ପାନୀ ଅଭିଯୋଗ କରିଥିଲା । ଏହି ସଡ଼କ ଦୁର୍ଘଟଣା ମାମଲାରେ ହୋଇଥିବା ଏଫଆଇଆରରେ ପୁଲିସର ତ୍ରୁଟି ଥିବା ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ସୁରକ୍ଷା ଦେବାକୁ ଜାଲ ଗାଡ଼ିର ନମ୍ବର ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଏହି ଏସଆଇଟି ତଦନ୍ତ ପରେ ରାଜ୍ୟରେ ବୀମା କ୍ଷତିପୂରଣ ଦାବି ଘଟଣାରେ ପୁଲିସର ମନମୁଖୀ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶା କରାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
