Advertisment

AG audit : ଫ୍ଲୋ ମିଟର ନଥାଇ ଜଳ ଶୋଷୁଛନ୍ତି ୧୪୫୪ଟି ଶିଳ୍ପ ସଂସ୍ଥା, ୪୬୩୪ କୋଟି ଟଙ୍କା କ୍ଷତି, ବକେୟା ୧୦୭୬୦କୋଟି ଜଳକର ଅନାଦେୟ

ଫ୍ଲୋ ମିଟର ନଲଗାଇ ଜଳ ଉଠାଉଥିବାରୁ ରାଜକୋଷକୁ ୪୬୩୪ କୋଟି ୨୦ଲକ୍ଷ ଟଙ୍କାର ଜଳକର କ୍ଷତି ସହିବାକୁ ପଡ଼ିଛି । ଏନେଇ ସେପ୍ଟେମ୍ବର ୨୫ତାରିଖରେ ଭୁବନେଶ୍ୱରସ୍ଥିତ ଏଜି (ଅଡିଟ୍‌-୧) ନିଜର ଡ୍ରାଫ୍ଟ ଅଡିଟ୍ ରିପୋର୍ଟ ପଠାଇ ରାଜ୍ୟ ଜଳସମ୍ପଦ ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି ।

water-supply-to-industry

Water supply to industry (File Pic)

Advertisment

ରାଜ୍ୟର ୧୪୫୪ଟି ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ମନଇଚ୍ଛା ଜଳ ବ୍ୟବହାର କରୁଛନ୍ତି । ଫ୍ଲୋ ମିଟର ନଲଗାଇ ଜଳ ଉଠାଉଥିବାରୁ ରାଜକୋଷକୁ ୪୬୩୪ କୋଟି ୨୦ଲକ୍ଷ ଟଙ୍କାର ଜଳକର କ୍ଷତି ସହିବାକୁ ପଡ଼ିଛି । ଏନେଇ ସେପ୍ଟେମ୍ବର ୨୫ତାରିଖରେ ଭୁବନେଶ୍ୱରସ୍ଥିତ ଏଜି (ଅଡିଟ୍‌-୧) ନିଜର ଡ୍ରାଫ୍ଟ ଅଡିଟ୍ ରିପୋର୍ଟ ପଠାଇ ରାଜ୍ୟ ଜଳସମ୍ପଦ ବିଭାଗକୁ ସ୍ପଷ୍ଟୀକରଣ ମାଗିବା ପରେ ସରକାରଙ୍କ ଚେତା ପଶିଛି । ଆଉ ମୁଖ୍ୟ ଯନ୍ତ୍ରୀ(ଜଳ ସେବା)ଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment


କେବଳ ସେତିକି ନୁହେଁ ଗତମାସରେ ବିଧାନସଭାରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ୧୦୭୬୦କୋଟି ଟଙ୍କାର ଜଳକର ବାକି ରହିଥିବା ମଧ୍ୟ ସୂଚନା ଦେଇଥିଲେ । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ୪୯୧୪କୋଟି ଟଙ୍କା ଥିଲା ।


୧୪୫୪ଟି ସଂସ୍ଥା ଲଗାଇନାହାନ୍ତି ଫ୍ଲୋ ମିଟର: ସିଏଜି


ଭୁବନେଶ୍ୱରସ୍ଥିତ ଏଜି(ଅଡିଟ୍‌-୧)ଙ୍କ ଦ୍ୱାରା ସେପ୍ଟେମ୍ବର ୨୫ତାରିଖରେ ରାଜ୍ୟ ଜଳସମ୍ପଦ ବିଭାଗକୁ ସ୍ପଷ୍ଟୀକରଣ ମଗାଯାଇଛି । ରାଜ୍ୟରେ ଶିଳ୍ପ ସଂସ୍ଥା ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମନମୁଖୀ ସରକାରୀ ଉତ୍ସରୁ ଜଳ ଉଠାଣ କରି ଉପଯୋଗ କରୁଥିବା ସିଏଜି ତାଙ୍କ ଅଡିଟ୍ ବେଳେ ଜାଣିବାକୁ ପାଇଛନ୍ତି। ଏହି ଅନିୟନ୍ତ୍ରିତ ଓ ବେଆଇନ ଜଳଉଠାଣ ଯୋଗୁ ରାଜସ୍ୱ କ୍ଷତି ସହ ରାଜ୍ୟର ଜଳସମ୍ପଦ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିବା ସିଏଜି ତାଙ୍କ ଡ୍ରାଫ୍ଟ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ରାଜ୍ୟର ମୋଟ ୧୪୫୪ଟି ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ବିନା ଫ୍ଲୋ ମିଟରରେ ସରକାରୀ ଉତ୍ସରୁ ଜଳ ଉପଯୋଗ କରୁଥିବାରୁ ରାଜ୍ୟ ସରକାରଙ୍କୁ ୪୬୩୪ କୋଟି ୨୦ଲକ୍ଷ ଟଙ୍କାରୁ ଅଧିକ ଜଳକର କ୍ଷତି ସହିବାକୁ ପଡ଼ିଛି । ରାଜ୍ୟର କେଉଁ ଜଳସମ୍ପଦ ଡିଭିଜନରେ କେଉଁ ସଂସ୍ଥା ଦ୍ୱାରା ଏଭଳି ଅନିୟମିତତା ହୋଇଛି ତା’ର ବିସ୍ତୃତ ତଥ୍ୟ ସିଏଜି ମଧ୍ୟ ବିଭାଗକୁ ଦେଇଛନ୍ତି ।

Advertisment


ସିଏଜିଙ୍କ ଏହି ଡ୍ରାଫ୍ଟ ଅଡିଟ୍ ରିପୋର୍ଟ ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇସିଆଇ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୫ତାରିଖରେ ମୁଖ୍ୟ ଯନ୍ତ୍ରୀ (ଜଳସେବା)କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ନିୟମ ଉଲ୍ଲଂଘନ ଓ ବିଭାଗୀୟ ଅବହେଳା


ଏଜି ତାଙ୍କ ଡ୍ରାଫ୍ଟ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ‘ଓଡ଼ିଶା ଜଳସେଚନ ନିୟମ, ୨୦୧୦\'ର ଧାରା ୨୩-କର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଫ୍ଲୋ ମିଟର ଲଗାଯାଇନଥିବାରୁ ଜଳ ବ୍ୟବହାର ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ, ଯାହା ରାଜ୍ୟର ଜଳ ସଂପଦର ଗୁରୁତର (Water Crisis ) ଅବକ୍ଷୟ ବା ହ୍ରାସ ପାଇଁ ଦାୟୀ । ଏହା ସରକାରୀ ପ୍ରଶାସନର ଦୁର୍ବଳତା ଏବଂ ଜଳକର ଆଦାୟରେ ବିଭାଗୀୟ ଅବହେଳାକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ତଥ୍ୟ ଦେଇଛନ୍ତି ଏଜି । ଉଦାହରଣସ୍ୱରୂପ ଶାଳପଦାସ୍ଥିତ ବୈତରଣୀ ଜଳସମ୍ପଦ ଡିଭିଜନ ଅଧୀନରେ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ସହ ବିନା ଚୁକ୍ତିନାମାରେ ଜଳଯୋଗାଣ ଜାରି ରହିଛି । ଯେଉଁଥିପାଇଁ ୯୬.୨୯ କୋଟି ଟଙ୍କାର ଜଳକର କ୍ଷତି ହୋଇଛି ।


ବକେୟା ଜଳକର ଆଦାୟ ପାଇଁ ସରକାର ଅନାଗ୍ରହୀ


ଇଏ ତ ଗଲା ଡ୍ରାଫ୍ଟ ଅଡିଟ୍ ରିପୋର୍ଟ , ଯେଉଁଥିରେ ବିନା ଫ୍ଲୋ ମିଟରରେ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକ ଜଳ ଉପଯୋଗ କରି କୋଟିକୋଟି ଟଙ୍କାର ରାଜସ୍ୱ ଫାଙ୍କୁଥିବା ନେଇ ଏଜି ଉଦବେଗ ବ୍ୟକ୍ତ କରିଛନ୍ତି ।
 
ମାତ୍ର ସେପ୍ଟେମ୍ବର ୧୮ତାରିଖରେ ରାଜ୍ୟ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ତଥା (CM Mohan Charan Majhi) ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଦର୍ଶାଇଥିଲେ ଯେ, ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ମୋଟ ୧୦୭୬୦ କୋଟି ୫୫ ଲକ୍ଷ ଟଙ୍କା ବକେୟା ଜଳକର ରହିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ବକେୟା  ପରିମାଣ ୪୯୧୪ କୋଟି ଟଙ୍କା ଥିବାବେଳେ, ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୫୭୬୭କୋଟି ଟଙ୍କା, ୨୦୨୨-୨୩ରେ ୭୪୭୧.୩୦କୋଟି ଟଙ୍କା ଓ ୨୦୨୩-୨୪ରେ ଏହା ୯୧୪୦.୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ଜଳକର ବକେୟା ପରିମାଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ସରକାର ସମ୍ପୃକ୍ତ ଶିଳ୍ପ ସଂସ୍ଥାଗୁଡ଼ିକଠାରୁ ନା ଜଳକର ଆଦାୟ କରୁଛନ୍ତି ନା ସେମାନେ ଜଳକର ପୈଠ କରିବାରେ ଆଗ୍ରହ ଦେଖାଉଛନ୍ତି । ଯାହାକି ରାଜସ୍ୱ ଆଦାୟରେ ସରକାରଙ୍କ ସିଧାସଳଖ ନିଷ୍କ୍ରିୟତାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ଜଳକର ବକେୟା ଉପରେ ବାର୍ଷିକ ୧୦% ହାରରେ ସୁଧ ଲଗାଇବା ପାଇଁ ନିୟମ ଥିଲେ ମଧ୍ୟ ଏତେ ବିପୁଳ ପରିମାଣର ଟଙ୍କା ବକେୟା ରହିବା ସାଧାରଣରେ ଚିନ୍ତାଜନକ ବିଷୟ ପାଲଟିଛି ।


ବକେୟା ଆଦାୟ ପାଇଁ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ


ବକେୟା ଜଳକର ଆଦାୟ କରିବା ଓ ଅନିୟମିତତାକୁ ରୋକିବା ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି । ଓଡ଼ିଶା ଜଳସମ୍ପଦ ଆଇନ-୧୯୫୯ର ରୁଲ-୧୯୬୧ ଅନ୍ତର୍ଗତ ସମ୍ପୃକ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅବା ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରା ଡିମାଣ୍ଡ ନୋଟିସ୍ ପଠାଯାଇ ବକେୟା ଜଳକର ଆଦାୟର ପ୍ରାବଧାନ ରହିଛି । ପ୍ରତିବର୍ଷ ଏପ୍ରିଲ ପହିଲାରୁ ବକେୟା ଜଳକର ଉପରେ ୧୦% ସୁଧ ହାରରେ ଏହି ବକେୟା ରାଶି ବୃଦ୍ଧି କରାଯିବାର ନିୟମ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନଙ୍କ ସଲାସୁତୁରା ଓ ସରକାରଙ୍କ(Odisha Government) ନିଷ୍କ୍ରିୟତା ଯୋଗୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ୁଥିବା ଚର୍ଚ୍ଚା ହେଉଛି ।

Odisha Government Water Crisis CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe