
ରାଜ୍ୟରେ ସାର୍ବଜନୀନ ପରିବହନ ବସଗୁଡ଼ିକର ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଯୋଗୁ ଯାତ୍ରୀମାନଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ଦେଖି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଜ୍ୟରେ ଚଳପ୍ରଚଳ କରୁଥିବା ସମସ୍ତ ବସଗୁଡ଼ିକର ସୁରକ୍ଷା ମାନଦଣ୍ଡକୁ ଯାଂଚ ସହ ବେଆଇନ ଡିଜାଇନ୍ ବା ନିର୍ମାଣକୁ ତୁରନ୍ତ ହଟାଇବା ଓ ଅଗ୍ନିନିର୍ବାପକ ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବେଆଇନ ଡିଜାଇନ୍ ପ୍ରସ୍ତୁତ କରୁଥିବା ବସ୍ ବଡି ନିର୍ମାତା ଓ ଏହାକୁ ପଞ୍ଜିକରଣର ଅନୁମତି ଦେଉଥିବା ପରିବହନ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।
ସମସ୍ତ ପ୍ରକାରର ସ୍ଲିପର କୋଚ୍ ବସଗୁଡ଼ିକୁ ତୁରନ୍ତ ଯାଂଚ କରି ସେଥିରେ ଥିବା ବେଆଇନ୍ ନିର୍ମାଣକୁ ହଟାଇବାକୁ କୁହାଯାଇଛି । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ଗୃହ ବିଭାଗ ପକ୍ଷରୁ ଏନେଇ ରାଜ୍ୟ ପରିବହନ ସଚିବ ଏବଂ ପୁଲିସ ଡିଜିଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଦୁଇ ସପ୍ତାହ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ ପାଇଁ ମଧ୍ୟ କୁହାଯାଇଛି ।
ବସ୍ ପାଲଟିଛନ୍ତି ମରଣଯନ୍ତା, ଯାଂଚ କଡ଼ାକଡ଼ି କରି ରିପୋର୍ଟ ଦିଅ
ରାଜ୍ୟ ଗୃହ ବିଭାଗ ପକ୍ଷରୁ ପରିବହନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି ବସଗୁଡ଼ିକର ସୁରକ୍ଷା ମାନଦଣ୍ଡ ଯାଂଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ମାନବାଧିକାର ଆୟୋଗ ଏକ ମାମଲାର ଶୁଣାଣି କରି ଓଡ଼ିଶା ସମେତ ସବୁ ରାଜ୍ୟକୁ ତୁରନ୍ତ ସାର୍ବଜନୀନ ପରିବହନରେ ସାମିଲ ବସଗୁଡ଼ିକର ତ୍ରୁଟିପୂର୍ଣ୍ଣ ଡିଜାଇନ୍ ହଟାଇବା ଓ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାପରେ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ଗୃହ ବିଭାଗର ଉପସଚିବ ରାଜକିଶୋର ରାଉତ ଲେଖିଥିବା ଚିଠି ଅନୁସାରେ, ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ (ସିଆଇଆରଟି)ଙ୍କ ସୁପାରିଶକୁ ତୁରନ୍ତ ଲାଗୁ କରିବା ସହ ମୁଖ୍ୟତଃ ୩ଟି ଦିଗ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଚଳପ୍ରଚଳ କରୁଥିବା ସମସ୍ତ ସ୍ଲିପର କୋଚ ବସର ଯାଂଚ କରି ସେଥିରେ ଥିବା ତ୍ରୁଟି ସଂଶୋଧନ କରିବା, ବାଧ୍ୟତାମୂଳକ ଏଫଡିଏସଏସ (ଅଗ୍ନି ନିରୋଧକ ବ୍ୟବସ୍ଥା) ଲଗାଇବା ଓ ବେଆଇନ ନିର୍ମାଣ ଢାଂଚାକୁ ହଟାଇବା, ବସଗୁଡ଼ିକର ବଡ଼ି ନିର୍ମାତାଙ୍କର ପ୍ରମାଣପତ୍ର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଆଇଏସ-୦୫୨ ଓ ଏଆଇଏସ-୧୧୯ର ମାନଦଣ୍ଡ ଆଧାରରେ ବସଗୁଡ଼ିକର ଯାଂଚ ନିମନ୍ତେ କୁହାଯାଇଛି ।
ସେହିପରି କେନ୍ଦ୍ରୀୟ ମୋଟର ଯାନ ନିୟମ(ସିଏମଭିଆର) ଓ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ(ଏଆଇଏସ)ର ଉଲ୍ଲଘଂନ କରୁଥିବା ବସ୍ ନିର୍ମାତା ଓ ପରିବହନ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ସହ ଯେଉଁ ଅଫିସରମାନେ ନିୟମକୁ ଅଣଦେଖା କରି ଫିଟନେସ୍ ପ୍ରମାଣପତ୍ର ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ପରିବହନ କର୍ତ୍ତୃପକ୍ଷ ଓ ବଡ଼ି ନିର୍ମାତାଙ୍କ ଅବହେଳା ଯୋଗୁଁ ଦୁର୍ଘଟଣାର ଶିକାର ହେଉଥିବା ପୀଡ଼ିତ ଓ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏଫଡିଏସଏସ ଓ ଏର୍ମଜେନ୍ସି ଏକଜିଟ୍ ବାଧ୍ୟତାମୂଳକ,ନଚେତ୍ ପଞ୍ଜିକରଣ ରଦ୍ଦ
ଏନଏଚଆରସିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଗୃହ ବିଭାଗ ପଦକ୍ଷେପ ନେଇ ତୁରନ୍ତ ସିଆଇଆରଟିଙ୍କ ସମସ୍ତ ସୁପାରିଶକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାସ୍ତାରେ କୌଣସି ବିପଦପୂର୍ଣ୍ଣ ବସ୍ ଚାଲିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିବା ସହ ସମସ୍ତ ସ୍ଲିପର କୋଚ୍ ବସରେ ଏଫଡିଏସଏସ(ଅଗ୍ନି ନିର୍ବାପକ ବ୍ୟବସ୍ଥା) ଲଗାଇବା, ଡ୍ରାଇଭର କ୍ୟାବିନରୁ ପାର୍ଟିସନ ଦ୍ୱାର ଓ ବର୍ଥରୁ ବେଆଇନ ସ୍ଲାଇଡର ହଟାଇବା ବାଧ୍ୟତାମୂଳକ କରାଯାଇଛି । ଯଦି ବସରେ ପର୍ଯ୍ୟାପ୍ତ ଜରୁରୀକାଳୀନ ଦ୍ୱାର(ଏର୍ମଜେନ୍ସି ଏକଜିଟ) ନାହିଁ କିମ୍ବା ୧୦ କେଜିର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ, ତେବେ ତୁରନ୍ତ ସେହି ବସର ପଞ୍ଜିକରଣ ରଦ୍ଦ କରାଯିବ । ସ୍ଲିପର କୋଚ୍ ବସଗୁଡ଼ିକରେ ମନଇଚ୍ଛା ଶୋଇବା ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ନିୟମ ଭାଙ୍ଗୁଥିବା ବସ୍ ମାଲିକଙ୍କ ସମେତ ବଡି ନିର୍ମାତା ଓ ଆରଟିଓ ଅଫିସରଙ୍କ ବିରୋଧରେ ‘ଅପରାଧିକ ଅବହେଳା' ପାଇଁ ଫୌଜଦାରୀ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜି ଓ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ପରିବହନ ଅଫିସରମାନେ ନିୟମ ଖିଲାପ କରି ବସଗୁଡ଼ିକୁ ଫିଟନେସ୍ ପ୍ରମାଣପତ୍ର କିମ୍ବା ପଞ୍ଜିକରଣ ଅନୁମତି ଦେଉଛନ୍ତି, ସେମାନଙ୍କୁ ବ୍ୟକ୍ତିଗତ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ବସ୍ ବଡି ନିର୍ମାତାମାନଙ୍କ ମାନ୍ୟତା (ଆର୍କିଡେସନ୍ ଓ ପ୍ରମାଣପତ୍ର) କଡ଼ାକଡ଼ି ଯାଂଚ କରିବା ଏବଂ ବେଆଇନ ଭାବେ ଚେସିସର ଲମ୍ବ ବୃଦ୍ଧି କରିଥିବା ବସଗୁଡ଼ିକର ଚଳପ୍ରଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଥିବା ବସ୍ ମାଲିକ, ନିର୍ମାତା ଓ ପରିବହନ ଅଫିସରମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏନଏଚଆରସି ତାଗିଦ୍ କରିଛନ୍ତି ।
ପୁଲିସକୁ ଚେକିଂ ଦାୟିତ୍ୱ, ବେଆଇନ ଢ଼ାଂଚାରେ ଚାଲୁଛି ମାଳମାଳ ବସ୍
ରାଜ୍ୟରେ ଚଳପ୍ରଚଳ କରୁଥିବା ବସଗୁଡ଼ିକର ସୁରକ୍ଷା ମାନଦଣ୍ଡ ଯାଂଚ ପାଇଁ ପୁଲିସ ଡିଜି ଓ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ କେବଳ ଘରୋଇ ବସଗୁଡ଼ିକ ନୁହେଁ ଓଏସଆରଟିସି ହେଉ ଅବା ପୁଲିସ ବିଭାଗରେ ଚଳପ୍ରଚଳ କରୁଥିବା ଅଧିକାଂଶ ବସଗୁଡ଼ିକରେ ବେଆଇନ ଢ଼ାଂଚାରେ ନିର୍ମାଣ ହୋଇଥିବା ଜଣାପଡ଼ିଛି । ପ୍ରତ୍ୟେକ ବସଗୁଡ଼ିକ ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ-୧୯୮୯ ଅନ୍ତର୍ଗତ ଫର୍ମ-୨୨(ପାର୍ଟ ୧ ଓ ୨)କୁ ଅନୁପାଳନ କରିବା ଜରୁରୀ ଥିବାବେଳେ ମନଇଚ୍ଛା ବସ୍ ବଡ଼ି ନିର୍ମାତାମାନେ ସାମଗ୍ରିକ ନିରାପତ୍ତାକୁ ଉଲ୍ଳଘଂନ କରିଛନ୍ତି ଓ ପରିବହନ ଅଫିସରମାନେ ବି ଏହାକୁ ଅଣଦେଖା କରି ଫିଟନେସ ଓ ପଞ୍ଜିକରଣ ପ୍ରମାଣପତ୍ର ଦେଉଛନ୍ତି ।
ରାଜ୍ୟ ପୁଲିସ ବିଭାଗରେ ଏଭଳି ଅଧିକାଂଶ ବସଗୁଡ଼ିକୁ କଟକର ଜଗତପୁରସ୍ଥିତ ବଡ଼ି ନିର୍ମାତା ସଂସ୍ଥାରେ ପ୍ରସ୍ତୁତ କରାଯାଇଛି । ଯାହାକି ଏହି ନିରାପତ୍ତା ବ୍ୟବସ୍ଥାରେ ଉଲ୍ଲଘଂନ ବୋଲି ଜଣାପଡ଼ିଛି । ସେହିପରି ଅନୁରୂପ ଅବସ୍ଥା ମଧ୍ୟ ଓଡ଼ିଶା ସଡ଼କ ପରିବହନ ନିଗମରେ ଚାଲୁଥିବା ସ୍ଲିପର କୋଚଗୁଡ଼ିକର । ରାଜ୍ୟ ସରକାରଙ୍କ ଓଏସଆରଟିି ଅଧୀନରେ ଏବେ ପ୍ରାୟ ଦୁଇହଜାର ବସ୍ ରହିଛି, ଯେଉଁଥିରୁ ପ୍ରାୟ ୧୪୦୦ଟି ବସ୍ ଗ୍ରାମାଂଚଳରେ ଓ ୬୦୦ରୁ ଅଧିକ ବସ୍ ଆନ୍ତଃ-ଜିଲ୍ଲା ଓ ଆନ୍ତଃ-ରାଜ୍ୟ ପରିବହନ ପାଇଁ ବ୍ୟବହୃତ ହେଉଛି । ସେହିପରି ରାଜ୍ୟରେ ପ୍ରାୟ ୩୬ହଜାରରୁ ଅଧିକ ଘରୋଇ ବସ୍ ମଧ୍ୟ ଚଳାଚଳ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ହରିୟାଣାର ସୁଶୀଲ କୁମାର ବର୍ମାଙ୍କ ଅଭିଯୋଗ ଆଧାରରେ ଯାତ୍ରୀବାହୀ ବସଗୁଡ଼ିକର ଡିଜାଇନ ଓ ଆଭ୍ୟନ୍ତରୀଣ ଢ଼ାଂଚାରେ ବେଆଇନ ଭାବେ ହୋଇଥିବା ପରିବର୍ତ୍ତନକୁ ନେଇ ଜାତୀୟ ମାନବାଧିକାର କମିଶନ ଉଦବେଗ ବ୍ୟକ୍ତ କରିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏନେଇ ତୁରନ୍ତ ସିଆଇଆରଟିଙ୍କ ସୁପାରିଶକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ସରକାରୀ ଓ ଘରୋଇ ବସ୍ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ଜୀବନ ଯାଉଥିବାବେଳେ ରାଜ୍ୟ ସରକାରଙ୍କ ଏଭଳି କଡ଼ା ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ସମସ୍ତଙ୍କ ନଜର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
