ଅନୁଗୋଳ (ବିରଜା ଦାସ): ବାଘୁଣୀ ସୁନ୍ଦରୀକୁ ନେଇ ଅନୁଗୋଳ କଞ୍ଜରାରେ ହିଂସା ଘଟଣାରେ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ୍। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରୁ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି। ଭାଗିରଥୀଙ୍କ ଗିରଫ ପରେ ଗିରଫଦାରୀ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।
ଗତ ୨୧ ତାରିଖରେ ସୁନ୍ଦରୀ ଆକ୍ରମଣରେ ଟାଇଁସି ଗାଁର ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ତ୍ରିନାଥଙ୍କ ମୃତଦେହ ରାସ୍ତାରେ ରଖି କ୍ଷତିପୂରଣ ଓ ସୁନ୍ଦରୀକୁ ହଟାଇବା ଦାବିରେ ରାସ୍ତାରୋକ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ ଓ ପୁଲିସ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ଲୋକଙ୍କ ପଥର ମାଡ଼ରେ ୩ ଜଣ ପ୍ରଶାସନିକ ଅଧିକାରୀ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ୍କୁ ମୃଦୁ ଲାଠିଚାଳନା ଓ ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା।
ପୁଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଭାଗିରଥୀଙ୍କୁ ଗିରଫ କରାଯାଇଛି। ସେହିପରି ଗତ ସେପ୍ଟେମ୍ବର ୧୨ ତାରିଖରେ ହାତୀବାରି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସ୍ ଓ ଟିକରପଡ଼ା ରେଞ୍ଜ କାର୍ଯ୍ୟାଳୟରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ମଧ୍ୟ ଭାଗିରଥୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।