Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ଆସିଥିଲେ ୩ ନର୍ସିଂ ଛାତ୍ରୀ

ଘରୋଇ ଶିକ୍ଷାନୁଷ୍ଠାନର ଅନ୍ୟାୟ ଯୋଗୁ ପରୀକ୍ଷା ଦେଇପାରି ନଥିବା ୩ ନର୍ସିଂ ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଆତ୍ମାହୁତି ଦେବାକୁ ନେଇ ଆସିଥିଲେ ପେଟ୍ରୋଲ ଓ ଦିଆସିଲି।

author-image
Niranjan Mishra
ଅଦ୍ୟତନ ହୋଇଛି
students strike in front of the District Collector's office

students strike in front of the District Collector's office

ଘରୋଇ ଶିକ୍ଷାନୁଷ୍ଠାନର ଅନ୍ୟାୟ ଯୋଗୁ ପରୀକ୍ଷା ଦେଇପାରି ନଥିବା ୩ ନର୍ସିଂ ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଆତ୍ମାହୁତି ଦେବାକୁ ନେଇ ଆସିଥିଲେ ପେଟ୍ରୋଲ ଓ ଦିଆସିଲି। ସେମାନେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ବେଳେ ଲୁଚାଇ ରଖିଥିଲେ ଏହି ପେଟ୍ରୋଲ ଓ ଦିଆସିଲି। ତେବେ କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ଧାରଣାସ୍ଥଳରେ ପହଞ୍ଚି କୌଶଳ କ୍ରମେ ଏହି ସାମଗ୍ରୀକୁ ଜବତ କରିଛି।

Advertisment

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଠାରେ ଏକ ଘରୋଇ ନର୍ସିଂ ସ୍କୁଲ ରହିଛି । ଏହି ତିନି ଛାତ୍ରୀ ସେହି ସ୍କୁଲରେ ପାଠ ପଢ଼ୁଥିବା ବେଳେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ସେମାନେ ସ୍କୁଲର ସମସ୍ତ ଫିସ ଦେଇଥିବା ବେଳେ ସେମାନଙ୍କୁ ପରୀକ୍ଷା ଦେବାକୁ କୁହାଯାଇଥିଲା । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେମାନଙ୍କ ଆଡ଼ମିଟ କାର୍ଡ ନକଲି ବୋଲି କୁହାଯାଗଲା। ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଗଲା। ସେମାନେ ଏନେଇ ସ୍କୁଲର ଚେୟାରମ୍ୟାନ ଓ ଅନ୍ୟମାନଙ୍କୁ ଅଭିଯୋଗ କରିଥିଲେ। ହେଲେ ଚେୟାରମ୍ୟାନ ଗାଳିଗୁଲଜ କରିବାରୁ ଏହା ବିରୁଦ୍ଧରେ ସେମାନେ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ନ ମିଳିବାରୁ ସେମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଜିଲ୍ଲାପାଳ ନ୍ୟାୟ ନ ଦେଲେ ସେମାନେ ଆତ୍ମହୁତି ଦେବାକୁ ପ୍ରସ୍ତୁତ ହୋଇ ଆସିଥିବା ପୁଲିସ ସୂଚନା ପାଇଥିଲା। ଚଢ଼ାଉ କରି ଛାତ୍ରୀମାନଙ୍କ ବ୍ୟାଗରୁ ୨ ବୋତଲ ପେଟ୍ରୋଲ ଜବତ କରିଥିଲା।

ଛାତ୍ରୀ ପ୍ରିୟଙ୍କା ନାଏକ କହିଛନ୍ତି, ବହୁ ଟଙ୍କା ଖର୍ଚ୍ଚ କରି ଏହି ଘରୋଇ ନର୍ସିଂ ସ୍କୁଲରେ ପାଠପଢ଼ିଥିଲେ। ହେଲେ ସେମାନଙ୍କୁ ପରୀକ୍ଷା ଦେବାକୁ ଦିଆଗଲାନି। ଅଭିଯୋଗ କରିବାରୁ ନର୍ସିଂ ସ୍କୁଲର ମୁଖ୍ୟ ଜାତିଆଣ ଅକ୍ଷେପ କଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି। ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ ହେଁ ସେମାନଙ୍କୁ ନ୍ୟାୟ ମିଳିଲାନି। ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବା ଓ ସେମାନଙ୍କ ପ୍ରତି ଅନ୍ୟାୟ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ହେଲେ ନ୍ୟାୟ ମିଳୁ ନ ଥିବାରୁ ଆତ୍ମାହୁତି କରିବାକୁ ପ୍ରସ୍ତୁତି କରି ଆସିଥିବା ପ୍ରିୟଙ୍କା କହିଛନ୍ତି।

Advertisment

ଛେଣ୍ଡିପଦା ଆମ୍ବେଦକର ଫାଉଣ୍ଡେସନର ସଭାପତି ଉଦ୍ୟନାଥ ବେହେରା କହିଛନ୍ତି, ଛାତ୍ରୀମାନେ ଛେଣ୍ଡିପଦାର ଯେଉଁ ନର୍ସିଂ କଲେଜରେ ପାଠପଢ଼ୁଥିଲେ। ଚଳିତ ବର୍ଷ ଏଠାରେ ପାଠପଢ଼ୁଥିବା ୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସାଧାରଣ ବର୍ଗର ୧୪ ଜଣଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଗଲା। ୭ ଜଣ ଏସ୍‌/ଏସ୍‌ଟି ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ଏହି ଛାତ୍ରୀମାନେ ସ୍କୁଲର ଚେୟାରମ୍ୟାନଙ୍କୁ କାହିଁକି ପରୀକ୍ଷା ଦେଇପାରିବୁନି ବୋଲି ପଚାରିଥିଲେ। ହେଲେ ସ୍କୁଲର ଚେୟାରମ୍ୟାନ୍‌ ଏହି ଛାତ୍ରୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି କ୍ୟାମ୍ପସରୁ ବାହାର କରିଦେଇଥିଲେ। ଏହାପରେ ଛାତ୍ରୀମାନେ ଛେଣ୍ଡିପଦା ଥାନା ଓ ଅନୁଗୋଳ ସଦର ଥାନାରେ ପହଞ୍ଚି ଏ ବାବଦରେ ଅଭିଯୋଗ କରିଥିଲେ। ଏହି ଏତଲାକୁ ୩ ମାସ ବିତିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି। ଛାତ୍ରୀମାନେ ଏ ବାବଦରେ ବହୁବାର ଜିଲ୍ଲାପାଳଙ୍କୁ ଜନଅଭିଯୋଗ ଶୁଣାଣିରେ ଦେଖାକରି ଗୁହାରି ଜଣାଇଛନ୍ତି। ଏହାଛଡ଼ା ଏସ୍‌ପିଙ୍କୁ ଦେଖା କରି ଅଭିଯୋଗ ଜଣାଇଛନ୍ତି। ହେଲେ ନ୍ୟାୟ ନ ମିଳିବାରୁ ଛାତ୍ରୀମାନେ ଆମରଣ ଅନଶନରେ ବସିଛନ୍ତି। ଦୁଇବର୍ଷ ପାଠପଢ଼ାରେ ପ୍ରତ୍ୟେକ ଛାତ୍ରୀ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଓ କଠିନ ପରିଶ୍ରମ କରି ପାଠପଢ଼ିଛନ୍ତି। ହେଲେ ସେମାନଙ୍କୁ କିଛି ବି ଫଳ ମିଳିଲାନି। ତେଣୁ ଛାତ୍ରୀମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପରୀକ୍ଷା ଦେବାର ସୁଯୋଗ ଦେବା ଓ କ୍ଷତିପୂରଣ ଦେବା ଦାବି କରି ଆମରଣ ଅନଶନରେ ବସିଛନ୍ତି। ଉକ୍ତ ନର୍ସିଂ ସ୍କୁଲ ବେଆଇନ ଭାବେ ହୋଇଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ କହିଛନ୍ତି।

Student Protest