Advertisment

ମାଟ୍ରିକରେ ୯୦ପ୍ରତିଶତ ନମ୍ବର ରଖିଲେ ସ୍ୱାତୀ, ଗୁରୁଜୀ କହିଲେ- ଆକାଶରୁ ତାରା ଖସିବା ଭଳି ସେ ଚାଲିଗଲେ

ସେ ଅନୁଗୋଳ ଗାନ୍ଧିମାର୍ଗ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଥିଲେ ଦଶମ ଶ୍ରେଣୀର ଛାତ୍ରୀ।

author-image
Niranjan Mishra
ଅଦ୍ୟତନ ହୋଇଛି
Swati Surachita jena

Swati Surachita jena

ସ୍ୱାତୀ ସୁଚରିତା ଜେନା। ମାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତ ନମ୍ବର ରଖିଛନ୍ତି। ହେଲେ ଖୁସି ମନାଇବାକୁ ସେ ନାହାନ୍ତି।

Advertisment

ସେ ଅନୁଗୋଳ ଗାନ୍ଧିମାର୍ଗ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଥିଲେ ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଅଞ୍ଚଳରେ। ସେ ଥିଲେ ବାପା ମା’ଙ୍କର ଏକମାତ୍ର ଅଲିଅଳି ଝିଅ। ବାପା ଅଭିରାମ ଜେନା ଅନୁଗୋଳ ସହରରେ ଏକ ଘରୋଇ ଅନୁଷ୍ଠାନରେ ଚାକିରି କରୁଥିଲେ। ତେଣୁ ଅନୁଗୋଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ଵାତୀଙ୍କ ପାଠପଢ଼ା ହେଉଥିଲା। ସ୍ୱାତୀ ଥିଲେ ସ୍ୱାଭାବରେ ଶାନ୍ତ, ନମ୍ର ଓ ଅମାୟିକ। ପାଠରେ ଥିଲେ ଧୂରନ୍ଧର। ଦଶମ ପରୀକ୍ଷାରେ ଭଲ କରିବା ପାଇଁ ଚଳାଇଥିଲେ ଜୋରଦାର ପ୍ରସ୍ତୁତି। ମାଟ୍ରିକ୍ ପରୀକ୍ଷାରେ ବି ଭଲ କରିଥିଲେ ଏବଂ ୬୦୦ ମାର୍କରୁ ୫୦୦ରୁ ଉର୍ଦ୍ଧ୍ୱ ନମ୍ବର ଆସିବ ବୋଲି ଆଶା ରଖିଥିଲେ।

ମାର୍ଚ୍ଚ ୨୦ରେ ପରୀକ୍ଷା ସରିଥିଲା। ପରୀକ୍ଷା ଶେଷ ହେବାର କିଛିଦିନ ପରେ ସେ ବାପା ମା’ଙ୍କ ସହିତ ମାମୁଁ ଘରକୁ ବାହାରି ଯାଇଥିଲେ। କିନ୍ତୁ, କିଏ ଜାଣିଥିଲା ମାମୁଁ ଘର ବୁଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ବୋଲି।

Advertisment
Swati with her parents. ବାପା, ମା’ଙ୍କ ସହ ସ୍ୱାତୀ ଓ ସେ ରଖିଥିବା ନମ୍ବର

ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାତୀଙ୍କ ମୃତ୍ୟୁ ହୋଇଥିଲା। ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି। ସ୍ଵାତୀଙ୍କ ପରିଶ୍ରମ ମୁତାବକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ମିଳିଛି। ଅନୁଗୋଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୩ ଜଣ ଏ-୧ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱାତୀଙ୍କ ନାଁ ଆସିଛି। କିନ୍ତୁ, ଏ ଖୁସି ମନାଇବା ପାଇଁ ସ୍ଵାତୀ ନାହାନ୍ତି।

ମାଟ୍ରିକ ପରୀକ୍ଷାରେ ତାଙ୍କ କୃତିତ୍ୱକୁ ଦେଖି ପରିବାର ବର୍ଗ, ଗୁରୁଜୀ, ଗୁରୁମା ଓ ସହପାଠୀମାନେ ସ୍ୱାତୀଙ୍କୁ ମନେ ପକାଇଛନ୍ତି ଓ ଦୁଃଖରେ ମ୍ରିୟମାଣ ହୋଇ ପଡୁଛନ୍ତି।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ କହିଛନ୍ତି, ସ୍ୱାତୀ ଖୁବ୍ ଭଦ୍ର ଓ ପାଠପଢ଼ାରେ ଅତି ଉତ୍ତମ। ତାଙ୍କ ଅନୁପସ୍ଥିତି ସମସ୍ତେ ଅନୁଭବ କରୁଛନ୍ତି। କଠିନ ପରିଶ୍ରମ କେବେ ବୃଥା ଯାଏନା। ତାଙ୍କ ଠାରୁ ଅନେକ ଛାତ୍ରଛାତ୍ରୀ ସହଯୋଗ ଓ ପ୍ରେରଣା ପାଇଛନ୍ତି।

ଗୁରୁଜୀ ଦୁର୍ଯ୍ୟୋଧନ ବାରିକ କହିଛନ୍ତି, ଆକାଶରୁ ତାରା ଖସିଲା ଭଳି ସେ ହଠାତ୍ ସମସ୍ତଙ୍କ ଗହଣରୁ ଚାଲି ଯାଇଛନ୍ତି। ଯାହାକୁ ନେଇ ସମସ୍ତେ ଦୁଃଖି। ସମସ୍ତେ ତାଙ୍କର ଅନୁପସ୍ଥିତି ଅନୁଭବ କରୁଛନ୍ତି।

ସହପାଠୀ ଆଦ୍ୟାଶା ସୁନ୍ଦର ରାୟ କହିଛନ୍ତି, ଆମ ସ୍କୁଲରୁ ଚଳିତ ବର୍ଷ ୧୩ ଜଣ ଏ୧ ପାଇଛନ୍ତି। ଯାହା ଭିତରେ ସ୍ୱାତୀ ମଧ୍ୟ ଥିଲେ। ସେ ପାଠପଢ଼ାରେ ଅନ୍ୟ ସହପାଠୀମାନଙ୍କୁ ସାହାଯ୍ୟ କରନ୍ତି। ଆମ ସାଙ୍ଗରେ ସଦାବେଳେ ଥିବା ଏହି ସାଙ୍ଗ ନ ଥିବା ଭାବି ବହୁତ ଦୁଃଖ ଲାଗୁଛି।

Matric Result Bad News Anugul