Advertisment

ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ ଏହି ଦୁଇ ମହିଳା।

ଅଦ୍ୟତନ ହୋଇଛି
Elephant

Elephant

Advertisment

ଅନୁଗୋଳ ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।

Advertisment

ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି। ତା’ସହିତ ଏହି ଦନ୍ତାକୁ ସେ ଅଞ୍ଚଳରୁ ଘଉଡ଼ାଇବାକୁ ଗାଁ ଲୋକେ ଦାବି କରିଛନ୍ତି। ଏହି ଘଟଣା ପାଇଁ ଲୋକେ ସିଧାସଳଖ ବନ ବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତ ମହିଳା ଦ୍ୱୟଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଏହା ପୂର୍ବରୁ ଏପ୍ରିଲ ୧୮ ତାରିଖରେ ଅନୁଗୋଳ ବନଖଣ୍ଡର କନ୍ତମେଘ ଗାଁରେ ହାତୀ ଆକ୍ରମଣରେ ରାମ ସାହୁ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଆଜି ବଡ଼କନ୍ତକୁଳ ଗାଁରେ ଯେଉଁ ଦନ୍ତା ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି ସେହି ଦନ୍ତା ସେଦିନ ସେହି ବୃଦ୍ଧଙ୍କୁ ମଧ୍ୟ ମାରିଥିଲା ବୋଲି କୁହାଯାଉଛି।

ରାଜ୍ୟରେ ହାତୀ ମଣିଷ ଲଢ଼େଇ ଜାରି ରହିଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ କେତେବେଳେ ମଣିଷ ହାତରେ ଯାଉଛି ହାତୀର ଜୀବନ। ୨୦୧୨ରୁ ୨୦୨୨ ମସିହା ମଧ୍ୟରେ ଅର୍ଥାତ୍ ଏହି ୧୦ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ ୯୨୫ ଜଣ ଜୀବନ ଯାଇଛି। ଗତ ମାର୍ଚ୍ଚ ମାସରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ। ସେହିଭଳି ଏହି ୧୦ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।

Elephant Attack Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe