୫ ପରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସେପ୍ଟେମ୍ବର ମାସ ପାଇଁ ପାଣିପାଗ ଆକଳନ ଅବସରରେ ଏହି ପୂର୍ବାନୁମାନ କରିଛି ଆଇଏମ୍‌ଡି। ସେହିପରି ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଦୁର୍ବଳ ମୌସୁମୀ ଜାରି ରହିବ […]

rain1

  • Published: Thursday, 01 September 2022
  • , Updated: 01 September 2022, 07:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସେପ୍ଟେମ୍ବର ମାସ ପାଇଁ ପାଣିପାଗ ଆକଳନ ଅବସରରେ ଏହି ପୂର୍ବାନୁମାନ କରିଛି ଆଇଏମ୍‌ଡି। ସେହିପରି ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଦୁର୍ବଳ ମୌସୁମୀ ଜାରି ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ତେବେ ୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୪ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା

୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେଥିପାଇଁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ନେଇ ୧୦ଟି ଜିଲ୍ଲା- କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Related story