Advertisment

KISS ରେ ପୁଣି ଛାତ୍ରମୃତ୍ୟୁ: ପୁଅ ଆତ୍ମହତ୍ୟା କରିନି, ପିତାଙ୍କ ସାଂଘାତିକ ଅଭିଯୋଗ ପରେ ବଢ଼ିଲା ରହସ୍ୟ

ଦିନକ ପୂର୍ବରୁ ମା’ ସହ ବହୁ ସମୟ ଧରି ଖୁସିରେ କଥା ହୋଇଥିବା ଓ ତାଙ୍କ ପୁଅ କେବେବି ଆତ୍ମହତ୍ୟା କରିପାରିବ ନାହିଁ, ନିଶ୍ଚିତ ଭାବେ ମୃତ୍ୟୁ ପଛରେ କିଛି ରହସ୍ୟ ଲୁଚିଛି ବୋଲି ପିତା ଗୋବିନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

author-image
Prakaash Sethi
KISS

ପୁଣି ବିବାଦରେ KISS । ମାତ୍ର ୩ମାସ ନପୁରୁଣୁ ପୁଣିଥରେ ଛାତ୍ରମୃତ୍ୟୁ ଅଭିଯୋଗ। ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ (କିସ୍ ) ଆବାସିକ ଶିକ୍ଷାନୁଷ୍ଠାନ ପରିସରରେ ଯୁକ୍ତ ଦୁଇ ଛାତ୍ର ଚନ୍ଦନ ଶବରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ କିସ୍ କର୍ତ୍ତୃପକ୍ଷ ପୁଣି ବିବାଦଘେରରେ। ମୃତଛାତ୍ରଙ୍କ ପିତା ଗୋବିନ୍ଦ ଶବର ଏହାକୁ ଆତ୍ମହତ୍ୟା ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରିଛନ୍ତି। ଦିନକ ପୂର୍ବରୁ ମା’ ସହ ବହୁ ସମୟ ଧରି ଖୁସିରେ କଥା ହୋଇଥିବା ଓ ତାଙ୍କ ପୁଅ କେବେବି ଆତ୍ମହତ୍ୟା କରିପାରିବ ନାହିଁ, ନିଶ୍ଚିତ ଭାବେ ମୃତ୍ୟୁ ପଛରେ କିଛି ରହସ୍ୟ ଲୁଚିଛି ବୋଲି ପିତା ଗୋବିନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Advertisment


୩ଫୁଟିଆ ଖଟରେ ଜୀବନ ହାରିବା ସମ୍ଭବ ନୁହେଁ: ମୃତ ଛାତ୍ରଙ୍କ ପିତା

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁର୍ଲାପଡ଼ା ଗ୍ରାମର ଚନ୍ଦନ ଶବର କହିଛନ୍ତି ଯେ, “ମୋ ପୁଅ ଯେଉଁ ଖଟରେ ଶୋଉଥିଲା ତାହା ମାତ୍ର ୩ ଫୁଟ ଉଚ୍ଚର। ଏତେ କମ୍ ଉଚ୍ଚତାର ଗୋଟିଏ ଖଟରୁ ଜୀବନ ହାରିବା ଆଦୌ ସମ୍ଭବ ନୁହେଁ। ପୁଅର ଶରୀର ଖଟ ଉପରେ ଥିବାବେଳେ ସେ କିପରି ପ୍ରାଣ ହରାଇଲା, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ଦିନ ତାଙ୍କୁ ଜଣେ ଶିକ୍ଷକ ଫୋନ କରି ଚନ୍ଦନ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ, ମାତ୍ର କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ନେଲା ସେ ନେଇ କିଛି ସନ୍ତୋଷଜନକ ଉତ୍ତର ଦେଇନଥିଲେ ବୋଲି ଗୋବିନ୍ଦ କହିଛନ୍ତି।


“କହିଥିଲି ମୁଁ ଗଲେ ମୋ’ ପୁଅକୁ ଓହ୍ଲାଇବ, କିନ୍ତୁ ସେମାନେ ଶୁଣିଲେନି”

ଗୋବିନ୍ଦ ଶବର ତେଲେଙ୍ଗାନାରେ ଦାଦନ ଶ୍ରମିକ ଭାବେ କାମ କରନ୍ତି ଓ ଏହି ଅଘଟଣ ଖବର ପାଇବା ପରେ ସେ କିସ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ।

Advertisment

ଗଣମାଧ୍ୟମକୁ କୋହଭରା କଣ୍ଠରେ କହିଛନ୍ତି, “ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ନପହଂଚିବା ଯାଏଁ ମୋ ପୁଅ ଦେହକୁ ଛୁଇଁବନି କି ତଳକୁ ଓହ୍ଲାଇବନି। ମୁଁ ପହଂଚିଲେ ମୋ ପୁଅକୁ ନିଜ ହାତରେ ଓହ୍ଲାଇଥାନ୍ତି। କିନ୍ତୁ ମୁଁ ପହଂଚିବା ପୂର୍ବରୁ ସେମାନେ ତରବରିଆ ଭାବେ ଶବକୁ ତଳକୁ ଓହ୍ଲାଇ ଦେଇଥିଲେ। ଏହା ପ୍ରମାଣ ନଷ୍ଟ କରିବାର ଏକ ହୀନପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି।

“ଦିନକ ପୂର୍ବରୁ ମା’ ସହ ଗପିଛି,ମାନସିକ ଚାପରେ ନଥିଲା”

ଚନ୍ଦନ ମାନସିକ ଚାପରେ ଥିଲା ବୋଲି ଅଭିଯୋଗକୁ ତାଙ୍କର ପିତା ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି।  ଗଣମାଧ୍ୟମକୁ ଗୋବିନ୍ଦ କହିଛନ୍ତି ଯେ, ତାଙ୍କ ପୁଅ କୌଣସି ମାନସିକ ଚାପରେ ନଥିଲା। ମୃତ୍ୟୁ ପୂର୍ବଦିନ ହିଁ ତା' ମା’ ସହ ବହୁ ସମୟ ଧରି ସେ ହସି ହସି କଥା ହୋଇଥିଲା। ସେଭଳି କୌଣସି ଅସୁବିଧାରେ ଥିବା କି ଚାପରେ ଥିବାର ଚିହ୍ନବର୍ଣ୍ଣ ନଥିଲା । ତେଣୁ ସେ ନିଜ ଜୀବନ ନିଜେ ହାରିବାର କୌଣସି କାରଣ ହିଁ ନଥିଲା । ବଢ଼ିଲା ପୁଅକୁ ହରାଇଥିବା ପିତା ଗୋବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ ମସିହାରୁ ପୁଅକୁ ସେ କିସରେ ଛାଡ଼ିଥିଲେ ଓ ପୁଅ ପାଠ ପଢ଼ି ବଡ଼ ହେଲେ ତାଙ୍କର ଦୁଃଖ ଦୂର ହେବ। କିନ୍ତୁ ଆଜି ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି ବୋଲି କହିଛନ୍ତି। କେବଳ ଉଚିତ୍ ତଦନ୍ତ ହେଲେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ସନ୍ଦେହଘେରରେ ପୁଲିସ ତଦନ୍ତ ଓ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ

ଏହି ଘଟଣା ପରେ ଇନଫୋସିଟି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ପିତାଙ୍କ ଜିଦ୍ ଓ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଏହି ମୃତ୍ୟୁ ବେଶ୍ ରହସ୍ୟଜନକ ମନେ ହେଉଛି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ଫୋରେନ୍ସିକ ଟିମ ଯାଚଂ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଥିଲେ ମଧ୍ୟ ବିଗତ ଦିଗରେ ‘କିସ୍‌’ ଓ ‘କିଟ୍‌’ ପରିସରରେ ପ୍ରାଣ ହରାଉଥିବା ଛାତ୍ରଛାତ୍ରୀଙ୍କ ମୃତ୍ୟୁର ବାସ୍ତବ କାରଣ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆଣିବାରେ ପୁଲିସ ସଫଳ ହୋଇନଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି । ବିଗତ ଦୁଇମାସ ତଳେ (Achyuta Samanta KISS) କିସ ପରିସରରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ସନ୍ଦେହଘେରରେ ରହିଛି। ରାଜ୍ୟ ସରକାର, ଜାତୀୟ ମାନବାଧିକାର ଆୟୋଗ, ଜାତୀୟ ଅନୁସୂଚିତ ଜନଜାତି ଆୟୋଗ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନିରବତା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁ କିସରେ ବାରମ୍ବାର ଛାତ୍ର ମୃତ୍ୟୁ ଘଟଣା ହେଉଥିବା ଚର୍ଚ୍ଚା ହେଉଛି।

Achyuta Samanta KISS