ଭୁବନେଶ୍ୱରରେ ଦୁର୍ଘଟଣା ପରେ ୩ଟି ଆମ ବସ୍କୁ ଭଙ୍ଗାରୁଜା କରିଥିଲେ ଲୋକେ
ସାଧାରଣରେ ‘ଯମ ବସ୍’ର ଆଖ୍ୟା ପାଇଥିବା ‘ଆମ ବସ୍’ ଆଜି ପୁଣି ଭିଆଇଛି ଦୁର୍ଘଟଣା। ଭୁବନେଶ୍ୱରରେ ଏକ ବାଇକ୍କୁ ପିଟିଥିବା ବେଳେ ପୁରୀରେ ଜଣେ ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଛି। ବାଇକ୍ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥା ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ସମୟ ଅପରାହ୍ନ ପ୍ରାୟ ୨ଟା। ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଆଡ଼କୁ ଯାଉଥିଲା ଏକ ‘ଆମ ବସ୍’। ୟୁକୋ ବ୍ୟାଙ୍କ ନିକଟରେ ଡାହାଣକୁ ୟୁ ଟର୍ଣ୍ଣ ନେଉଥିବା ଏକ ବାଇକ୍ ବସ୍ଟି ଦେଇଥିଲା ଧକ୍କା। ଫଳରେ ଛିଟିକି ପଡ଼ିଥିଲେ ବାଇକ୍ ଆରୋହୀ। ସୌଭାଗ୍ୟକୁ ତାଙ୍କ ଜୀବନ ବଞ୍ଚି ଯାଇଛି। ପୁଲିସ ଆସି ଦୁର୍ଘଟଣା ଘଟାଇଥିବା ଆମ ବସଟିକୁ ଘଟଣାସ୍ଥଳରୁ ଛାଡ଼ିଦେବା ପରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ କିଛି ଲୋକ। ସେହି ରାସ୍ତାଦେଇ ଯାଉଥିବା ୩ଟି ‘ଆମ ବସ’କୁ କରିଥିଲେ ଆକ୍ରମଣ। ଯିଏ ଯେମିତି ପାରିଲେ ଭାଙ୍ଗି ଚାଲିଲେ ସେହି ୩ଟି ‘ଆମ ବସ୍’କୁ। ଖବର ପାଇ ଦଳବଳ ଧରି ପହଞ୍ଚିଥିଲେ ଭୁବନେଶ୍ୱର ଡିସିପି। ସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା କରାଯାଇଥିଲା। ପ୍ରାୟ ଅଧଘଣ୍ଟାର ଛକାପଞ୍ଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଡିସିପି କହିଛନ୍ତି, ଦୁର୍ଘଟଣା ବାହାନାରେ ଅସାମାଜିକ କାର୍ଯ୍ୟ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିପରି ପୁରୀର ପୁରୀ ନବକଳେବର ରୋଡରେ ଜଣେ ମହିଳାଙ୍କ ଉପରେ ଆମ ବସ୍ ଚଢ଼ିଯିବାରୁ ତାଙ୍କର ଗୋଟିଏ ଗୋଡ଼ର ଜଙ୍ଘଠାରୁ ପାଦ ଯାଏ ଖିନଭିନ୍ ହୋଇଯାଇଛି। ଏହି ଘଟଣା ପରେ ରାଗି ଯାଇଥିଲେ ସ୍ଥାନୀୟ ଲୋକେ। ୱାନ ୱେ ଦାବି କରି ନବକଳେବର ରାସ୍ତାକୁ ଅବରୋଧ କରିଥିଲେ। ସିଟି ଡିଏସପି ଓ କୁମ୍ଭାରପଡ଼ା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ କ୍ରୁଟ୍ ପକ୍ଷରୁ ୫୦ ହଜାର ଟଙ୍କା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଏବଂ ଗମନାଗମନ ବ୍ୟବସ୍ଥା ସଂପର୍କରେ ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତାରୋକ।
କ୍ରୁଟ୍ ଦ୍ୱାରା ପରିଚାଳିତ ‘ଆମ ବସ୍’କୁ ଟ୍ରାକକୁ ଫେରାଇ ଆଣିବାକୁ ଭୁବନେଶ୍ୱରରେ ବଡ଼ କସରତ କରିବା ସହ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଖୋଦ୍ ପୁଲିସ ଓ ପରିବହନ କମିଶନର। କେଉଁଠି ବ୍ରେଥ୍ ଆନାଲାଇଜର ଟେଷ୍ଟ ତ ପୁଣି କେଉଁଠି ଏନଫୋର୍ସମେଣ୍ଟ ଟିମ୍ ତନ୍ନ ତନ୍ନ ଯାଞ୍ଚ କରିଥିଲା। ଦୁର୍ଘଟଣା ରୋକିବାକୁ ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ହିଁ ଡ୍ରାଇଭରଙ୍କୁ ‘ଆମ ବସ୍’ ଚଳାଇବାକୁ ଅନୁମତି ଦିଆଯିବ ବୋଲି କହିଥିଲା ପରିବହନ ବିଭାଗ। ଡ୍ରାଇଭର ଏବଂ କର୍ମଚାରୀ ଶପଥ ପାଠ ବି କରିଥିଲେ। ତଥାପି ‘ଆମ ବସ୍’ ଦୁର୍ଘଟଣାରେ ଲାଗୁନି ଲଗାମ। କେଉଁଠି ରହୁଛି ଭୁଲ୍? ବେପରୁଆ ହେଉଛନ୍ତି କି ‘ଆମ ବସ୍’ ଚାଳକ ? କ୍ରୁଟର ଢିଲାପଣ ପାଇଁ ଲଗାମଛଡ଼ା ହେଉଛନ୍ତି କି ଆମ ବସ୍ ଡ୍ରାଇଭର ? ସରକାର ଏଯାଏ ଚେତି ନାହାନ୍ତି କି? ଏମିତି ଅନେକ ପ୍ରଶ୍ନ ଏବେ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/ama-bus-2026-01-23-19-45-16.jpg)