ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଅନୁ ଗର୍ଗ ଏବେ ଆକ୍ସନମୋଡରେ । ସରକାରୀ ପାଣ୍ଠିର ସୁବିନିଯୋଗ କରିବା ପାଇଁ ଅଦରକାରୀ ଓ ପୁରୁଣା ଯୋଜନାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକ ବନ୍ଦ କରିବା ଅବା ଅନ୍ୟ ଯୋଜନା ସହ ମିଶ୍ରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତିମାସର ୧ ଓ ୧୫ତାରିଖରେ ନିୟମିତ ଭାବେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ବିଭିନ୍ନ ବିଭାଗର ଖର୍ଚ୍ଚ ଓ ରାଜସ୍ୱ ଆଦାୟଗୁଡ଼ିକର ସମୀକ୍ଷା କରାଯିବ।
ଏହାସହିତ ପ୍ରତ୍ୟେକ ସୋମବାର କୌଣସି ବୈଠକ ନକରିବା ଓ ଅଭିଯୋଗ ଶୁଣାଣି ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ନିମନ୍ତେ ପୂର୍ବରୁ ଜାରି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ନିମନ୍ତେ ତାଗିଦ୍ କରିଛନ୍ତି । ରାଜ୍ୟ ପ୍ରଶାସନକୁ ଅଧିକ କାର୍ଯ୍ୟଦକ୍ଷ, ସୁଦୃଢ଼ ଓ ପାରଦର୍ଶୀ କରିବା ପାଇଁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ବଡ଼ଧରଣର ପ୍ରଶାସନିକ ସଂସ୍କାର ପାଇଁ ନିଷ୍ପତ୍ତି ନିଆଯାଇଛି ।
ବନ୍ଦ ହେବ ଅଦରକାରୀ ଓ ପୁରୁଣା ଯୋଜନା
ଜାନୁୟାରୀ ୧ରେ ଅନୁ ଗର୍ଗ ମୁଖ୍ୟ ସଚିବ ଦାୟିତ୍ୱ ନେବାପରେ ୧୫ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ଯୋଜନାଗୁଡ଼ିକର ଆଉ ଆବଶ୍ୟକତା ନାହିଁ କିମ୍ବା ସମାନ ଧରଣର ଏକାଧିକ ଯୋଜନା ଚାଲୁଛି, ସେଗୁଡ଼ିକୁ ମିଶ୍ରଣ କରି ବିଭାଗୀୟ ଯୋଜନା ସଂଖ୍ୟାକୁ ଯୁକ୍ତିଯୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି । କେନ୍ଦ୍ରୀୟ ସହାୟତାରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ଅର୍ଥ ଉପଯୋଗ ଉପରେ ସ୍ୱତନ୍ତ୍ର ସମୀକ୍ଷା କରିବାକୁ ଓ କେନ୍ଦ୍ରୀୟ ଅନୁଦାନ ରିଲିଜ୍ ପାଇଁ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଯୋଜନାଗୁଡ଼ିକର ବଜେଟ୍ ଅର୍ଥ କମ ନ କରିବାକୁ ଓ କେନ୍ଦ୍ରୀୟ ଯୋଜନା ପାଇଁ ବାସ୍ତବବାଦୀ ବଜେଟ୍ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ଆକାଉଣ୍ଟରେ ପଡ଼ି ରହିଥିବା ସରକାରୀ ଅର୍ଥକୁ ରାଜକୋଷକୁ ଫେରାଇ ଆଣିବା ପାଇଁ ‘ମପିଂ-ଅପ୍' ଅଭିଯାନ ଜାରି ରଖିବା ତଥା କୌଣସି ଅର୍ଥ ଯେପରି ଅଯଥା ପଡ଼ି ନରହେ ସେଥିପାଇଁ ସତର୍କ କରାଇ ଦିଆଯାଇଛି । ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସଚିବମାନଙ୍କୁ ନୂତନ ପ୍ରସ୍ତାବ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।
ଶନିବାର ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଓ ମଙ୍ଗଳବାର ଏମଓୟୁ ପ୍ରକଳ୍ପର ସ୍ୱତନ୍ତ୍ର ସମୀକ୍ଷା
ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମୋଦନଓ ଅର୍ଥ ବିଭାଗର ସମ୍ମତି ବିନା କୌଣସି ନୂଆ ଯୋଜନା, ନୂତନ ନୀତି କିମ୍ବା ଆର୍ଥିକ ପ୍ରୋତ୍ସାହନ ଘୋଷଣା କରାଯାଇପାରିବ ନାହିଁ ବୋଲି ସଚିବମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତିମାସର ୧ ଓ ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ସଚିବସ୍ତରୀୟ ବୈଠକ ନିୟମିତ ଭାବେ ଅନୁଷ୍ଠିତ ହେବ । ଯଦି ଏହି ଦିନଗୁଡ଼ିକ ଛୁଟି ଦିନ ପଡ଼େ, ତେବେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ବୈଠକ ବସିବ । ଏଥିରେ ରାଜ୍ୟର ରାଜସ୍ୱ ଆଦାୟ ଓ ଖର୍ଚ୍ଚ ସ୍ଥିତିର ନିୟମିତ ସମୀକ୍ଷା କରାଯିବ । ପ୍ରତି ସଚିବସ୍ତରୀୟ ବୈଠକରେ ଗୋଟିଏ କିମ୍ବା ଦୁଇଟି ବିଭାଗକୁ ସେମାନଙ୍କର କାର୍ଯ୍ୟକଳାପ ଉପରେ ଉପସ୍ଥାପନା କରିବା ପାଇଁ ମନୋନୀତ କରାଯିବ ।
ଏହାସହ ପ୍ରତି ମାସର ତୃତୀୟ ଶନିବାର ରାଜ୍ୟର ପ୍ରାୟ ୧୦ରୁ ୧୧ଟି ବଡ଼ ଭିତ୍ତିିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସ୍ୱତନ୍ତ୍ର ସମୀକ୍ଷା କରାଯିବ । ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଓ ଏମଓୟୁ ସ୍ୱାକ୍ଷରିତ ପ୍ରକଳ୍ପର ସମୀକ୍ଷା ପ୍ରତି ମାସର ତୃତୀୟ ମଙ୍ଗଳବାର ଦିନ କରାଯିବ ।
ଏହାସହିତ ସୋମବାର ଦିନ କୌଣସି ସରକାରୀ ବୈଠକ ନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକରୁ ରାଜ୍ୟସ୍ତରର ଅଫିସଗୁଡ଼ିକରେ ଅଭିଯୋଗ ଶୁଣାଣି ପାଇଁ ସୋମବାର ଦିନ ଉଦ୍ଦିଷ୍ଟ ଥିବାରୁ ପୂର୍ବ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।
ପୁରୁଣା ଆଇନର ସଂଶୋଧନ ପାଇଁ ଆସିବ ‘ଓଡ଼ିଶା ରିପିଲିଂ ବିଲ୍’
ରାଜ୍ୟରୁ ପୁରୁଣା ଓ ଅପ୍ରାସଙ୍ଗିକ ଆଇନକୁ ହଟାଇବା ପାଇଁ ‘ଓଡ଼ିଶା ରିପିଲିଂ ବିଲ୍-୨୦୨୬' ଆଣିବାକୁ ସରକାର ଯୋଜନା କରିଛନ୍ତି । ଏହି ବିଲ୍ ଉପରେ ସଚିବସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଆଇନରେ ଥିବା କୁଷ୍ଠ ରୋଗୀଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବ୍ୟବସ୍ଥାଗୁଡ଼ିକୁ ସଂଶୋଧନ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିପାଇଁ ଓଡ଼ିଶା ଶିଶୁ ଆଇନ-୧୯୮୧, ରାଜସ୍ୱ ବିଭାଗର ଡିଡ୍ ରାଇଟର ନିୟମାବଳୀ-୧୯୭୯, ସମବାୟ ସମିତି ଆଇନ-୧୯୬୨, ଜେଲ୍ ନିୟମାବଳୀ-୨୦୨୦ ଓ ପ୍ରଫେସନାଲ୍ ଟାଇପିଷ୍ଟ ନିୟମାବଳୀ-୧୯୮୧ ପରି ୫ଟି ନିୟମରେ ଆବଶ୍ୟକ ସଂଶୋଧନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜାନୁଆରୀ ୨୮ ସୁଦ୍ଧା ଏ ସମ୍ପର୍କରେ ସ୍ଥିତି ରିପୋର୍ଟ ଦାଖଲ କରାଯିବ ।ଏହାସହିତ ସରକାରୀ ସମିତି ବା କମିଟିଗୁଡ଼ିକରେ ବୈଧାନିକ ଆବଶ୍ୟକତା ନଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଅଧ୍ୟକ୍ଷ ନରଖିବାକୁ ପରାମର୍ଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ୭୦ ୟୁଓଆଇ ନୋଟ୍ , ୭ଦିନ ମଧ୍ୟରେ ରିପୋର୍ଟ ଦିଅ
ସଚିବସ୍ତରୀୟ ବୈଠକରେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ୟୁଓଆଇ ନୋଟଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ Chief Secretary Of Odisha ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ୭୦ଟି ୟୁଓଆଇ ନୋଟ୍ ଉପରେ ତୁରନ୍ତ ପଦକ୍ଷେପ ନେଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ୧୫ଟି କାର୍ଯ୍ୟକ୍ରମ ଉଦ୍ଦେଶ୍ୟର ଅନୁପାଳନ ରିପୋର୍ଟ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ କୁହାଯାଇଛି ।
ଜାନୁଆରୀ ୨୯ ତାରିଖରେ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ ଗସ୍ତ ସମୟରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ନେଇ ଆଲୋଚନା କରିବାକୁ ଅର୍ଥ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପ୍ତି ଓ ଘରକୁ ଘର ନଳ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଚିବମାନଙ୍କୁ ଜିଲ୍ଲା ଗସ୍ତ ସମୟରେ ସମୀକ୍ଷା କରିବାକୁ କୁହାଯାଇଛି ।
ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ବଜେଟର ମାତ୍ର ୪୯% ଅର୍ଥ
୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟର ମୋଟ ବଜେଟର ମାତ୍ର ୪୯% ଅର୍ଥ ଖର୍ଚ୍ଚ ହୋଇପାରିଛି । ବଜେଟ ଅର୍ଥ ଖର୍ଚ୍ଚ ପରିମାଣ ୧,୪୨,୨୨୬ କୋଟି ଟଙ୍କା ଥିବାବେଳେ ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୧୦% ଅଧିକ ବୋଲି ସଚିବସ୍ତରୀୟ ବୈଠକରୁ ଜଣାପଡ଼ିଛି । ତେବେ ପୁଞ୍ଜିଗତ ଖର୍ଚ୍ଚ ଗତ ଆର୍ଥିକ ବର୍ଷ ତୁଳନାରେ ୧୫% କମ୍ ରହିଛି । ରାଜ୍ୟ ନିଜସ୍ୱ ଟିକସରୁ ୪୦୦୯୪ କୋଟି ଟଙ୍କା ସଂଗ୍ରହ କରିଛି । ଏସଜିଏସଟି , ଭାଟ୍ ଓ ଅବକାରୀ ଶୁଳ୍କ ଆଦାୟରେ ସ୍ଥିରତା ଦେଖାଦେଇଥିବା ବେଳେ ଖଣି ରାଜସ୍ୱରେ ସୁଧାର ଆସିଛି ।
ରାଜ୍ୟ ସରକାର ଫେବୃୟାରୀ ଚତୁର୍ଥ ସପ୍ତାହରେ ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ଥିବାବେଳେ ଡିସେମ୍ବର ସୁଦ୍ଧା ୫୦ ପ୍ରତିଶତରୁ କମ୍ ବଜେଟ୍ ଅର୍ଥ ଖର୍ଚ୍ଚ କରିବା ପ୍ରଶାସନର ଅପାରଗତକାକୁ ପଦାରେ ପକାଇ ଦେଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us