
The New Chief Secretary of the Odisha
ଓଡ଼ିଶା ପ୍ରଶାସନିକ ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଅନୁ ଗର୍ଗ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଅନୁଙ୍କ ଉପରେ ଭରସା କରି ଆଇଏଏସ୍ କ୍ୟାଡ଼ରରେ ବରିଷ୍ଠତାକୁ ଅଗ୍ରାଧିକାର ଦେବା ସହ ମହିଳା କାର୍ଡ ମଧ୍ୟ ଖେଳିଥିବା କୁହାଯାଉଛି ।
ଇତିହାସ ରଚିଲେ ୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗ
ଓଡ଼ିଶା ଇତିହାସରେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗଙ୍କ ନାମ ଘୋଷଣା କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଏବେ ରାଜ୍ୟ ଉନ୍ନୟନ କମିଶନର ସହ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ୪୭ତମ ମୁଖ୍ୟ ସଚିବ ଭାବେ ଅନୁ ଗର୍ଗଙ୍କ ନିଯୁକ୍ତି ରାଜ୍ୟ ପ୍ରଶାସନରେ ଏକ ନୂତନ ଯୁଗର ଆରମ୍ଭ ବୋଲି ଚର୍ଚ୍ଚା ।
ଜାନୁୟାରୀ ପହିଲାରୁ ସମ୍ଭାଳିବେ ମଙ୍ଗ
ମୁଖ୍ୟ ସଚିବ ମନୋଜ ଆହୁଜା ଚଳିତମାସ ୩୧ତାରିଖ ଅପରାହ୍ନରେ ଅବସର ନେବେ । ଅନୁ ତାଙ୍କଠୁ ଦାୟିତ୍ୱ ଗ୍ରହଣ କରିବା ସହ ବିଧିବଦ୍ଧ ଭାବେ ସେ ଜାନୁୟାରୀ ପହିଲାରୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ମିଳଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଗଠନ ହେବାପରେ ଶ୍ରୀ ଆହୁଜାଙ୍କୁ ଦିଲ୍ଲୀରୁ ଅଣାଯାଇଥିଲେ ମଧ୍ୟ ବିଗତ କିଛିମାସ ଧରି ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ କଳକୁ ଗତିଶୀଳ କରିବା ପାଇଁ ଅନୁ ଗର୍ଗଙ୍କ ଉପରେ ସଂପୂର୍ଣ୍ଣ ଭରସା ପ୍ରକଟ କରିଛନ୍ତି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ।
ପ୍ରଶାସନିକ ଦକ୍ଷତା ସହ ମହିଳା କାର୍ଡ ଖେଳିଲେ ମୋହନ ସରକାର
ମୋହନ ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଏକ ବଡ଼ ରାଜନୈତିକ ରଣନୀତି ଥିବା ଆକଳନ କରାଯାଉଛି । ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଜଣେ ମହିଳାଙ୍କୁ ପ୍ରଶାସନର ସର୍ବୋଚ୍ଚ ପଦବୀରେ ବସାଇ ବିଜେପି ସରକାର ରାଜ୍ୟରେ ‘ମହିଳା ସଶକ୍ତିକରଣ'ର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ରାଜ୍ୟର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ ବିଜେଡିର ମହିଳା କାର୍ଡକୁ କାଉଂଟର କରିବା ପାଇଁ ବିଜେପି ସରକାର ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଶ୍ରୀମତୀ ଗର୍ଗ ବିଗତ ପ୍ରାୟ ୬-୭ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବେଶ୍ ଘନିଷ୍ଠ ଓ ବିଶ୍ୱସ୍ତ ହେବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି ।
ସ୍ଥାଣୁତା ଦୂର କରିବା ସହ ପ୍ରଶାସନକୁ ମିଳିବ ନୂଆ ଜୋସ୍
୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗ ଉନ୍ନୟନ ନିଜର ସ୍ପଷ୍ଟ ଓ ସ୍ୱଚ୍ଛ ଭାବମୂର୍ତ୍ତି ସହ କଠୋର ପ୍ରଶାସନିକ କାର୍ଯ୍ୟଶୈଳୀ ମାଧ୍ୟମରେ ରାଜ୍ୟ ପ୍ରଶାସନରେ ଲାଗି ରହିଥିବା ସ୍ଥାଣୁତାକୁ ଦୂର କରିବାରେ ସକ୍ଷମ ହେବେ ବୋଲି ଚର୍ଚ୍ଚା । ବରିଷ୍ଠତା ଭିତ୍ତିରେ ତାଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି । ଯଦିଓ ଏହି ଲବିରେ ତାଙ୍କ ବ୍ୟାଚର ସତ୍ୟବ୍ରତ ସାହୁ ମଧ୍ୟ ରହିଥିଲେ । କିନ୍ତୁ ଓପିଆରବି ନିଯୁକ୍ତି କେଳେଙ୍କାରୀରେ ତାଙ୍କର ବିବାଦୀୟ ଭୂମିକା ନେଇ ବିରୋଧୀ ଦଳର ଅଭିଯୋଗକୁ ଦେଖି ସରକାର ଏବେ କୌଣସି ରିସ୍କ ନେଇନଥିବା କୁହାଯାଉଛି । ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳରେ ପ୍ରଶାସନରେ ବଢ଼ିଥିବା ଦୁର୍ନୀତି ଓ ସ୍ଥାଣୁତାକୁ ଦୂର କରିବା ସହ ସରକାରଙ୍କୁ ସିଧାସଳଖ ଜନସାଧାରଣଙ୍କ ସଙ୍ଗେ ଯୋଡ଼ିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।
ଝାରସୁଗୁଡ଼ା ଉପଜିଲ୍ଲାପାଳରୁ କାର୍ଯ୍ୟ ଆରମ୍ଭ
୧୯୬୯ ମାର୍ଚ୍ଚ ୧ରେ ଜନ୍ମିତ ଅନୁ ଗର୍ଗ ମାତ୍ର ୨୨ବର୍ଷ ବୟସରେ ଆଇଏଏସ୍ ପାଇଥିଲେ । ସେ ଦେଶର ହାତଗଣତି ଦୀର୍ଘକାଳୀନ ସେବା ଯୋଗାଉଥିବା ଆଇଏଏସଙ୍କ ମଧ୍ୟରେ ରହିଛନ୍ତି । ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବା ପରେ ଝାରସୁଗୁଡ଼ାର ଉପଜିଲ୍ଲାପାଳ ଭାବେ ୧୯୯୩ ଅଗଷ୍ଟ ୩୦ରୁ ୧୯୯୪ ସେପ୍ଟେମ୍ବର ୨ତାରିଖ ପର୍ଯ୍ୟନ୍ତ ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା । ତା’ପରେ ସେ କଳାହାଣ୍ଡି ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ୧୯୯୮ ମସିହା ମେ’ ମାସରେ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ସେକ୍ରେଟେରୀ ଭାବେ ନିଯୁକ୍ତି ମିଳିଥିଲା । ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗରେ ସେ ଦୀର୍ଘବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।
୨୦୧୨ ଅକ୍ଟୋବରରୁ ୨୦୧୫ ଏପ୍ରିଲ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ ।ଏହାପରେ ସେ ୨୦୧୬ ଏପ୍ରିଲରେ ଓଡ଼ିଶା ଫେରିବା ପରେ ବିଜେଡି ସରକାରଙ୍କ ଗୁଡବୁକରେ ରହିଥିଲେ । ଏବେ ମୋହନ ମାଝୀଙ୍କ ସରକାରରେ ବି ସେ ସମାନ ଦାୟିତ୍ୱ(ଜଳସମ୍ପଦ ବିଭାଗ)ରେ ରହିଛନ୍ତି ।
ଅନୁ ୨୦୨୯ ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେବାର ଥିବାରୁ ସମ୍ଭବତଃ ଦୀର୍ଘକାଳୀନ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ସେ ପାଇବେ । ୨୦୨୯ ମାର୍ଚ୍ଚ-ଏପ୍ରିଲରେ ସାଧାରଣ ନିର୍ବାଚନ ମଧ୍ୟ ଅଛି । ତେଣୁ ତାଙ୍କୁ ସେତେବେଳେ ଆବଶ୍ୟକତା ଦୃଷ୍ଟିରୁ ଆଉ କିଛି ଅଧିକ ସମୟ ବି ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
