ଅବୈଧ ସଂପର୍କ ରଖିଥିଲେ ଅନୁପ, ବାହା ହେବାକୁ କହିବାରୁ ମାରି ଦେଲେ

ସମ୍ବଲପୁର (ସଞ୍ଜୟ ଜେନା): ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନୁପଙ୍କୁ ଗତକାଲି ଗିରଫ କରାଯିବା ପରେ ଛତିଶଗଡ଼ର ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ଏ କଥା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁପ ସାଏଙ୍କୁ ମଧ୍ୟ ହାଜର କରାଯାଇଥିଲା। ପରେ ତାଙ୍କୁ […]

anupray

anupray

Jitendra Garnayak
  • Published: Friday, 14 February 2020
  • Updated: 14 February 2020, 04:53 PM IST

Sports

Latest News

ସମ୍ବଲପୁର (ସଞ୍ଜୟ ଜେନା): ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନୁପଙ୍କୁ ଗତକାଲି ଗିରଫ କରାଯିବା ପରେ ଛତିଶଗଡ଼ର ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ଏ କଥା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁପ ସାଏଙ୍କୁ ମଧ୍ୟ ହାଜର କରାଯାଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଏସ୍‌ପି କହିଛନ୍ତି, କଳ୍ପନା ୨୦୦୫ରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୨୦୧୧ରେ ସେ ଅନୁପଙ୍କ ସଂପର୍କରେ ଆସିଥିଲେ ଓ ଦୁହେଁ ଏକାଠି ରହୁଥିଲେ। ଅନୁପ ଭୁବନେଶ୍ୱର ସୁନ୍ଦରପଦାରେ ଫ୍ଲାଟ କିଣି କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ରଖିଥିଲେ। ସେଠାରେ ସେମାନେ ସ୍ୱାମୀସ୍ତ୍ରୀ ଭଳି ଚଳୁଥିଲେ। ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ। ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଆଉ ତା’ପରେ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଅନୁପ। ତାଙ୍କୁ ବାହାହେବାକୁ କହି ଛତିଶଗଡ଼ର ରାୟଗଡ଼ ନେଇଥିଲେ। ସେଠାରେ ଏକ ଜଙ୍ଗଲ ରାସ୍ତାରେ ଲୁହା ରଡ୍‌ରେ ପିଟି ପିଟି କଳ୍ପନାଙ୍କୁ ହତ୍ୟା କରାଯାଇଥିଲା। ପ୍ରଥମେ କେବଳ କଳ୍ପନାଙ୍କୁ ହତ୍ୟା କରିବାର ଯୋଜନା କରାଯାଇଥିଲା। ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ଅନୁପ ହତ୍ୟା ଯୋଜନା କରିଥିଲେ। ତେବେ ଝିଅ ଜାଣିଯିବା ଭୟରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ା ଯାଇଥିଲା। ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ମୃତଦେହକୁ ବିକୃତ କରି ଦିଆଯାଇଥିଲା।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି, ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ କଳ୍ପନା ଓ ତାଙ୍କ ଝିଅଙ୍କ ଶବ ମିଳିଥିଲା। ହତ୍ୟା ପରେ ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ମୃତକଙ୍କୁ ଚିହ୍ନଟ ପାଇଁ ଆମ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇଥିଲେ। ଘଟଣାର ପ୍ରାୟ ୧ ବର୍ଷ ପରେ ଦୁଇ ମୃତକଙ୍କ ପରିଚୟ ମିଳିଥିଲା। ମୃତକଙ୍କ ଜଣେ ସଂପର୍କୀୟ କନଷ୍ଟେବଲ୍‌ ସେମାନଙ୍କୁ ଚିହ୍ନଟ କରିଥିଲେ। ତା’ପରେ ମୋବାଇଲ କଲ୍ ରେକର୍ଡ ଯାଞ୍ଚ ପରେ ଏଥିରେ ଅନୁପଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ୍‌ ପରେ ବି ଆସି ନଥିଲେ। ନିଜ ରାଜନୈତିକ ପତିଆରା ପ୍ରଭାବରେ ସେ ହାଜର ହେଉ ନଥିଲେ। ଗତ ୬ ମାସ ହେଲାଣି ଆମେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲୁ। ଶେଷରେ ଠୋସ୍ ପ୍ରମାଣ ମିଳିଲା ପରେ ତାଙ୍କୁ ଗିରଫ କଲୁ।

ଏସ୍‌ପି ଆହୁରି କହିଛନ୍ତି ଯେ କାଲି ଜେରା ବେଳେ ଅନୁପ ସବୁ କଥା ଫାଙ୍କିଥିଲେ। କିନ୍ତୁ ପରେ ସବୁ ମାନି ଯାଇଥିଲେ। ଏ ଘଟଣାରେ ୬ଟି ରାଜ୍ୟରେ ୭ ଶହ ଲୋକଙ୍କୁ ପଚରାଉଚରା କରିଛୁ। ଅନୁପ ସାଏଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା। ସେ ସେତେବେଳେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ଏବେ ବି ତାହା ରଖିଛନ୍ତି। ରାସ୍ତାରେ ସେମାନେ ଅଟକି ଥିବା ଢାବାରେ ବି ଲୋକ ଦେଖିଥିଲେ। କଲ୍ ରେକର୍ଡ ଯାଞ୍ଚ, ଲୋକଙ୍କୁ ପଚରାଉଚରା କରି ତଥ୍ୟ ପାଇଥିଲୁ। ସେହିଭଳି ଅନୁପ ସାଏ ବି ଏହା ଭିତରେ ଗୋଟିଏ ବଡ଼ ଭୁଲ୍ କରି ଦେଇଥିଲେ। ଯାହା ସହ ୫ ବର୍ଷ ରହିଥିଲେ, ତାଙ୍କ ନିଖୋଜ ନେଇ ଏତଲା କରି ନଥିଲେ।

ଏସ୍‌ପି କହିଛନ୍ତି, ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ। ହତ୍ୟାରେ ଅନୁପ ଓ ତାଙ୍କ ଡ୍ରାଇଭର ସହ ଆଉ କିଛି ସଂପୃକ୍ତ ଥାଇପାରନ୍ତି। ନାର୍କୋ ଟେଷ୍ଟ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ପୂର୍ବରୁ ମୃତ ମା’ଝିଅଙ୍କ ଡିଏନ୍‌ଏ ଟେଷ୍ଟ ହୋଇଛି।

ଏ ଖବର ଜଣାପଡ଼ିବା ପରେ ମୃତ କଳ୍ପନା ଦାସଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ କହିଛନ୍ତି, “ ତାଙ୍କ (କଳ୍ପନା) ସହ ମୋର ଡିଭୋର୍ସ ହୋଇଥିଲା।  ସେ ଜଣେ ଉଚ୍ଚାଭିଳାଷୀ ମହିଳା ଥିଲେ। ବହୁତ ବଡ଼ ସ୍ୱପ୍ନ ଦେଖୁଥିଲେ। ଆମେ ପ୍ରେମ ବିବାହ କରିଥିଲୁ। ବାହାଘର ପରେ ସେ ଆମ ଘରେ ରହୁ ନଥିଲେ କି ବାପାମା’ଙ୍କ ଯତ୍ନ ନେଉ ନଥିଲେ। ତେଣୁ କଳି ଝଗଡ଼ା ହେଉଥିଲା। ୨୦୦୪ରୁ ଅଲଗା ରହୁଥିଲୁ। ୨୦୧୧ରେ ଡିଭୋର୍ସ ହୋଇଥିଲା। ଡିଭୋର୍ସ ପରେ ଜାଣିଲି ସେ ଅନୁପ ସାଏଙ୍କ ପାଖରେ ରହୁଛି। ମୋ ଝିଅ ବି ତାଙ୍କ ସାଥିରେ ରହୁଥିବାରୁ ମୁଁ ଦେଖା କରିବାକୁ ଯାଏ। କିନ୍ତୁ ମୋତେ ଦେଖା କରାଇ ଦିଅନ୍ତିନି, ଗାଳିଗୁଲଜ କରନ୍ତି।”

ସେ ଆହୁରି କହିଛନ୍ତି, “ପ୍ରଥମେ ଅନୁପ ସାଏ ତାଙ୍କୁ ନେଇ କଟକ ସିଡିଏରେ ରଖାଇଥିଲେ। ପରେ କଟକରୁ ଆଣି ଭୁବନେଶ୍ୱର ସୁନ୍ଦରପଦାରେ ରଖାଇଥିଲେ। କେବଳ ବଡ଼ ସ୍ୱପ୍ନ ଏବଂ ଉଚ୍ଚାଭିଳାଷ ପାଇଁ କଳ୍ପନାଙ୍କ ଜୀବନ ଗଲା। କିନ୍ତୁ ବିନା ଦୋଷରେ ମୋ ଝିଅକୁ ଅନୁପ ସାଏ ହତ୍ୟା କରିଛନ୍ତି।ଛୋଟ ଝିଅଟିକୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ହେଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos