ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସାଧାରଣ ଲୋକଙ୍କ ଆଶାବାଡ଼ି ସାଜିଥିବା ଦୁଇଟି ଶୀର୍ଷ ସାମ୍ବିଧାନିକ ଅନୁଷ୍ଠାନ ଏବେ ଦୟନୀୟ ସ୍ଥିତିରେ । ଓଡ଼ିଶା ଲୋକାୟୁକ୍ତକୁ ଦୀର୍ଘ ପ୍ରାୟ ୨ବର୍ଷ ଧରି ପଙ୍ଗୁ ହୋଇରହିଥିବାବେଳେ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚଆରସି) ମଧ୍ୟ ସମଦଶା ଭୋଗିବାକୁ ଯାଉଛି। ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥବାବେଳେ ଏବେ ମାତ୍ର ଜଣେ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ରଙ୍କ ଭରସାରେ ଆୟୋଗ ପରିଚାଳିତ ହେଉଛି। ତେବେ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏହି ଦୁଇ ଶୀର୍ଷ ସାମ୍ବିଧାନିକ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦିଗରେ ମଧ୍ୟ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।
ରାଜ୍ୟ ମାନବାଧିକାର ଆୟୋଗ ଅଚଳ, ନ୍ୟାୟ ପ୍ରଦାନ ବାଧାପ୍ରାପ୍ତ
ସୂଚନା ଅନୁସାରେ, OHRC ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ସଦସ୍ୟ ଅସିମ ଅମିତାଭ ଦାଶଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଏବେ ଏକମାତ୍ର ସଦସ୍ୟ ତଥା ପୂର୍ବତନ ଜିଲ୍ଲା ଜଜ୍ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ନେଇ ଆୟୋଗ ପରିଚାଳିତ ହେଉଛି। ଆୟୋଗରେ ପ୍ରାୟ ୫୪୨୦ରୁ ଅଧିକ ମାମଲା ପଡ଼ି ରହିଥିବାବେଳେ ଦୈନିକ ଆସୁଥିବା ନୂଆ ନୂଆ ଅଭିଯୋଗର ଶୁଣାଣି କରିବା ଜଣେ ସଦସ୍ୟଙ୍କ ପକ୍ଷେ ସମ୍ଭବପର ନୁହେଁ ।
ଏପରିକି ଆୟୋଗର ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଡିଭିଜନ ବେଂଚ ମଧ୍ୟ କାର୍ଯ୍ୟ କରିପାରୁନି। ପୁଲିସ ଜୁଲୁମ୍ ଓ ସରକାରୀ ବ୍ୟବସ୍ଥାରେ ନିର୍ଯାତିତ ଓ ଶୋଷିତ ହେଉଥିବା ସାଧାରଣ ଲୋକଟିଏ ନ୍ୟାୟ ପାଇବା ନିମନ୍ତେ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ତ୍ୱରିତ୍ ନ୍ୟାୟରୁ ବଂଚିତ ହେଉଥିବା ଜଣାପଡ଼ିଛି। ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ସରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର କାହିଁକି ୩ମାସ ପୂର୍ବରୁ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେନାହିଁ ଓ ମାନବାଧିକାର ଆୟୋଗ ଭଳି ଅନୁଷ୍ଠାନକୁ ଅକାମୀ କରି ପକାଇ ରଖିବାକୁ ପରୋକ୍ଷରେ ପ୍ରୋତ୍ସାହିତ କରିଛନ୍ତି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଦୁଇ ବର୍ଷ ହେଲା କୋମାରେ ଲୋକାୟୁକ୍ତ
ଦୁର୍ନୀତିରେ ଜଡ଼ିତ ନେତା-ମନ୍ତ୍ରୀ ଓ ଅଫିସରଙ୍କ ବିରୁଦ୍ଧରେ ଅଭିଯୋଗ ନିମନ୍ତେ ସାଧାରଣ ଲୋକଟିଏ ଲୋକାୟୁକ୍ତ(Lokayukta)ଙ୍କ ଦ୍ୱାରସ୍ଥ ହୋଇପାରୁଥିଲା। କିନ୍ତୁ ରାଜ୍ୟ ସରକାର ଦୀର୍ଘ ୨ବର୍ଷ ହେଲା ଏହାକୁ ଅଚଳ କରି ରଖିଛନ୍ତି । ୨୦୨୪ ମାର୍ଚ୍ଚ-ଅଗଷ୍ଟ ମାସରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଓ ୩ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି । ଆଉ ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି ।
ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ର ପ୍ରାବଧାନ ଅନୁସାରେ କାର୍ଯ୍ୟକାଳ ସରିବାର ୩ମାସ ପୂର୍ବରୁ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ । କିନ୍ତୁ ସରକାର ଏ ଦିଗରେ ଆନ୍ତରିକତା ଦେଖାଇନାହାନ୍ତି । ଓଲଟା ଏକାଧିକ ଜନସ୍ୱାର୍ଥ ମାମଲା ଦାଏର ହେବା ଓ ଚଳିତ ଫେବୃୟାରୀ ମାସ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି । ଯଦିଓ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ପାଇଁ ଆଇନଗତ ଅସଙ୍ଗତିର ଆଳ ଦେଖାଇଥିଲେ ସରକାର । ୨୦୧୪ ଲୋକାୟୁକ୍ତ ଆଇନରେ ସର୍ଚ୍ଚ କମିଟି ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ କିଛି ତ୍ରୁଟି ରହିଛି, ଯାହାର ସଂଶୋଧନ ଆବଶ୍ୟକ ବୋଲି ହାଇକୋର୍ଟରେ ସରକାର ଯୁକ୍ତି ବାଢ଼ିଥିଲେ। ମାତ୍ର ଏହି ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ନକରି କାହିଁକି ଦୁଇବର୍ଷ ଧରି ଏହାକୁ ପଙ୍ଗୁ କରି ରଖାଯାଇଛି ତାହା ମଧ୍ୟ ସନ୍ଦେହଘେରରେ।
ବିଧାୟକ, ମନ୍ତ୍ରୀ ଓ ପ୍ରଭାବଶାଳୀ ଆଇଏଏସ୍-ଓଏଏସ୍ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିବା ପାଇଁ ରାଜ୍ୟବାସୀଙ୍କ ପାଖରେ ଏବେ ପ୍ଲାଟଫର୍ମ ମଧ୍ୟ ନାହିଁ। ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଶୀର୍ଷ ସାମ୍ବିଧାନିକ ସଂସ୍ଥାଟି ଏକ ପ୍ରକାରର ‘ଦନ୍ତହୀନ ବାଘ’ରେ ପରିଣତ ହୋଇଛି ।
ଦୁର୍ନୀତିଖୋର ଓ ନିର୍ଯାତନାକାରୀଙ୍କ ସାହାସ ବଢ଼ୁଛି
ରାଜ୍ୟରେ ଦୁଇ ଶୀର୍ଷ ସାମ୍ବିଧାନିକ ସଂସ୍ଥା ଏବେ ଏକପ୍ରକାର ଅଚଳ ହୋଇ ପଡ଼ିଥିବାରୁ ଦୁର୍ନୀତିଖୋର ଓ ସ୍ୱେଚ୍ଛାଚାରୀ ନେତା-ଅଫିସରମାନେ ଅଧିକ ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର କଥା କହୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ଲୋକଙ୍କ ସରକାର’ କାହିଁକି ଦୁଇ ସାମ୍ବିଧାନିକ ସଂସ୍ଥା ଲୋକାୟୁକ୍ତ ଓ ଓଡ଼ିଶା ମାନବାଧିକାର ଆୟୋଗରେ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନେବାରେ ବିଳମ୍ବ କରୁଛନ୍ତି, ତାହା ବି ଅସ୍ପଷ୍ଟ । ଯଦି ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧି ଓ ପ୍ରଶାସକଙ୍କ ବିରୁଦ୍ଧରେ ଅଭିଯୋଗର ଶୁଣାଣି ପାଇଁ ଉପଯୁକ୍ତ ମଂଚ ନରହିବ, ତେବେ ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ ରହିବ କିଭଳି ଓ କିଏ ୱାଚଡଗ୍ ସାଜିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us