/odisha-reporter/media/media_files/2025/11/25/ari-2025-11-25-16-14-02.jpg)
ଗିରଫ ଅଭିଯୁକ୍ତ
ଜମିର କିସମ ପରିବର୍ତ୍ତନ କରିବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ନିକିରାଇ ଆର.ଆଇ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ ଅଭିମନ୍ୟୁ ବେହେରା। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଜଣେ ବ୍ୟକ୍ତି ତାଙ୍କ ଜମିର କିସମ ପରିବର୍ତ୍ତନ କରିବାକୁ ଗତ ଅକ୍ଟୋବର ୩୧ ତାରିଖରେ ଅନ୍ଲାଇନରେ ଡେରାବିଶ ତହସିଲରେ ଆବେଦନ କରିଥିଲେ। କାଗଜପତ୍ର ଯାଞ୍ଚ ପରେ ନିକିରାଇ ସହକାରୀ ରାଜସ୍ୱ ନିରୀକ୍ଷକ (ARI) ତଥା ରାଜସ୍ୱ ନିରୀକ୍ଷକ (RI) ଦାୟିତ୍ୱରେ ଥିବା ଅଭିମନ୍ୟୁ ବେହେରାଙ୍କ ନିକଟରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଥିଲା।
ନିର୍ଦ୍ଦେଶ ଅନୁଯାୟୀ ଜମି ମାଲିକ ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଭେଟିଥିଲେ। ଜମିର କିସମ ପରିବର୍ତ୍ତନ ନେଇ ଅନୁକୂଳ ରିପୋର୍ଟ ଦେବା ପାଇଁ ଶ୍ରୀ ବେହେରା ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ୧୫ ହଜାର ଟଙ୍କା ଦେବାକୁ ସେ ସମର୍ଥ ନୁହନ୍ତି ବୋଲି ଜମି ମାଲିକ କହିଥିଲେ। ଏହା ପରେ ଏଆରଆଇ ଶ୍ରୀ ବେହେରା ତାଙ୍କୁ ୧୨ ହଜାର ଟଙ୍କା ଦେବାକୁ କହିଥିଲେ। ଲାଞ୍ଚ ଦେଲେ ତାଙ୍କ ସପକ୍ଷରେ ରିପୋର୍ଟ ଦେବେ ବୋଲି ଏଆରଆଇ ଶ୍ରୀ ବେହେରା ବାରମ୍ବାର ଜମି ମାଲିକଙ୍କୁ କହିଥିଲେ।
ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଯୋଜନା ମୁତାବକ ଜମି ମାଲିକ ଆଜି ଏଏଆରଆଇ ଶ୍ରୀ ବେହେରାଙ୍କୁ ତାଙ୍କ ଅଫିସରେ ଭେଟି ୧୨ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏଆରଆଇ ଲାଞ୍ଚ ଅର୍ଥ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।
କଟକ ଭିଜିଲାନ୍ସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
