ବାତ୍ୟା ଆସିଲା ଚାଲିଗଲା। ଅନେକ ଦୁଃଖ ତ ଦେଇଗଲା। କିନ୍ତୁ ସିନେମାର ଦୃଶ୍ୟ ପରି ଆମକୁ କିଛିଦିନ ପାଇଁ ଦେଖେଇ ଦେଇଗଲା ଅନେକ ପୁରୁଣା ସ୍ମୃତି, ଅନୁଭବ କରେଇଦେଲା ପିଲାଦିନର ଅନେକ କଥା। ପଢ଼ନ୍ତୁ ସ୍ୱାଧୀନ ରାଉତଙ୍କ ଏହି ଆଲେଖ୍ୟ।
ଏଥର ନିର୍ବାଚନରେ ‘ପୋଡ଼ା ଟ୍ରାନ୍ସଫର୍ମର୍’ କଥା ବହୁତ ଉଠିଲା। କିଏ କହିଲା ପୋଡ଼ା ଟ୍ରାନ୍ସଫର୍ମରକୁ ଫିଙ୍ଗି ଦିଅ, ତ ପୁଣି କିଏ କହିଲା, ଏହାକୁ ବଦଳାଇ ଦିଅ। ଏହାର କାଉଣ୍ଟର ମଧ୍ୟ ଜୋରଦାର ହେଲା। ଶପଥ ଗ୍ରହଣକୁ ନିମନ୍ତ୍ରଣ ଦିଆଗଲା।
ହେଲେ ନିର୍ବାଚନ ସରୁସରୁ, ଗଦା ହୋଇଗଲା ପୋଡ଼ା ପୋଡ଼ା ଏବଂ ଅଚଳ ଟ୍ରାନ୍ସଫର୍ମର୍। ଅର୍ଥାତ, ନିର୍ବାଚନ ସରୁସରୁ ସାମୁଦ୍ରିକ ଝଡ଼ ‘ଫୋନି’ର ପ୍ରଚଣ୍ଡ ଆକ୍ରମଣ, ଧ୍ୱସ୍ତବିଧ୍ୱସ୍ତ କଲା ବିଦ୍ୟୁତ ବ୍ୟବସ୍ଥାକୁ। ସ୍ଥିତି ଏମିତି ଯେ, କିଛି ଅଞ୍ଚଳରେ ବିଦ୍ୟୁତ ଆସିଥିବା ବେଳେ, ଆଉକିଛି ଅଞ୍ଚଳରେ ବିଦ୍ୟୁତ ଆସିବାକୁ ମାସେ ଉପରେ ଲାଗିଯିବ। ଫେସ୍ବୁକ୍ ପୋଷ୍ଟିଂରୁ ଆପଣ ଜାଣି ପାରୁଥିବେ, କାହା ଘରେ ବିଜୁଳି ଜଳିଲା, ଆଉ କାହା ଘର ଏବେବି ଅନ୍ଧାର ଅଛି।
ହେଲେ ଏହି ପୋଡ଼ା ଟ୍ରାନ୍ସଫର୍ମର୍ ପ୍ରସଙ୍ଗ ମୋର ମନେ ପକାଇ ଦେଉଥିଲା ପିଲାବେଳେର କଥା। ଆମ ଘରଟି ଗଂଜାମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ। ଯେଉଁ ଗାଁକୁ ବର୍ଷାଦିନେ ଯିବା ଆସିବା ବନ୍ଦ ହୋଇଯାଏ। ମୁଁ ପ୍ରାୟ ବି.ଏ. ପଢ଼ିଲା ଯାଏଁ, କାନ୍ଧରେ ସାଇକେଲ ବୋହି ଯାଇଛି। କାରଣ କାଦୁଅଭରା ରାସ୍ତାରେ ସାଇକେଲର ଏକ ମାତ୍ର ଭରସା ହେଉଛି କାନ୍ଧ।
ଆପଣ ଏଥିରୁ ଜାଣି ପାରୁଥିବେ ଆମ ଗାଁର ଗମନାଗମନ ଅବସ୍ଥା। ସେହିପରି ପ୍ରତିବର୍ଷ ଖରାଦିନ ଆସିଲେ, ଆମ ଗାଁର ଟ୍ରାନ୍ସଫର୍ମର୍ ପୋଡ଼ିଯାଏ। ଏହାପରେ ମାସ ମାସ ଧରି ଅନ୍ଧାରରେ ଦିନ କାଟିବାକୁ ପଡ଼େ। ଏହାପରେ ଆରମ୍ଭ ହୁଏ ଦରଖାସ୍ତ ଲେଖା। ଆମ ଘରେ ଲେଖାହୁଏ ଦରଖାସ୍ତ। ବାବା ଆମର- ମହାଶୟ ଓ ସମୀପେଷୁ କରି ଅନେକ ଲୋକଙ୍କ ପାଖକୁ ଦରଖାସ୍ତ ଲେଖନ୍ତି। ଅନେକଥର ସାଇକେଲରେ ଗାଁ ଲୋକ ଯାଇ ବିଦ୍ୟୁତ ଅଫିସରେ ଅଭିଯୋଗ କରନ୍ତି।
ବିଦ୍ୟୁତ ନଥିଲେ ବି ଚଳିବା କିଛି କଷ୍ଟକର ହୁଏନି। ଦିନବେଳେ ଚାଳ ଘରେ କବାଟ ଖୋଲି ଦେଲେ ନଡ଼ିଆ ଗଛର ପବନ। ଆଜିକାଲିକା ଏସି ହାୱାଠୁ ତାହା ଢେର ଗୁଣ ଆରାମଦାୟକ। ଖରାବେଳେ ନିଘୋଡ଼ ନିଦ ହୋଇଯାଏ। ଆଉ ରାତିରେ ବାରଣ୍ଡାରେ। ବାରଣ୍ଡାରେ ପାଣି ପକାଇ ଥଣ୍ଡା କରି ଦିଆଯାଇଥାଏ। କେହି କେହି ଖଣିରେ ମଧ୍ୟ ଶୁଅନ୍ତି। ଆପଣମାନେ ଅନେକ ଖଣି କ’ଣ ଜାଣି ନଥିବେ। ଗଂଜାମରେ ଧାନ ଅମଳ ପରେ ଗାତ ଖୋଳି ଏହାକୁ ମାଟିତଳେ ରଖାଯାଏ। ଏହା ଉପରେ ମାଟି ଲେପ ଦେଇ ପ୍ରାୟ ଏକ ମାସରୁ ଦୁଇ ମାସ ଯାଏଁ ରଖାଯାଇଥାଏ।
‘ଫୋନି’ ପରେ କରେଣ୍ଟ ପଳେଇଲା, ମୋ ଝିଅ କହିଲା, ଆଉ ଏଠାରେ ରହି ହେବନି। ଆମେ ବ୍ରହ୍ମପୁର ଚାଲିଯିବୁ। ସେଠାରେ କରେଣ୍ଟ ଅଛି। ମୁଁ କହିଲି, ୬-୭ ଦିନରେ ଆସି ଯିବନି। ସେ କହିଲା- ନା ନା ରହି ହେବନି।
ସଂଧ୍ୟାରେ ପୋଖରୀରେ ଗାଧୁଆ ପାଧୁଆ ସାରି, ରାତି ୮ଟା ବେଳେ ଖାଇ ଖଟି ଆରମ୍ଭ ହୁଏ। ରାତି ୧୦ଟା ଯାଏଁ ଚାଲେ ଗପସପ। ଆଉ ତାପରେ ଶୋଇଲେ ନିଦ ଭାଙ୍ଗେ କୁକୁଡ଼ା ରାବିଲେ। ମାସାଧିକ କାଳ ସଂଘର୍ଷ ପରେ, ଶଗଡ଼ରେ ଆସେ ଟ୍ରାନସଫର୍ମର୍। ଯେଉଁଦିନ ଗାଁରେ ଟ୍ରାନସଫର୍ମର ବସେ, ସେଦିନ ପ୍ରାୟ ଭୋଜି ହୁଏ। ଆଉ ଖୁସି କହିଲେ ନସରେ। କାରଣ ବିଦ୍ୟୁତ ନଥିବା ଯୋଗୁଁ ଟିଭିରେ କ୍ରିକେଟ୍ ଖେଳ, ରାମାୟଣ, ମହାଭାରତ ସିରିଆଲ୍ ସବୁ ମିସ୍। ଆଜିକାଲି ଭଳି ସେତେବେଳେ ୟୁଟୁବ୍ କି ମୋବାଇଲ ନଥିଲା ଯେ ପରେ ଦେଖିଦେବ। ମିସ୍ ମାନେ ମିସ୍।
ଆଜି ପ୍ରାୟ ୨୦ ବର୍ଷ ପରେ ମନେ ପଡ଼ିଲା ଗାଁ କଥା। କାରଣ ଯେତେବେଳେ ‘ଫୋନି’ ପରେ କରେଣ୍ଟ ପଳେଇଲା, ମୋ ଝିଅ କହିଲା, ଆଉ ଏଠାରେ ରହି ହେବନି। ଆମେ ବ୍ରହ୍ମପୁର ଚାଲିଯିବୁ। ସେଠାରେ କରେଣ୍ଟ ଅଛି। ମୁଁ କହିଲି, ୬-୭ ଦିନରେ ଆସି ଯିବନି। ସେ କହିଲା- ନା ନା ରହି ହେବନି। ଦିନେ ଦୁଇଦିନ ଇନଭର୍ଟରରେ କାମ ଚାଲିଲା। ତା ପରେ ସେ କହିଲା, ଆଉ ରହି ହବନି। ଟାଙ୍କିରେ ପାଣି ଯାହା ଥିଲା ତାହ ସରିବାକୁ ଲାଗିଲା। ଶେଷରେ ବାଧ୍ୟ ହୋଇ ମୁ ମୋ ଝିଅ ଏବଂ ସ୍ତ୍ରୀକୁ ବ୍ରହ୍ମପୁରରେ ଛାଡି ଆସିଲି।
ତା ପରେ ମୁଁ ଦେଖିଲେ ସହରଟା ପୁରାପୁରି ଆମ ଗାଁ ପାଲଟି ଯାଇଛି। ସଂଜ ନଉଁ ନଉଁ ଘରୁ ପଦାକୁ ବାହାରୁ ନଥିବା ଲୋକମାନେ ଦାଣ୍ଡରେ ବସି ଖଟି କରୁଛନ୍ତି। ଆମ ଗାଁରେ ଯେମିତି ପିଲାବେଳେ ମୁଁ କାନ୍ଧରେ ପାଣି ବୋହୁଥିଲି, ସେମିତି ଲୋକମାନେ ସମ୍ପରୁ କିମ୍ବା ଟିଉବୱେଲ୍ରୁ ପାଣି ବୋହୁଛନ୍ତି। ବାରଣ୍ଡାରେ ଶୋଉଛନ୍ତି। ସୁଖ ଦୁଃଖ ହେଉଛନ୍ତି।
ଏହା ଦେଖି ବେଶ୍ ଖୁସି ଲାଗିଲା। ଯାହାହେଉ ପୋଡ଼ା ଟ୍ରାନସଫର୍ମର ଏବଂ ଫୋନି ଏତିକି କରି ଦେଇ ପାରିଲା। ହେଲେ ଦିନେ ପୋଡ଼ା ଟ୍ରାନ୍ସଫର୍ମରଟି ବଦଳା ଯାଇ ପୁଣି କରେଣ୍ଟ ଆସିଗଲା। ହେଲେ ସେଦିନ ଆଉ ଖିସୁ ଲାଗିଲାନି। ମାନେ ଗାଁଟି ହଠାତ କେମିତି ପାଲଟିଗଲା ଏକ ନିର୍ଜୀବ ସହର।
ଫୋନ୍- ୯୪୩୮୬୬୩୫୯୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।