ଦଳ ବିରୋଧୀ କାର୍ଯ୍ୟ, ଦୁର୍ନୀତି, ବିଶ୍ୱାସଘାତ, ମିଡ୍ ଡେ ଅପରେସନ୍ ଓ ପାଟକୁରାବାସୀ ହଇରାଣ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପଛରେ ଏହି କାରଣଗୁଡ଼ିକ ରହିଛି ବୋଲି ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ଦଳର ଭିନ୍ନ ଭିନ୍ନ ନେତା କହିଥିଲେ। ହେଲେ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ ପାଟକୁରାବାସୀଙ୍କୁ ହଇରାଣ କରୁଥିବାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ନବୀନଙ୍କ ଏହି ଅଭିଯୋଗକୁ ଗ୍ରହଣ କରି ନାହାନ୍ତି ବିଧାୟକ ଅରବିନ୍ଦ ମହାପାତ୍ର। ସେ କାହାକୁ ହଇରାଣ କରିଛନ୍ତି? କେଉଁ ଭଳି ଭାବେ ହଇରାଣ କରିଛନ୍ତି?- ଏମିତି ଅନେକ ପ୍ରଶ୍ନର ଉତ୍ତର ସେ ନବୀନଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ କେଉଁଟି ସତ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଏବେ ନବୀନଙ୍କୁ ଆଉ କିଛି ପଚାରିବାକୁ ତାଙ୍କର ଇଚ୍ଛା ନାହିଁ ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର।
ସେ କହିଛନ୍ତି, ମୁଁ ପାଲଟା ପ୍ରଶ୍ନ ପଚାରିଥିଲି। ଏଯାବତ୍ ମୋତେ କେହି ଉତ୍ତର ଦେଇ ନାହାନ୍ତି। ତାଙ୍କ ଉପରେ ନିର୍ଭର କରେ। ସେ ଉତ୍ତର ଦେଲେ ଦେବେ ନହେଲେ ନାହିଁ। ବିଧାୟକ ଭାବେ ମୋର ଯାହା ପୂର୍ବରୁ ଥିଲା ଏବେ ବି ତାହା ଅଛି ଏବଂ ସେ କାମ ମୁଁ କରିଚାଲିବି। ମୋ ନିର୍ବାଚନ ମଣ୍ଡଳୀ ଓ ମୋ ଜିଲ୍ଲା କାମ କରିବି। ଏବେ ମୁଁ କିଛି କମିଟିରେ ଅଛି। ଆମେ ଓଡ଼ିଶା ବୁଲୁଛୁ। ଏହି ବୁଲିବା ଭିତରେ ଯେଉଁ ଯେଉଁ ସମସ୍ୟା ଦେଖୁଛି, ସେଗୁଡ଼ିକୁ ବିଧାନସଭାରେ ଉଠାଇବି।
ଆଗକୁ ବିଧାନସଭାର ବଜେଟ ଅଧିବେଶ ଥିବା ବେଳେ ନବୀନଙ୍କ ସହିତ ଭେଟ ହେଲେ ସେ କ’ଣ କହିବେ ବୋଲି ପଚରାଯିବାରେ ଅରବିନ୍ଦ କହିଛନ୍ତି, ନବୀନଙ୍କ ସହିତ ମୁହାଁମୁହିଁ ହେଲେ ଯେତିକି ସମ୍ମାନ ଦେବା କଥା ସେ ସମ୍ମାନ ମୁଁ ଦେବି। କିନ୍ତୁ ତାଙ୍କୁ ଆଉ କିଛି ପଚାରିବାକୁ ମୋର ଇଚ୍ଛା ନାହିଁ। କାରଣ ପ୍ରଥମ ଦିନରୁ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କର ଅଲଗା ଅଲଗା ମତ ରହିଥିଲା। ତେଣୁ ମୋ ବିରୋଧରେ ଅଭିଯୋଗ କରିବା ନେଇ ସେମାନଙ୍କ ପାଖରେ କିଛି ଆଧାର ନାହିଁ। ତାଙ୍କ ନିଷ୍ପତ୍ତି, ସେ ଯାହା କରିବେ। କ’ଣ କରିବେ, ତାଙ୍କ ଉପରେ ନିର୍ଭର କରୁଛି।
ସେ ଆହୁରି କହିଛନ୍ତି, ଜାନୁଆରୀ ୧୫ ତାରିଖ ପରେ ମୁଁ ପାଟକୁରାବାସୀଙ୍କୁ ଅନେକ ଥର ଭେଟି ସାରିଲିଣି। ସେମାନେ ମୋ ସହିତ ଅଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେବଳ ଜଣେ ବିଧାୟକ ନୁହେଁ, ସେମାନଙ୍କ ଘରର ଜଣେ ସଦସ୍ୟ ଭାବେ ସେମାନେ ମୋତେ ଭଲ ପାଉଛନ୍ତି। ନିର୍ବାଚିତ ଜନ ପ୍ରତିନିଧି (ସରପଞ୍ଚ ଓ ସମିତି ସଭ୍ୟ)ଙ୍କ ଠାରୁ ଆରମ୍ଭ କରି କର୍ମୀ ମଧ୍ୟ ମୋ ସହିତ ଅଛନ୍ତି।
ପାଟକୁରାକୁ ନବୀନ ନୂଆ ନେତା ପଠାଇବାକୁ କହିଥିବା ବେଳେ ଅରବିନ୍ଦ କହିଛନ୍ତି ଯେ ନୂଆ ନେତା ଦେବା କ୍ଷମତା ତାଙ୍କର ଅଛି। କିନ୍ତୁ ପାଟକୁରାବାସୀ ଗ୍ରହଣ କରିବେ କି ନାହିଁ, ତାହା ପାଟକୁରାବାସୀ କହିବେ।
ଅରବିନ୍ଦ କେଉଁ ଦଳରୁ ଓଫର ପାଇଛନ୍ତି ଅବା ସେ କାହା ସହ କଥାବାର୍ତ୍ତା ହୋଇଛନ୍ତି କି ବୋଲି ପଚରାଯିବାରେ ସେ କହିଛନ୍ତି ଯେ ସେମିତି କିଛି ହୋଇନାହିଁ। ୨୦୨୯ ନିର୍ବାଚନ ଆହୁରି ବହୁତ ବାଟ ଅ ଅଛି ବୋଲି ଅରବିନ୍ଦ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/13/aravinda-2026-02-13-16-13-44.jpg)