ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କ ପ୍ରତି 'କ୍ରୀଡ଼ାପ୍ରେମୀ' ସରକାରଙ୍କ ଉପହାସ

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ଏସିଆନ୍ ପାରା ଗେମସ୍ -୨୦୧୮ରେ ୨୦୦ ମିଟର ଦୌଡ଼ ବର୍ଗରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିଣି ସମଗ୍ର ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇଣ୍ଡୋନେସିଆର ଜାକର୍ତ୍ତାରେ ଓଡ଼ିଆ ଝିଅର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବ କରେ ବୋଲି କହିଛନ୍ତି। କିନ୍ତୁ ତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ବେଳେ ସେହି […]

JAYANTI_BEHERA_PARA_ATHLET FINAL

JAYANTI_BEHERA_PARA_ATHLET FINAL

Sampad Mahapatra
  • Published: Tuesday, 09 October 2018
  • Updated: 09 October 2018, 06:16 PM IST

Sports

Latest News

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ଏସିଆନ୍ ପାରା ଗେମସ୍ -୨୦୧୮ରେ ୨୦୦ ମିଟର ଦୌଡ଼ ବର୍ଗରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିଣି ସମଗ୍ର ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇଣ୍ଡୋନେସିଆର ଜାକର୍ତ୍ତାରେ ଓଡ଼ିଆ ଝିଅର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବ କରେ ବୋଲି କହିଛନ୍ତି। କିନ୍ତୁ ତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ବେଳେ ସେହି 'ଗର୍ବର ପ୍ରତିଫଳନ ଦେଖିବାକୁ ମିଳିନାହିଁ।

ଅନ୍ତର୍ଜାତୀୟ ସ୍ତରରେ ଜୟନ୍ତୀଙ୍କ ଏହି ସଫଳତା ପାଇଁ ରାଜ୍ୟ ସରକାର ତାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ତେବେ ଗତ ଦୁଇମାସ ପୂର୍ବରୁ ସେହି ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମସ-୨୦୧୮ରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୁଇଟି ସିଲଭର୍ ପଦକ ଜିଣିଥିବା ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କୁ ଦେଢ଼ କୋଟି ଲେଖାଏ ତିନି କୋଟି ଟଙ୍କାର ପୁରସ୍କାର ଦେଇଥିବାବେଳେ ଜୟନ୍ତୀଙ୍କ ପ୍ରତି ଏଭଳି ହୀନମନ୍ୟତାକୁ ନେଇ ପ୍ରଶ୍ନ ଉଠିଛି।

ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ଜୟନ୍ତୀ ମାତ୍ର ଦେଢ଼ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ହାତ ପୋଡ଼ି ଯାଇଥିଲା ଓ ସେବେଠୁ ସେ ଉକ୍ତ ହାତଟି ଅକାମୀ ହୋଇପଡ଼ିଛି। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ଗତବର୍ଷ ଚାଇନା ଓପନ୍ ପାରା ଆଥଲେଟିକ୍ସ ଗ୍ରାଁ' ପ୍ରି' ଚାମ୍ପିଅନଶିପ ପ୍ରତିଯୋଗିତାରେ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତାଇ ପାରିଥିଲା।ଏବେ ଜାକର୍ତ୍ତାରେ ତାଙ୍କୁ ୨୦୦ ମିଟର ଦୌଡ଼ ବର୍ଗରେ ବ୍ରୋଞ୍ଜ ପଦକ ମିଳିଛି। କିନ୍ତୁ ରାଜ୍ୟ ସରକାର ତାଙ୍କୁ ଓ ତାଙ୍କ ଭଳି ଅନ୍ୟ ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ମାତ୍ର ୧୦ଲକ୍ଷ ଟଙ୍କା ଘୋଷଣା କରିବା ଜଣେ ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କ ପାଇଁ ଉପହାସ ସଦୃଶ ହୋଇଛି।

କ୍ରୀଡ଼ା କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସଫଳତା ହାସଲ କରୁଥିବା ଓଡ଼ିଆ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର କୋଟିକୋଟି ଟଙ୍କାର ପୁରସ୍କାର ରାଶି ସହ ସେମାନଙ୍କୁ ଆଗକୁ ବଢ଼ିବା ନିମନ୍ତେ ପ୍ରୋତ୍ସାହନ ରାଶି ଦେଉଛନ୍ତି। ଏହି କ୍ରମରେ ଯାଜପୁରର ଝିଅ ଦୂତି ଚାନ୍ଦ ଗତ ମାସକ ପୂର୍ବରୁ ଜକାର୍ତାରେ ଏସିଆନ ଗେମସରେ ୧୦୦ମିଟର ଦୌଡ଼ରେ ସିଲଭର ପଦକ ଜିଣିବାବେଳେ ତାଙ୍କୁ ଦେଢ଼ କୋଟି ଓ ଦିନକ ପରେ ୨୦୦ମିଟର ଦୌଡ଼ରେ ପୁଣିଥରେ ସିଲଭର ପଦକ ଜିତିବାରୁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।ଏପରିକି ତାଙ୍କୁ ଟୋକିଓ ଅଲମ୍ପିକ-୨୦୨୦ ପାଇଁ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡ଼ିଶାର ଝିଅ ଦୂତିଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିବା ସ୍ୱାଗତଯୋଗ୍ୟ କିନ୍ତୁ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍। ସରକାର ସମସ୍ତଙ୍କ ପ୍ରତି ସମାନ ଆଭିମୁଖ୍ୟ ପୋଷଣ କରିବାର ଆବଶ୍ୟକତା ରହିଛି ବୋଲି କ୍ରୀଡ଼ା ଜଗତରେ ମତ ପ୍ରକାଶ ପାଇଛି। ଦୂତିଙ୍କୁ ୨୦୦ମିଟର ଦୌଡ଼ରେ ସିଲଭର ପଦକ ପାଇଁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେହି ୨୦୦ମିଟର ଦୌଡ଼ ନିମନ୍ତେ ଜୟନ୍ତୀଙ୍କୁ ମିଳିଥିବା ବ୍ରୋଞ୍ଜ ପଦକ ପାଇଁ ସମାନୁପାତିକ ପୁରସ୍କାର ରାଶି ଘୋଷଣା ନକରିବା ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos