Advertisment

Aspirational Blocks: ୪୦ରୁ ୨୦ ଆକାଂକ୍ଷୀ ବ୍ଲକ୍ ବାଦ୍ ଦେଲେ କେନ୍ଦ୍ର ସରକାର, ମୋହନଙ୍କ ପ୍ରସ୍ତାବରେ ୧୧ ନୂଆ ବ୍ଲକ୍ ସାମିଲ

୨୦୨୩ ମସିହାରୁ ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୨୯ ଥିବାବେଳେ ଏଥିରୁ ୨୦ଟି ବ୍ଲକକୁ ବାଦ୍ ଦିଆଯାଇଛି । ପୁରୁଣା ୯ଟି ବ୍ଲକ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ୧୧ଟି ବ୍ଲକକୁ ମିଶାଇ ଏବେ ମୋଟ ୨୦ଟି ବ୍ଲକ ନିମନ୍ତେ ‘ପ୍ରଭାରୀ ଅଫିସର’ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

author-image
Prakash Sethi
Block-Prabhari

Aspirational Blocks Prabhari Officer List

ପଛୁଆ ଅଂଚଳର ବିକାଶକୁ ତ୍ୱରାନ୍ୱିତ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ‘ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ’ ତାଲିକାରୁ ଓଡ଼ିଶାର ୨୦ଟି ବ୍ଲକ୍ ବାଦ୍ ପଡ଼ିଛି । ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ ଦେଇଥିବା ୧୧ଟି ନୂଆ ବ୍ଲକକୁ ଏଥିରେ ସାମିଲ କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ‘ପ୍ରଭାରୀ ଅଫିସର’ ନିଯୁକ୍ତି ଦିଆଯିବା ପରେ ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୨୦କୁ ହ୍ରାସ ପାଇଥିବା ସ୍ପଷ୍ଟ ହୋଇଛି । ୨୦୨୩ ମସିହାରୁ ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୨୯ ଥିବାବେଳେ ଏଥିରୁ ୨୦ଟି ବ୍ଲକକୁ ବାଦ୍ ଦିଆଯାଇଛି । ପୁରୁଣା ୯ଟି ବ୍ଲକ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ୧୧ଟି ବ୍ଲକକୁ ମିଶାଇ ଏବେ ମୋଟ ୨୦ଟି ବ୍ଲକ ନିମନ୍ତେ ‘ପ୍ରଭାରୀ ଅଫିସର’ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । 

Advertisment


ପ୍ରଭାରୀ ଅଫିସର ନିଯୁକ୍ତି, ଜଣାପଡ଼ିଲା ଆକାଂକ୍ଷୀ ବ୍ଲକ ହ୍ରାସ


କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ଗତ ସପ୍ତାହରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିକଟକୁ ପଠାଇଥିବା ଚିଠିରେ ‘ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଓଡ଼ିଶାର ୨୦ଟି ବ୍ଲକ ପାଇଁ ‘ପ୍ରଭାରୀ ଅଫିସର’ଙ୍କୁ ନିଯୁକ୍ତି ଦିଆଯାଇଥିବାର ସୂଚନା ଦେଇଛନ୍ତି । ଦେଶର ୨୧୯ଟି ଜିଲ୍ଲାରେ ଥିବା ଆକାଂକ୍ଷୀ ବ୍ଲକଗୁଡ଼ିକ ନିମନ୍ତେ କେନ୍ଦ୍ର ସରକାରଙ୍କ ଅଫିସରମାନଙ୍କୁ ‘ପ୍ରଭାରୀ’ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି ।


ଆଇଏଏସ୍ ଆଶୀଷ ଠାକରେଙ୍କୁ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ , ଇଣ୍ଡିଆନ ଡିଫେନ୍ସ ଆକାଉଣ୍ଟାଣ୍ଟ ସର୍ଭିସ(ଆଇଡିଏଏସ) ଡଃ ପ୍ରଦୀପ କୁମାର ଜେନାଙ୍କୁ ନୟାଗଡ଼ର ଦଶପଲ୍ଲା, ଆଇଇଏସ୍ ସୁଷମା କିଣ୍ଡୋଙ୍କୁ ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ, ନିତି ଆୟୋଗର ଅଧିକାରୀ ଆଶୀଷ କୁମାର ଦାସଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଓ ନୂଆଗାଁ, ଆଇଏଏସ୍ ପରାଗ ହର୍ଷଦ ଗାଭିଲଙ୍କୁ କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ହରିଚନ୍ଦନପୁର ଏବଂ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଓ ଠାକୁରମୁଣ୍ଡା ବ୍ଲକ୍ ପ୍ରଭାରୀ ଅଫିସର ଭାବେ ନିଯୁକ୍ତି ମିଳିଛି । 

Advertisment


 ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମରେ ଏହି ୯ଟି ପୁରୁଣା ବ୍ଲକ୍ ସମେତ ଅନ୍ୟ କେନ୍ଦୁଝର ଜିଲ୍ଲାର ୫ଟି ନୂଆ ବ୍ଲକ୍ ଯଥା ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତୋଲକୋଇର ପ୍ରଭାରୀ ଭାବେ ଶ୍ରୀ ଗାଭିଲ ଏବଂ ମୟୂରଭଞ୍ଜ ଜିଲ୍ଲାର ୬ଟି ବ୍ଲକ ଯଥା- ବାହାଳଦା, ବିଜାତଳା, ଜାମଦା, କୁସୁମୀ, ରାଇରଙ୍ଗପୁର ଓ ତିରିଂ ବ୍ଲକ ରହିଛି । ଯାହାର ପ୍ରଭାରୀ ଅଫିସର ଭାବେ ଆଇଏଏସ୍ ଶ୍ରୀ ପଣ୍ଡାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର (New Block In Odisha) ଏହି ନୂଆ ୧୧ଟି ବ୍ଲକକୁ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ରେ ସାମିଲ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଆକାଂକ୍ଷୀ ବ୍ଲକ୍ ସଂଖ୍ୟା ୨୯ରୁ ୪୦କୁ ବୃଦ୍ଧି ପାଇବ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଏବେ ରାଜ୍ୟର ଏହି ୬ଟି ଜିଲ୍ଲାର ୨୦ଟି ବ୍ଲକ୍ ପାଇଁ ୬ଜଣ ‘ପ୍ରଭାରୀ ଅଫିସର’ ନିଯୁକ୍ତି ଦିଆଯିବା ପରେ ଓଡ଼ିଶାରେ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ ଅନ୍ତର୍ଗତ ବ୍ଲକ୍ ସଂଖ୍ୟା ୨୦କୁ ହ୍ରାସ ପାଇଥିବା ସ୍ପଷ୍ଟ ହୋଇଛି ।


ବାଦ୍ ପଡ଼ିଲା ୭ଜିଲ୍ଲାର ୨୦ଟି ବ୍ଲକ୍‌


କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷୀ ଜିଲ୍ଲା ଶୈଳୀରେ ୨୦୨୩ ଜାନୁୟାରୀ ମାସରୁ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇ ଓଡ଼ିଶାର ୧୬ଟି ଜିଲ୍ଲାର ମୋଟ ୨୯ଟି ବ୍ଲକକୁ ସାମିଲ କରାଯାଇଥିଲା । କେନ୍ଦ୍ର ସରକାର ୨୦୧୮ ମସିହାରୁ  ଦେଶର ୧୧୨ଟି ଜିଲ୍ଲା ସମେତ ଓଡ଼ିଶାର ୧୦ଟି ଜିଲ୍ଲାକୁ ‘ଆକାଂକ୍ଷୀ ଜିଲ୍ଲା’ ଭାବେ ଘୋଷଣା କରି ସେଠାରେ କେନ୍ଦ୍ରୀୟ ଅଫିସରଙ୍କୁ ନିଯୁକ୍ତି ଦେଇ ସେସବୁ ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଏହି ଶୈଳୀରେ ରାଜ୍ୟର ୨୯ଟି ସର୍ବାଧିକ ପଛୁଆ ବ୍ଲକକୁ ଚିହ୍ନଟ କରି ସେଠାରେ ବିକାଶକୁ ଗତିଶୀଳ କରିବା ନିମନ୍ତେ ‘ଆକାଂକ୍ଷୀ ବ୍ଲକ୍ ତାଲିକା’ରେ ସାମିଲ କରିଥିଲେ । ମାତ୍ର ଚଳିତ ମାସ ୧ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆକାଂକ୍ଷୀ ବ୍ଲକ୍ ନିମନ୍ତେ ମାତ୍ର ୬ଜଣ ‘ପ୍ରଭାରୀ ଅଫିସର’ ନିଯୁକ୍ତି କରିବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାର ୨୦ଟି ବ୍ଲକ୍ ଏହି ତାଲିକାରୁ ବାଦ୍ ପଡ଼ିଥିବା ଆଶଙ୍କା କରାଯାଉଛି ।


କଳାହାଣ୍ଡି ଜିଲ୍ଲାର ନର୍ଲା, ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍ ସମେତ ରାୟଗଡ଼ା ଜିଲ୍ଲାର ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁର, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ନନ୍ଦପୁର ଓ ପଟାଙ୍ଗି, ମାଲକାନଗିରି ଜିଲ୍ଲାର କାଲିମେଳା, ପୋଡ଼ିଆ ଓ ମାଥିଲି, ନବରଙ୍ଗପୁର ଜିଲ୍ଲାର ଝରିଗାଁ, ତେନ୍ତୁଳିଖୁଂଟି ଓ ପାପଡ଼ାହାଣ୍ଡି, ଗଜପତି ଜିଲ୍ଲାର ମୋହନା, ଆର. ଉଦୟଗିରି ଓ ଗୁମ୍ମା, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, କୋଟଗଡ଼ ଓ ତୁମୁଡ଼ିବନ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ, ତୁରେକେଲା ଓ ବେଲପଡ଼ା ବ୍ଲକ୍ ଏହି ତାଲିକାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି । 


କେନ୍ଦ୍ର ତାଲିକାରୁ ବାଦ୍‌, ରାଜ୍ୟ ତାଲିକାରେ ଅଛି


କେନ୍ଦ୍ର ସରକାରଙ୍କ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ ତାଲିକାରୁ ରାଜ୍ୟର ୨୦ଟି ବ୍ଲକ୍ ବାଦ୍ ପଡ଼ିଥିବା ନେଇ ସନ୍ଦେହ କରାଯାଉଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅକ୍ଟୋବର ୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ମୋଟ ୨୦ଟି(୧୧ଟି ନୂଆ ବ୍ଲକ) ପାଇଁ  ‘ପ୍ରଭାରୀ ଅଫିସର’ ନିଯୁକ୍ତି ଦେଇଛନ୍ତି । ବାକି ବ୍ଲକଗୁଡ଼ିକ କାହିଁକି ବାଦ୍ ପଡ଼ିଛନ୍ତି ଓ ସେଠାରେ କାହିଁକି ପ୍ରଭାରୀ ଅଫିସର ନିଯୁକ୍ତି ଦିଆଯାଇନାହିଁ ତାହା ଏବେବି ଅସ୍ପଷ୍ଟ । ମାତ୍ର ଗତ ୬ତାରିଖରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଦ୍ୱାରା ଜାରି ସଚିବମାନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟସୂଚୀରେ ରାଜ୍ୟର ମୋଟ ୧୬ଟି ଜିଲ୍ଲାର ୪୦ଟି ଆକାଂକ୍ଷୀ ବ୍ଲକଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଏବେ ରାଜ୍ୟରେ ପ୍ରକୃତରେ ‘ଆକାଂକ୍ଷୀ ବ୍ଲକ୍‌’ର ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।


ଉନ୍ନତ ପ୍ରଦର୍ଶନକୁ ମିଳିଲା ସ୍ୱୀକୃତି?


ଅବଶ୍ୟ ନିତି ଆୟୋଗଙ୍କ ଦ୍ୱାରା ଗତ ଅଗଷ୍ଟ ମାସରେ ଜାରି ସମୀକ୍ଷା ରିପୋର୍ଟରେ ଏହି ବାଦ୍ ପଡ଼ିଥିବା ୨୦ଟି ବ୍ଲକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି, ଭିତ୍ତିଭୂମି ଏବଂ ଜୀବିକା ଭଳି ମୁଖ୍ୟ ପ୍ରଦର୍ଶନ ସୂଚକାଙ୍କ (କେପିଆଇଏସ)ରେ ରାଜ୍ୟର ହାରାହାରି ସ୍ଥିତିଠାରୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଅନେକ ବ୍ଲକରେ ଅନୁଷ୍ଠାନିକ ପ୍ରସବ, ବିଦ୍ୟାଳୟରେ ଉପସ୍ଥାନ, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ୯୦% ରୁ ଅଧିକ ହୋଇଛି । ଏହି ସଫଳତା ଯୋଗୁଁ ସେମାନଙ୍କୁ ଆକାଂକ୍ଷୀ ବ୍ଲକ୍ ତାଲିକାରୁ ବାଦ୍ ଦିଆଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯଦିଓ ସରକାରୀ ଭାବେ ଏନେଇ କେହି କିଛି ସୂଚନା ଦେଇନାହାନ୍ତି ।

Odisha New Block In Odisha