
ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ଗୃହକୁ ଦେଶର ରାଷ୍ଟ୍ରପତି ସମ୍ବୋଧିତ କରିବେ । ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସବୁ ଦଳର ସହଯୋଗ ଲୋଡ଼ିବା ସହ ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳକୁ ପରାମର୍ଶ ଦେଇଛନ୍ତି । ଏହି ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି । ଆଜି ଉଭୟ ଶାସକ ବିଜେପି ଓ ବିରୋଧୀ ବିଜେଡି ନିଜର ବିଧାୟକ ଦଳ ବୈଠକ ଡାକି ରଣନୀତି କରିଛନ୍ତି ।
ରାଷ୍ଟ୍ରପତିଙ୍କ ଐତିହାସିକ ଅଭିଭାଷଣ,ସ୍ମୃତି ସାଉଁଟିବେ
ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ବିଧାନସଭାକୁ ଆସି ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବେ । ଏହି ଐତିହାସିକ ମୁହୂର୍ତ୍ତରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ରାଜ୍ୟର ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ପରେ ବିଧାନସଭାର ୧୧ ନମ୍ବର ରୁମକୁ ଯିବେ । ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ସେ ରାଇରଙ୍ଗପୁରରୁ ବିଧାୟିକା ତଥା ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଥିବାବେଳେ ବିଧାନସଭା ପରିସରରେ ଏହି ୧୧ ନମ୍ବର ରୁମ୍ ତାଙ୍କର ଅଫିସ୍ ପ୍ରକୋଷ୍ଠ ଥିଲା । ରାଷ୍ଟ୍ରପତିଙ୍କ ସମ୍ମାନରେ ଏହି ଚାମ୍ବରକୁ ସ୍ୱତନ୍ତ୍ର ଭାବେ ସଜ୍ଜିତ କରାଯାଇଛି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ଅପରାହ୍ନ ୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ରାଜଭବନରେ ତାଙ୍କୁ ସାଢ଼େ ୨ଟାରୁ ପ୍ରାୟ ୧୫ମିନିଟ୍ ପର୍ଯ୍ୟନ୍ତ ରାଜ୍ୟପାଳ, ୩ଜଣ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ପୂର୍ତ୍ତ ମନ୍ତ୍ରୀ , ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ ଓ ପୁଲିସ ଡିଜି ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସର୍ବଦଳୀୟ ବୈଠକରେ ଉପସ୍ଥିତି ଓ ସୁରକ୍ଷା କଡ଼ାକଡ଼ି
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ, ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଥିଲେ । ଗୃହରେ ବିରୋଧୀ ବିଧାୟକମାନଙ୍କୁ ଶାସକ ଦଳ ତୁଳନାରେ ସମାନ ସମୟ କହିବାକୁ ଦିଆଯାଉ ବୋଲି ବିରୋଧୀ ଦଳ ସଦସ୍ୟମାନେ ଦାବି ରଖିଥିଲେ ।
ଶୀତ ଅଧିବେଶନର ଦ୍ୱିତୀୟ ଦିନ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ଗୃହରେ ଉପସ୍ଥାପନ କରିବେ । ଏହା ବ୍ୟତୀତ ବିଭିନ୍ନ ବିଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବିଧାନସଭା ଅଧିବେଶନ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ତଥା ବିଧାନସଭା ଚାରିପାଖରେ ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଶାସକ-ବିରୋଧୀ ରଣନୀତି ଚୂଡ଼ାନ୍ତ : ଶଙ୍ଖଭବନ ଆସିଲେ ନବୀନ
ଶୀତକାଳୀନ ଅଧିବେଶନ ପୂର୍ବରୁ ଶାସକ ବିଜେପି ଓ ବିରୋଧୀ ବିଜେଡି ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ କରିଛନ୍ତି । ଶଙ୍ଖଭବନରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରାୟ ୨୦ମିନିଟ୍ ଧରି ଆଲୋଚନା ହୋଇଥିଲା ।
ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ବିଜେପି ସରକାରର ବିଗତ ୧୬ମାସର ବିଫଳତା ଗୃହରେ ଉଠିବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟରେ କୌଣସି ନୂଆ ନିଯୁକ୍ତି ବିଜ୍ଞାପନ ବାହାରି ନାହିଁ ଏବଂ ଚାକିରି ବିକ୍ରି କରାଯାଉଛି । କୃଷି କ୍ଷେତ୍ରରେ ଧାନ ସଂଗ୍ରହ ବିଭ୍ରାଟ ଏବଂ କେନ୍ଦ୍ର ସରକାର ପ୍ରାୟ ୧୦ ହଜାର କୋଟି ଟଙ୍କାର ବକେୟା ପ୍ରଦାନ ନକରିବାକୁ ବିଜେଡି ଗୃହରେ ପ୍ରସଙ୍ଗ କରିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଏହି ରଣନୀତି ଉପରେ ଆଲୋଚନା ହୋଇଛି । ଗୃହରେ ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଜବାବ୍ ଦେବାକୁ ବିଜେପି ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ବିଜେପି ସରକାର ଗତ ୧୬ ମାସର ସମସ୍ତ ଉପଲବ୍ଧିକୁ ଲୋକଙ୍କ ସମ୍ମୁଖରେ ଓ ଗୃହରେ ଦୃଢ଼ତାର ସହ ଉପସ୍ଥାପନ କରିବେ । ଏହା ସହିତ ନଭେମ୍ବର ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବା ଏକ ଐତିହାସିକ ମୁହୂର୍ତ୍ତ ହେବ, ଯାହାକୁ ସୁରୁଖୁରୁରେ ସଂପାଦନ କରିବାକୁ ପ୍ରାଥମିକତା ଦିଆଯିବ । ନଭେମ୍ବର ୨୮ରେ ପ୍ରଥମ ସପ୍ଲିମେଂଟାରୀ ବଜେଟ୍ ଉପସ୍ଥାପନ ହେବା ଏହି ଅଧିବେଶନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
