
ବିଧାୟକମାନଙ୍କ ପ୍ରତି ରାଜ୍ୟର ବିଜେପି ସରକାର ବେଶ୍ ମେହେରବାନ୍ ଅଛନ୍ତି । ରାଜ୍ୟରେ କ୍ଷମତାକୁ ଆସୁଆସୁ ବିଧାୟକମାନଙ୍କ ବାର୍ଷିକ ହାତପାଣ୍ଠି(ଏଲଏଲଏ ଲ୍ୟାଡ)ର ପରିମାଣକୁ ୩ରୁ ୫କୋଟି ଟଙ୍କାକୁ ବଢ଼ାଇଥିବା ମୋହନ ମାଝୀଙ୍କ ସରକାର ଏବେ ବିଧାୟକମାନଙ୍କ ଦରମାକୁ ମଧ୍ୟ ଅଢ଼େଇଗୁଣ ବଢ଼ାଇବାର ମାର୍ଗ ପ୍ରଶସ୍ତ କରିଛନ୍ତି । ବିଧାନସଭାର ୨୯ଦିନିଆ ଶୀତ ଅଧିବେଶନକୁ ୧୮ଟି କାର୍ଯ୍ୟଦିବସ ଥାଇ ମାତ୍ର ୧୧ଦିନରେ ବନ୍ଦ କରିଦେବା ଓ ସମଗ୍ର ଅଧିବେଶନ କାଳରେ ମୁଖ୍ୟ ବିରୋଧୀ ଦଳର ପୂର୍ଣ୍ଣ ଆତ୍ମସର୍ମପଣ ମଧ୍ୟରେ ‘ବିଧାୟକମାନଙ୍କ ଦରମା ଓ ପେନସନ୍ ବିଲ୍’ ପାରିତ ହୋଇଯିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିରୋଧୀଙ୍କ ଆତ୍ମସର୍ମପଣ, ୧୮ଟି କାର୍ଯ୍ୟଦିବସ ଥାଇ ଅଧିବେଶନ ସରିଲା
ଚଳିତ ଶୀତକାଳୀନ ଅଧିବେଶନରେ ମୁଖ୍ୟ ବିରୋଧୀ ଦଳ ‘ବିଜେଡି’ର ଭୂମିକା ସବୁଠୁ ରହସ୍ୟଜନକ ରହିଥିଲା । ଗତ ଦେଢ଼ବର୍ଷ ମଧ୍ୟରେ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ବିଧାନସଭା ଅଧିବେଶନବେଳେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ଅଚଳାବସ୍ଥା ସହ ସରକାରଙ୍କୁ ଅଡ଼ୁଆରେ ପକାଉଥିବା ବିଜେଡି ଏଥର ସମ୍ପୂର୍ଣ୍ଣ ‘ଆତ୍ମସର୍ମପଣ’ ମୁଦ୍ରାରେ ରହିଥିବା ଭଳି ଜଣାପଡ଼ିଛି । ଶୀତ ଅଧିବେଶନକୁ ୨୯ଦିନ ଚଳାଇବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିବା ଶାସକ ଦଳ କେଉଁ ପରିସ୍ଥିତିରେ ତରବରିଆ ଭାବେ ୧୧ଦିନରେ ବନ୍ଦ କରିଦେଲା ଓ ଏହାର ଦୃଢ଼ ପ୍ରତିବାଦ କରିବାରେ ପ୍ରମୁଖବିରୋଧୀ ଦଳ ବିଜେଡି କାର୍ହିକି ପଛଘୁଂଚା ଦେଲା ତାହା ଏବେବି ଅସ୍ପଷ୍ଟ ।
ରାଜରାସ୍ତାରେ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିଥିବାବେଳେ ମାଲକାନଗିରିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ବଙ୍ଗୀୟ ସମୁଦାୟ ଓ ଆଦିବାସୀ ସମୁଦାୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ଯୋଗୁ ଏମଭି-୨୬ ଗାଁ’ରେ ଲୋକେ ଏବେ ବାସହୀନ ଅବସ୍ଥାରେ ରହିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗଠୁ ଆରମ୍ଭ କରି ରତ୍ନଭଣ୍ଡାର, ନିଯୁକ୍ତି ଦୁର୍ନୀତି ଆଦି ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ଯେଭଳି ଆଭିମୁଖ୍ୟ ପ୍ରକାଶ କରେ ତାହା ଚଳିତଥର ଦେଖିବାକୁ ମିଳିନାହିଁ । ଏପରିକି ଶେଷଦିନରେ ବିଧାୟକମାନଙ୍କ ଦରମା ଓ ପେନସନ୍ ବିଲ୍ ଆଣିବା ପୂର୍ବରୁ ଅଣାଯାଇଥିବା ‘ବନ୍ଦେ ମାତରମଂ’ ସଂକଳ୍ପ ଉପରେ ବି ଅଧିକ ସମୟ ଆଲୋଚନା ନକରି ସର୍ଟକର୍ଟରେ ସରକାର ଏହା ସାରିବାରେ ସକ୍ଷମ ହୋଇଥିଲେ । ବିରୋଧୀ ଦଳ କୌଣସି ଗୋଟିଏ ବି ପ୍ରସଙ୍ଗରେ ଶାସକ ଦଳକୁ ଘେରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି । ।
ଚଳିତ ଅଧିବେଶନରେ କୌଣସି ହୋହଲ୍ଲା ବିନା ଗୃହକାର୍ଯ୍ୟ ଯେଭଳି ସୁରୁଖୁରୁରେ ଚାଲିଲା ଓ ବିଧାୟକମାନଙ୍କ ଦରମା-ପେନସନ ବୃଦ୍ଧି ବିଲ୍ ପାରିତ ହୋଇଗଲା, ତାହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ଏକ ପୂର୍ବ ନିର୍ଦ୍ଧାରିତ ରାଜନୈତିକ ବୁଝାମଣା ଥିବା ଏବଂ ବିରୋଧୀଙ୍କ ଚୁପ୍ ରହିବା ପଛରେ ଏହି ଦରମା ବୃଦ୍ଧିର ଲାଳସା ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସରକାର କେବଳ ବିଧାୟକମାନଙ୍କୁ ଅଢ଼େଇଗୁଣରୁ ଅଧିକ ବର୍ଦ୍ଧିତ ଦରମା ଦେବେ ନାହିଁ ବରଂ ପିଛିଲା ଭାବେ ୧୮ମାସର ବକେୟା ମଧ୍ୟ ଦେବେ । ଅନ୍ୟପକ୍ଷରେ ନିଜର ନ୍ୟାଯ୍ୟ ହକ୍ ପାଇଁ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀମାନେ ରାଜରାସ୍ତାରେ ଲଢ଼େଇ କରୁଛନ୍ତି । ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ଦାବି କରୁଛନ୍ତି । ୬୦ ରୁ ୮୦ ବର୍ଷର ବୃଦ୍ଧବୃଦ୍ଧା ମାସିକ ୩ ହଜାର ଟଙ୍କା ଭତ୍ତା ପାଇଁ ନେହୁରା ହେଉଛନ୍ତି । କିନ୍ତୁ ସରକାର ଏମାନଙ୍କ ପାଇଁ ନିରବ ରହି ନେତାଙ୍କ ନିମନ୍ତେ ରାଜକୋଷ ଖୋଲି ଦେଇଛନ୍ତି ।
‘ସତ ପଦାରେ ପଡ଼ିଯିବା ଭୟରେ ଗୃହକୁ ବନ୍ଦ କରିଦେଲେ: ଅରୁଣ
ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି ଯେ, ରାଜ୍ୟରେ ବିକାଶ କାମ ଠପ୍ ହୋଇଯାଇଛି, ନାରୀ ନିର୍ଯାତନା ବଢ଼ିଚାଲିଛି ଏବଂ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ବିରୋଧୀଙ୍କ ଏଭଳି ତାତ୍ତ୍ୱିକ ଆଲୋଚନାକୁ ସରକାର ଭୟ କରୁଛନ୍ତି । ସରକାରଙ୍କ ଅସଲ ଚେହେରା ରାଜ୍ୟବାସୀଙ୍କ ଆଗରେ ଖୋଲିଯିବାର ଭୟରେ ସେମାନେ ଏକଦମ ଛାନିଆ ହୋଇପଡ଼ିଛନ୍ତି । ସେଥିପାଇଁ ‘ଗୃହରେ ଆଉ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନାହିଁ’ ବୋଲି ମିଛ ବାହାନା ଓ ସଂଖ୍ୟାବଳ ଦେଖାଇ ତରବରିଆ ଭାବେ ଗୃହକୁ ବନ୍ଦ କରିଦେଲେ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।ଗତକାଲି ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାବେଳେ ମୋର ୧୦୦ଟି ଶାଣିତ ପ୍ରଶ୍ନ ବାଣରେ ସରକାର ସଂପୂର୍ଣ୍ଣ ଘାଇଲା ହୋଇପଡ଼ିଛନ୍ତି ।, ଯାହାର କୌଣସି ଉତ୍ତର ସରକାରଙ୍କ ପାଖରେ ନାହିଁ ।
ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ତଥ୍ୟଭିତ୍ତିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ଗୃହରେ ବିରୋଧୀ ଦଳ ଆତ୍ମସମର୍ପଣ କରିଛି ଯାହା କୁହାଯାଉଛି ତାହା ଠିକ୍ ନୁହେଁ । ଗଣମାଧ୍ୟମ ଭାବୁଛି କେବଳ ହୋ-ହାଲ୍ଲା କଲେ ବିରୋଧୀ ସକ୍ରିୟ, କିନ୍ତୁ ଏହା ଭୁଲ୍ ଧାରଣା । ଆମେ ହଟ୍ଟଗୋଳ ନକରି ମଧ୍ୟ ଯୁକ୍ତିଯୁକ୍ତ ପ୍ରଶ୍ନ ଜରିଆରେ ସରକାରଙ୍କୁ ସଂପୂର୍ଣ୍ଣ ଲଙ୍ଗଳା କରିଦେଇଛୁ ବୋଲି ବରିଷ୍ଠ ବିଜେଡି ବିଧାୟକ ଶ୍ରୀ ସାହୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ବ୍ୟକ୍ତିଗତ ସୁଖଲାଳସା ପାଇଁ ଏ ଦରମା ବୃଦ୍ଧି: ଓସା ଆବାହକ
ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଏକ ଅଦ୍ଭୂତ ପ୍ରକ୍ରିୟାରେ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯାଉଛି । ସେମାନେ ନିଜ ଦରମା ବୃଦ୍ଧି ନିଷ୍ପତ୍ତି ନିଜେ ନେଉଛନ୍ତି । କାହିଁକି ସରକାର ଗୋଟିଏ ବୈଷୟିକ କମିଟି କରି ସେଥିରେ ଅବସରପ୍ରାପ୍ତ ଅର୍ଥ ବିଶେଷଜ୍ଞମାନଙ୍କ ପରାମର୍ଶ ନେଲେନି । ଦରମା ବଢ଼ିବାର ଆବଶ୍ୟକତା ଅଛି, ତାକୁ ଆମେ ଅସ୍ୱୀକାର କରୁନୁ । କିନ୍ତୁ ଉପଯୁକ୍ତ ପ୍ରକ୍ରିୟାରେ ଦରମା ବଢ଼ୁ । ଆଉ ଏହି ଦରମା ୩ଗୁଣ ବଢ଼ିଗଲା ପରେ ଯେ ବିଧାୟକମାନେ ଆଉ ପିସି କାରବାରରେ ଲିପ୍ତ ରହିବେ ନାହିଁ ତା’ର ଗ୍ୟାରେଣ୍ଟି କିଏ ଦେବ । ସେମାନେ ତ ନିର୍ବାଚନ ଜିତିବା ପରେ ପଦ ଓ ଗୋପନୀୟତାର ଶପଥ ନେଉଛନ୍ତି । ତଥାପି ଦୁର୍ନୀତି ଅଭିଯୋଗ ଆସୁଛି । ତେଣୁ ସରକାର ସୁନିଶ୍ଚିତ କରାନ୍ତୁ ଯେ, ରାଜ୍ୟରେ ପିସି ସମ୍ପୂର୍ଣ୍ଣ ବନ୍ଦ ହେବ ଓ ଏଥିପାଇଁ ନୀତିଗତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଯେଉଁଠି ପିସି କିମ୍ବା ଦୁର୍ନୀତିର ଅଭିଯୋଗ ଆସିବ ନିର୍ଦ୍ଧାରିତ ଅବଧି ମଧ୍ୟରେ ତା’ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ କହିଛନ୍ତି ।
ଲୋକାୟୁକ୍ତକୁ ତ ଏ ସରକାର ପଙ୍ଗୁ କରି ରଖିଛନ୍ତି । ଆଉ ବିଧାୟକଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ତା’ର ନିରପେକ୍ଷ ତଦନ୍ତ ହେବ ବୋଲି ଆଶା କରାଯାଇନପାରେ । ସାଧାରଣ ଲୋକଟିଏ ଅଭିଯୋଗ କରିବ ବା କେଉଁଠି? ତା’ଛଡ଼ା ଏ ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ତାହା ପୂରଣ କରୁନାହାନ୍ତି ।
ରତ୍ନଭଣ୍ଡାର ମଣତିଗଣତି ହେଉ ଓ ଦୁର୍ନୀତିର ସିବିଆଇ ତଦନ୍ତ ଅନ୍ୟାନ୍ୟ କଥାକୁ ପୂରଣ କରୁନାହାନ୍ତି । ମାତ୍ର ଯେଉଁ ପ୍ରତିଶ୍ରୁତି ସେମାନେ ଦେଇନଥିଲେ-ଯଥା ବିଧାୟକଙ୍କ ଦରମାର ଓ ଏମଏଲଏଲ୍ୟାଡ୍ ବୃଦ୍ଧ ଭଳିି କାର୍ଯ୍ୟକୁ ଆଗ କରୁଛନ୍ତି । ଏହା ଆଦୌ ଜନସ୍ୱାର୍ଥ ନୁହେଁ ବରଂ ବ୍ୟକ୍ତିଗତ ସୁଖଲାଳସା ଓ ବିଳାସବ୍ୟସନ ପାଇଁ ଏହି ଦରମା ଓ ଭତ୍ତା ବଢ଼ିଛି ବୋଲି ଓସା ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
