ହତ୍ୟା ପାଇଁ ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର!

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସିରିଜ୍‌ ଦୁର୍ଘଟଣା ଆଳରେ ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ଘଟିଥିବା ଏହି ସିରିଜ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ଆଣିଛନ୍ତି ହତ୍ୟା ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି। ଏପରି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି […]

bolangiri (1)

bolangiri (1)

Hemant Lenka
  • Published: Saturday, 21 May 2022
  • Updated: 21 May 2022, 04:30 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସିରିଜ୍‌ ଦୁର୍ଘଟଣା ଆଳରେ ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ଘଟିଥିବା ଏହି ସିରିଜ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ଆଣିଛନ୍ତି ହତ୍ୟା ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି। ଏପରି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ବଲାଙ୍ଗିର ଆରଟିଓ ଅଫିସ ଛକରେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ ୪୦୭ ବାଇକକୁ ଧକ୍କା ଦେବାରୁ ଏହା ଗୋଟିଏ ଇନୋଭାର ପଛପଟେ ପିଟି ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଗୋଟିଏ ଟ୍ରକ ୪୦୭କୁ ଧକ୍କା ଦେଇଥିଲା। ଏଥିସହ ଟ୍ରକ୍‌ଟି ରାସ୍ତାକଡ଼ରେ ଥିବା ଗୋଟିଏ ଗଛରେ ମାଡ଼ ହୋଇଥିଲା। ଏହି ସିରିଜ୍‌ ଦୁର୍ଘଟଣାରେ ବାଇକରେ ଥିବା ବରଗଡ଼ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିବା ବେଲେ ପ୍ୟାଲେସ ଲାଇନର ସାନୁ ନାଏକ ଓ ଚିତ୍ତ ମହାନ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।

ପ୍ରଥମେ ଏହାକୁ ଏକ ସାଧାରଣ ସିରିଜ୍‌ ଦୁର୍ଘଟଣା ବୋଲି କୁହାଯାଉଥିଲା। କିନ୍ତୁ ଦୁର୍ଘଟଣାରେ ଆହତ ହୋଇଥିବା ସାନୁ ଜମି ବିବାଦରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ଏହି ଘଟଣାରେ ଅନ୍ୟତମ ଆହତ ଚିତ୍ତ ମହାନ୍ତିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ହେଲେ ଚିତ୍ତ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରି ପାଲଟା ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିବା ଅଭିଯୋଗ କରିଛନ୍ତି।

ଆହତ ସାନୁ ନାଏକ କହିଛନ୍ତି, କିଛି ଦିନ ତଳେ ଚିତ୍ତ ମହାନ୍ତି ମୋତେ ହତ୍ୟା ଧମକ ଦେଇଥିଲେ। ମୋ ଘର ଲୋକଙ୍କୁ ମଧ୍ୟ ସେ ମାରିବେ ବୋଲି କହିଥିଲେ। ଆମ ଜମିକୁ ସେମାନେ ହଡ଼ପ କରିବାକୁ ଚାହୁଁଥିଲେ। ଏଥିପାଇଁ ୧୩ ତାରିଖରେ ମୋ ବଡ଼ ଭାଇଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରାଯାଇଥିଲା। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଆମ ଘର ଆଗରେ ଗୋଟିଏ ୪୦୭ ଛିଡ଼ା ହୋଇଥିଲା। ମୁଁ ଘରକୁ ବାହାରି ଥାନାକୁ ଯାଉଥିଲି। ଗୋଟିଏ କାମ ପାଇଁ ଥାନାର ପୂର୍ଣ୍ଣିମା ମାଡାମ ଫୋନ କରିଥିଲେ। ଏହି ସମୟରେରେ ମୋତେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ସାନୁଙ୍କ ଅଭିଯୋଗ ଉପରେ ଚିତ୍ତ ମହାନ୍ତି ମଧ୍ୟ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି। ସେ କହିଛନ୍ତି, “ରାସ୍ତା କଡ଼ରେ ଥିବା ଗୋଟିଏ ଦୋକାନରେ ମୁଁ ଛିଡ଼ା ହୋଇଥିଲି। ଏହି ସମୟରେ ଗୋଟିଏ ଟ୍ରକ୍‌ ବାଇକକୁ ଧକ୍କା ଦେଇ ମୋ ଆଡ଼କୁ ମାଡ଼ି ଆସିଥିଲା। ଟ୍ରକ୍‌ ଧକ୍କା ଦେବାରୁ ମୁଁ କିଛି ବାଟ ଛିଟିକି ପଡ଼ିଥିଲି। ମୋତେ ହତ୍ୟା ପାଇଁ ଏପରି ଉଦ୍ୟମ କରାଯାଇଥିଲା।” କିନ୍ତୁ ସାନୁଙ୍କ ସହ ତାଙ୍କର କୌଣସି ଜମି ବିବାଦ ନଥିବା ଚିତ୍ତ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକର ନମ୍ବର ପ୍ଲେଟ୍ ନକଲି ବୋଲି କୁହାଯାଉଛି। ନମ୍ବର ପ୍ଲେଟରେ କଳା ରଙ୍ଗ ବୋଳା ଯାଇଛି। ତେଣୁ ଏହାକୁ ନେଇ ବି ସ୍ଥାନୀୟ ଲୋକ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ସବୁ ଦିଗରୁ ତଦନ୍ତ କରୁଥିବା ବଲାଙ୍ଗିର ଏସଡିପିଓ ତୋଫାନ ବାଗ କହିଛନ୍ତି। ସେ କହିଛନ୍ତି, ଗୋଟିଏ ଇନୋଭା, ଗୋଟିଏ ଟ୍ରକ, ଗୋଟିଏ ୪୦୭ ଓ ଗୋଟିଏ ବାଇକ୍‌କୁ ନେଇ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରାସ୍ତା ରୋକ ହୋଇଥିଲା।

ତେବେ ପୁଲିସ୍‌ ଫୋର୍ସ ନେଇ ରାସ୍ତା ଅବରୋଧକୁ ହଟାଇ ଦିଆଯାଇଛି। ଘଟଣାରେ ୩ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏବେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହାକୁ ଦୁର୍ଘଟଣା ବୋଲି ବିବେଚନା କରାଯାଉଛି। ତଥାପି ଆହତମାନେ ଆଣିଥିବା ହତ୍ୟା ଉଦ୍ୟମ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ। ଗାଡ଼ି ଗୁଡ଼ିକ ଜବତ କରାଯାଇ ଏହାର ନମ୍ବର ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos