ଦେବେନ୍ଦ୍ର ପୃଷ୍ଟି
ଏଇ ଆମ ପୃଥିବୀ। ଏହା ଉପରେ ସମସ୍ତଙ୍କର ଅଧିକାର। ଏହା କେବଳ ମଣିଷମାନଙ୍କର ବାସସ୍ଥାନ ନୁହେଁ। ଏଠି ଗଛ ରହିବେ, ଗୁଳ୍ମ ରହିବେ, ତୃଣ ରହିବେ, ତୃଣଭୋଜି ରହିବେ, ପଶୁପକ୍ଷୀ ରହିବେ, କୀଟପତଙ୍ଗ ରହିବେ, ମଣିଷ ରହିବେ। ସମସ୍ତଙ୍କୁ ନେଇ ସନାତନ ହେବ ପୃଥିବୀ। ପୃଥିବୀ ସୃଷ୍ଟିରୁ ଆଦ୍ୟ କାଳରୁ ଏଠି ଯେତେ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ସୃଷ୍ଟି ହୋଇଛନ୍ତି, ସମସ୍ତଙ୍କ ପାଇଁ ପାଗ ଓ ପ୍ରକୃତି ଅନୁକୂଳ ଥିଲା ବୋଲି ହିଁ ସେମାନଙ୍କର ଜନ୍ମ ଓ ଜୀବନ ସମ୍ଭବ ହୋଇଥିଲା। ମାଟି, ପାଣି, ପବନ ଓ ନିଆଁର ଭାଗମାପ ଠିକ ଥିଲା ବୋଲି ଏହା ଉପରେ ସୃଷ୍ଟି ହୋଇଛି ଏଇ ବିଶାଳ ବିବିଧତା। ମଣିଷ ପୂର୍ବରୁ ଏଠି ଜନ୍ମ ହେଇଛନ୍ତି ଅନ୍ୟ ବହୁ ପ୍ରକାର ପ୍ରାଣୀ। ମଣିଷ ପୂର୍ବରୁ ବି ଜନ୍ମ ନେଇଥିଲେ ବହୁ ପ୍ରକାର ଉଦ୍ଭିଦ। ସମସ୍ତେ ବଂଚିଥିଲେ, ବଢ଼ିଥିଲେ।
ପ୍ରକୃତିର ନିୟମ ଅନୁସାରେ ମଝିରେ ମଝିରେ ଅନେକ ବିପର୍ଯ୍ୟୟ ଘଟିଛି। ବହୁ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ଲୋପ ପାଇଛନ୍ତି। ଇତିମଧ୍ୟରେ ଘଟିଯାଇଛି ପାଞ୍ଚଟି ଗଣ ବିଲୋପନ। ଲୋପ ପାଇଛନ୍ତି ହଜାର ହଜାର ପ୍ରଜାତି। କିନ୍ତୁ ତା’ ସତ୍ତ୍ୱେ ତିଷ୍ଠି ରହିଛି ପୃଥିବୀ ଓ ଏହା ଉପରେ ବହୁ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ। ପୃଥିବୀର ପ୍ରକୃତି ଓ ପ୍ରାଣୀଙ୍କ ମଧ୍ୟରେ ରହିଥିବା ଭାରସାମ୍ୟ ବା ସନ୍ତୁଳନ ରହିଥିବା ଯାଏଁ ପ୍ରାୟ ସବୁ କିଛି ଠିକ ଥିଲା। ଯେବେଠାରୁ ଏହି ସନ୍ତୁଳନ ବିଗିଡ଼ିବା ଆରମ୍ଭ କଲା ସେବେଠାରୁ ଆରମ୍ଭ ହେଲା କୃତ୍ରିମ ଦୁର୍ବିପାକ ଓ ବିଲୋପନ ପ୍ରକ୍ରିୟା। ଏବେ ଏହି ଭଳି ଏକ ବିଲୋପନ ପ୍ରକ୍ରିୟାର ସମ୍ମୁଖୀନ ହୋଇଛି ଅଷ୍ଟ୍ରେଲିଆ। ସେଠାରେ ଲାଗି ରହିଥିବା ବନାଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଯାଇଛନ୍ତି ଅନେକ ପ୍ରଜାତିର ଜୀବ ଓ ଉଦ୍ଭିଦ। ଏହା କେବଳ ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ନୁହେଁ। ଏଥିରୁ ବିଶ୍ୱର ସମସ୍ତ ଦେଶ ଶିକ୍ଷା କରିବାର ଆବଶ୍ୟକତା ରହିଛି। ବିଶେଷକରି ମଣିଷ ଜାତି ଏହାକୁ ଏକ ଅନ୍ତର୍ଜାତୀୟ ସମସ୍ୟା ଭାବେ ଗ୍ରହଣ କରିବା ଉଚିତ। କାରଣ ଏହା ଅନ୍ୟ ସବୁ ଦେଶ ପାଇଁ ବି ଏକ ଚେତାବନୀ।
ଜଙ୍ଗଲ ହେଉଛି ଜୀବନ ଓ ଜୈବ ବିବିଧତାର ଏକ ପ୍ରମୁଖ କେନ୍ଦ୍ର। ଜଙ୍ଗଲ ଅଙ୍ଗାରକାମ୍ଳ ଗ୍ରହଣ କରେ, ଅମ୍ଳଯାନ ଛାଡ଼େ। ଜଙ୍ଗଲ ଯୋଗୁଁ ଜଳଚକ୍ର ସମ୍ଭବ ହୁଏ। ଜଙ୍ଗଲରେ ଜନ୍ମ ନିଅନ୍ତି ବହୁ ପ୍ରକାର ପ୍ରାଣୀ ଓ ଉଦ୍ଭିଦ। ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସଂକଟ ସଂପର୍କରେ ଗବେଷଣା କରୁଥିବା ଅନେକ ବୈଜ୍ଞାନିକଙ୍କ ମତରେ ଜଙ୍ଗଲ କ୍ଷୟର ପରିଣାମ ହେଉଛି ଜୀବନ କ୍ଷୟ। ବିଭିନ୍ନ ବୈଶ୍ୱିକ ସଂସ୍ଥାଙ୍କ ତଥ୍ୟ ଅନୁସାରେ ଏବେ ସମଗ୍ର ବିଶ୍ୱର ସ୍ଥଳଭାଗର ମାତ୍ର ୩୧ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି। ଏହାର ପରିମାଣ ହେଉଛି ୪୦୦ କୋଟି ହେକ୍ଟର। ଏକ ହେକ୍ଟର ହେଉଛି ୨.୪୭ ହେକ୍ଟର। ଶିଳ୍ପ ବିପ୍ଳବ ପୂର୍ବରୁ ପୃଥିବୀର ଜଙ୍ଗଲ ପରିମାଣ ଥିଲା ୫୯୦ କୋଟି ହେକ୍ଟର। ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବ। ବିଂଶ ଶତାବ୍ଦୀର ଶେଷ ଭାଗ ଯାଏଁ ଶିଳ୍ପ ଓ ପ୍ରକୃତି ମଧ୍ୟରେ ଗୋଟେ ପ୍ରକାର ସନ୍ତୁଳନ ଥିଲା। କିନ୍ତୁ ୧୯୯୦ ଦଶକରୁ ଆରମ୍ଭ ହେଲା ଦ୍ରୁତ ଜଙ୍ଗଲ କ୍ଷୟ। ସେହି ଦଶନ୍ଧିରେ ପ୍ରତି ବର୍ଷ ପ୍ରାୟ ୧୬ ନିୟୁତ ହେକ୍ଟରର ଜଙ୍ଗଲ କ୍ଷୟ ହେଲା ବୋଲି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ଆକଳନ କରିଛି। ତେବେ ସେହି ସମୟ ମଧ୍ୟରେ ମାନବିକ ଓ ପ୍ରାକୃତିକ କାରଣରୁ ମଧ୍ୟ କେତେକ ଅଞ୍ଚଳରେ ବନୀକରଣ ହୋଇଥିଲା। ସବୁ ମିଶେଇଲେ ସେହି ଦଶନ୍ଧିରେ ବାର୍ଷିକ ପ୍ରାୟ ୮.୩ ନିୟୁତ ହେକ୍ଟରର ଜଙ୍ଗଲ ଲୋପ ପାଇଥିଲା। ଜନ ସଚେତନତା ଏବଂ ରାଷ୍ଟ୍ରୀୟ ସରକାରଗୁଡ଼ିକର ସକ୍ରିୟ ଭୂମିକା ଯୋଗୁଁ ୨୦୦୦ରୁ ୨୦୧୦ ମଧ୍ୟରେ ଏହି ହାର ୫.୨ ନିୟୁତ ହେକ୍ଟରକୁ ହ୍ରାସ ପାଇଛି। ଏହି ସମୟରେ ଏବଂ ଅଦ୍ୟାବଧି ବିଶ୍ୱର ବହୁ ଦେଶରେ ବନୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଜଙ୍ଗଲ କ୍ଷୟ ରୋକିବା ଓ ନିୟନ୍ତ୍ରଣ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ଏହାରି ଭିତରେ ବି ଜଙ୍ଗଲ ଲୋପ କରିବା ଭଳି ବସ୍ତୁବାଦୀ ବିକାଶର ଅନେକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଶିଳ୍ପ ଓ ସହର ପାଇଁ ଜଙ୍ଗଲ ଧ୍ୱଂସ ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି। ଜଙ୍ଗଲ କ୍ଷୟ ଯୋଗୁଁ ଦିନକୁ ଦିନ ପୃଥିବୀର ପାଗ ବଦଳି ଯାଉଛି। ବାୟୁ ମଣ୍ଡଳରେ ଅମ୍ଳଯାନ ତୁଳନାରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ସବୁଜଗୃହ ବାଷ୍ଫର ଅନୁପାତ ବଢ଼ି ବଢ଼ି ଚାଲିଛି। ବାର୍ଷିକ ବୃଷ୍ଟିପାତ ଦିନ ସଂଖ୍ୟା କମି ଚାଲିଛି। ମାଟିର ଉର୍ବରତା ହ୍ରାସ ପାଉଛି। ମୃତ୍ତିକା କ୍ଷୟ, ତୁଷାର ସ୍ତର ହ୍ରାସ ଓ ସମୁଦ୍ର ଜଳସ୍ତର ବୃଦ୍ଧି ପରି ବହୁ ବିପଜ୍ଜନକ ପରିବର୍ତ୍ତନର ସମ୍ମୁଖୀନ ହୋଇଛି ପୃଥିବୀ। ଏହିପରି ପରିବର୍ତ୍ତନ ଯୋଗୁଁ ମଝିରେ ମଝିରେ ବିଶ୍ୱ ବକ୍ଷରୁ ବିଦାୟ ନେଇଛନ୍ତି ଅନେକ ପ୍ରଜାତିର ପ୍ରାଣୀ। ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ପୃଥିବୀରେ ଜୀବସତ୍ତା ସୃଷ୍ଟି ହେବା ଦିନଠାରୁ ଏବେ ସୁଦ୍ଧା ଯେତେ ପ୍ରକାର ପ୍ରଜାତି ଜନ୍ମ ନେଇଥିଲେ ତନ୍ମଧ୍ୟରୁ ପ୍ରାୟ ୯୯ ଭାଗ ପ୍ରଜାତି ଅର୍ଥାତ ପ୍ରାୟ ୫୦୦ କୋଟି ପ୍ରକାର ପ୍ରଜାତି ଲୋପ ପାଇଗଲେଣି। ତଥାପି ଏବେ ପ୍ରାୟ ୧ କୋଟିରୁ ୧.୪ କୋଟି ପ୍ରଜାତି ପୃଥିବୀରେ ଅଛନ୍ତି ବୋଲି ଆକଳନ କରାଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୧.୨ ନିୟୁତ ପ୍ରଜାତି ସଂପର୍କରେ ମଣିଷ କିଛି ଜ୍ଞାନ ଆହରଣ କରିଛି। ବାକି ପ୍ରାୟ ୮୬ ପ୍ରତିଶତ ପ୍ରଜାତିଙ୍କ ସଂପର୍କରେ ମଣିଷ ଏଯାଏଁ କୌଣସି ଧାରଣା କରିନାହିଁ। ୨୦୧୬ ମସିହାର ଏକ ତଥ୍ୟ ଅନୁସାରେ ଏବେ ପୃଥିବୀରେ ପ୍ରାୟ ୧ ଲକ୍ଷ କୋଟି ପ୍ରଜାତି ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୦୦୦ରେ ୧ ପ୍ରଜାତି ସଂପର୍କରେ ମଣିଷର କିଛିଟା ଧାରଣା ଅଛି। ଜଙ୍ଗଲ କ୍ଷୟ ତଥା ଅନ୍ୟାନ୍ୟ ଅନେକ କାରଣରୁ ମଣିଷର ଧାରଣା ନଥିବା ବହୁ ପ୍ରଜାତି ମଧ୍ୟ ଲୋପ ପାଇଚାଲିଛନ୍ତି। ସେ ସଂପର୍କରେ ମଣିଷ ବି କିଛି ଜାଣି ନାହିଁ, ଜାଣିପାରୁ ନାହିଁ।
ଏବେ ଅଷ୍ଟ୍ରେଲିଆ ମହାଦେଶରେ ଘଟିଥିବା ବନାଗ୍ନି ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୫୦ କୋଟି ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିୟୁତ ପ୍ରାଣୀ ପ୍ରାଣ ହରାଇଛନ୍ତି। ଏହି ବିପର୍ଯ୍ୟୟରେ ଅଷ୍ଟ୍ରେଲିଆର ପ୍ରାୟ ୧୮ ନିୟୁତ ଏକରର ଜଙ୍ଗଲ ପୋଡ଼ି ଯାଇଛି। ତା’ ଫଳରେ ସେହିସବୁ ଜଙ୍ଗଲରେ ଥିବା ଅନେକ ପ୍ରଜାତିର ପ୍ରାଣୀ ମୃତାହତ ହୋଇଛନ୍ତି। ନିଆଁ ଧାସକୁ ଡରି ଅନେକ ପ୍ରାଣୀ ଜଙ୍ଗଲ ଛାଡ଼ି ପଳାଇଛନ୍ତି। ସେମାନଙ୍କ ପାଇଁ ଏବେ ଖାଦ୍ୟଭାବ। ଜଙ୍ଗଲ ହିଁ ଜଙ୍ଗଲୀ ଜନ୍ତୁଙ୍କ ଖାଦ୍ୟ ଭଣ୍ଡାର। ସେ ଭଣ୍ଡାର ଏବେ ପାଉଁଶରେ ପରିଣତ ହୋଇଛି। ଏବେ ଏହା ଅନ୍ୟ ଏକ ସଂକଟରେ ପରିଣତ ହୋଇଛି। ବଂଚି ଯାଇଥିବା ପଶୁପକ୍ଷୀ, ସରୀସୃପ, କୀଟପତଙ୍ଗଙ୍କ ପାଇଁ ଏବେ କିଏ କିପରି ଭାବେ ଖାଦ୍ୟ ଭଣ୍ଡାର ସୃଷ୍ଟି କରିବ? କେମିତି ସେମାନେ ବଂଚିବେ। ଆହତ ପ୍ରାଣୀମାନଙ୍କର ଚିକିତ୍ସା ହେବ କିପରି? ସେଥିପାଇଁ ପାଇଁ ସାଧନ କ’ଣ, ବ୍ୟବସ୍ଥା କ’ଣ? ଏହି ନିଆଁ ଯୋଗୁଁ ଯେତେ ପ୍ରାଣୀଙ୍କ ମୃତ୍ୟୁ ହେଲା ବା ହେବ ଏବଂ ଯେତେ ପ୍ରଜାତି ଲୋପ ପାଇଥିବେ ତାହାର କ୍ଷତିପୂରଣ ସମ୍ଭବ କି? ଏହି ବିପର୍ଯ୍ୟୟ ଓ ତାହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ କ’ଣ? ଏଭଳି ଅନେକ ପ୍ରଶ୍ନ ଉପରେ ଏବେ ଆଲୋଚନା କରୁଛି ଅଷ୍ଟ୍ରେଲିଆ।
ତେବେ, ଏଭଳି ସମସ୍ୟା ବିଶ୍ୱର ଅନ୍ୟ ଅନେକ ଦେଶରେ ବି ଘଟିବାର ସମ୍ଭାବନା ରହିଛି। ବୃଦ୍ଧି ପାଉଥିବା ଜନସଂଖ୍ୟା, ଶିଳ୍ପାୟନ, ସହରାୟନ, ଜୀବନ ସୁବିଧାଗୁଡ଼ିକର ଯାନ୍ତ୍ରିକୀକରଣ, ଜୀବାଶ୍ମ ଇନ୍ଧନର ବହୁଳ ଓ ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ଜଙ୍ଗଲ ଆଚ୍ଛାଦନ ପ୍ରଭାବିତ ହେଉଛି। ଏହା ସହିତ ଜଙ୍ଗଲରେ ପ୍ରାକୃତିକ କାରଣ ବାହାରେ ମାନବିକ କାରଣ ଯୋଗୁଁ ବି ବନାଗ୍ନି ସୃଷ୍ଟି ହୋଇ ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁଙ୍କର ସର୍ବନାଶର କାରଣ ହେଉଛି। ଅଷ୍ଟ୍ରେଲିଆ ଭଳି ବିକଶିତ ଓ ସମୃଦ୍ଧି ରାଷ୍ଟ୍ର ଯଦି ବନାଗ୍ନି ନିର୍ବାପିତ କରିବାରେ ବିଫଳ ହେଲା ତେବେ ବିଶ୍ୱର କୌଣସି ଗରୀବ ଓ ଅନୁନ୍ନତ ରାଷ୍ଟ୍ର ସେପରି ସମସ୍ୟାର ସମ୍ମୁଖୀନ ହେଲେ କରିବ କ’ଣ? ଅଷ୍ଟ୍ରେଲିଆରେ ଜମି ଓ ଜଙ୍ଗଲ ତୁଳନାରେ ଲୋକସଂଖ୍ୟା କମ। ଯଦି ଭାରତ ଭଳି ଏକ ଜନାକୀର୍ଣ୍ଣ ଦେଶରେ ବନାଗ୍ନି ବ୍ୟାପିଯିବ ତେବେ କେବଳ ବଣର ପଶୁପକ୍ଷୀ ନୁହନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ମଣିଷ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଏବେ ଭାରତର ବହୁ ଜଙ୍ଗଲରେ ଆଦିବାସୀ ବସବାସ କରୁଛନ୍ତି। ଏବେ ବି ଭାରତର ବହୁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକ ଜଙ୍ଗଲକୁ ଜୀବନ ଓ ଜୀବିକାର ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଏଭଳି କିଛି ସମସ୍ୟା ସୃଷ୍ଟି ଭାରତରେ ସୃଷ୍ଟି ହେବା ପୂର୍ବରୁ ଭାରତ ସରକାର ଏବଂ ରାଜ୍ୟ ସରକାରଗୁଡ଼ିକ ବି ପୂର୍ବରୁ ସେ ଦିଗରେ ସଜାଗ ହେବା ଜରୁରୀ। କେବଳ ସଜାଗ ନୁହେଁ, ତାହାର ମୁକାବିଲା କରିବା ପାଇଁ ବି ପ୍ରସ୍ତୁତ ରହିବା ଆବଶ୍ୟକ।