/odisha-reporter/media/media_files/2025/11/19/bigil1-2025-11-19-15-32-23.jpg)
ମୃତ ବିଗିଲ
ଚିପ୍ସ ପ୍ୟାକେଟରେ ଥିବା ଏକ ଛୋଟ ଖେଳଣାକୁ ଖେଳୁ ଖେଳୁ ଗିଳିଦେବାରୁ ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକରମାହା ଗ୍ରାମ ନିକଟସ୍ଥ ମୁସିମାହାରେ। ମୃତ ଶିଶୁ ପୁତ୍ରର ନାମ ବିଗିଲ ପ୍ରଧାନ। ତାକୁ ୩ ବର୍ଷ ୫ ମାସ ହୋଇଥିଲା।
ଘଟଣାଟି ଗତକାଲିର। ମୁସିମାହାର ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ସବୁଦିନ ଭଳି ଗତକାଲି ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲା। ଛୁଟି ହେବା ପରେ ବାପା ରଞ୍ଜିତ ପ୍ରଧାନ ତାଙ୍କୁ ସେଠାରୁ ଆଣି ନିଜ ମକା କ୍ଷେତକୁ ନେଇଯାଇଥିଲେ। ସେଠାରେ ପୁଅକୁ ଚିପ୍ସ ପ୍ୟାକେଟ୍ଟିଏ ଧରାଇ ଦେଇ ରଞ୍ଜିତ ନିଜ କାମରେ ଲାଗିପଡ଼ିଥିଲେ।
ବିଗିଲ ଚିପ୍ସ ଖାଇ ସାରିବା ପରେ ସେହି ପ୍ୟାକେଟ୍ରେ ଥିବା ଏକ ଛୋଟ ଖେଳଣା (ପ୍ଲାଷ୍ଟିକ ବନ୍ଧୁକ)କୁ ଧରି ଖେଳୁ ଥିଲା। ତେବେ ଖେଳିବା ବେଳେ ଭୁଲ ବଶତଃ ପିଲାଟି ପ୍ଲାଷ୍ଟିକ୍ ବନ୍ଧୁକଟିକୁ ଗିଳି ଦେଇଥିଲା। ଖେଳଣାଟି ତା’ ତଣ୍ଟିରେ ଅଟକି ଯାଇଥିଲା। ଫଳରେ ସେ ଅଣନିଃଶ୍ୱାସୀ ହୋଇଯାଇଥିଲା।
ବିଗିଲ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରଞ୍ଜିତ ଓ ତାଙ୍କ ପତ୍ନୀ ଖେଳଣାଟିକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେମାନେ ବିଗିଲକୁ ଦାରିଙ୍ଗବାଡ଼ି ଡାକ୍ତରଖାନାକୁ ନେଇଯାଇଥିଲେ। ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଡାକ୍ତରଖାନାରେ ତାକୁ ମୃତ ଘୋଷଣା କରାଯାଇଥିଲା।
ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଯାକେଶ ସାମନ୍ତରାୟ କହିଛନ୍ତି, ପିଲାଟିର ବାପାଙ୍କ ସୂଚନା ଅନୁଯାୟୀ, ଗତକାଲି ଦିନ ୧୨ଟା ବେଳେ ସେ ଅଙ୍ଗନୱାଡ଼ି କେନ୍ଦ୍ରରୁ ଫେରିବା ପରେ ଚିପ୍ସ ଖାଇଥିଲା। ଚିପ୍ସ ଖାଇବା ବେଳେ ଭୁଲବଶତଃ ପ୍ୟାକେଟ୍ରେ ଥିବା ଛୋଟ ଖେଳଣାଟିକୁ ସେ ଗିଳି ଦେଇଥିଲା। ତା’ ବାପାମା’ ଖେଳଣାଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହେବା ପରେ ଦିନ ପ୍ରାୟ ୨ଟା ବେଳେ ସେମାନେ ଛୁଆଟିକୁ ଡାକ୍ତରଖାନା ଆଣିଥିଲେ। ସେତେବେଳକୁ ଛୁଆଟିର ମୃତ୍ୟୁ ହୋଇସାରିଥିଲା। ପିଲାଟି ଖେଳଣାଟିକୁ ଗିଳିଦେବା ପରେ ତାହା ଯାଇ ତା’ ଶ୍ୱାସନଳୀରେ ଅଟକି ଯାଇଥିଲା। ଫଳରେ ସେ ନିଃଶ୍ୱାସ ନେଇ ପାରିନଥିଲା। ତେଣୁ ତା’ର ମୃତ୍ୟୁ ଘଟିଥିଲା।
ମୃତ ବିଗିଲର ବାପା ରଞ୍ଜିତ ପ୍ରଧାନ କହିଛନ୍ତି ଯେ ଆଉ ଟିକେ ପୂର୍ବରୁ ଡାକ୍ତରଖାନା ଯାଇଥିଲେ ତା’ର ଜୀବନ ବଞ୍ଚିଯାଇଥା’ନ୍ତା। କିନ୍ତୁ ଗାଁରୁ ଶୀଘ୍ର ନେବା ପାଇଁ ସୁବିଧା ନଥିଲା। ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ତାକୁ ଆମେ ବାଇକରେ ଧରି ଦାରିଙ୍ଗବାଡ଼ି ଡାକ୍ତରଖାନା ନେଇଥିଲୁ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
