Advertisment

ହସୁଛି ବଡ଼ମାଲ ସଂରକ୍ଷିତ ଜଙ୍ଗଲ; ସୁରକ୍ଷା କବଚ ପାଲଟିଛନ୍ତି ୧୬ ମହିଳା

ଏହି ମହିଳାଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ  ୨୦ ବର୍ଷ ମଧ୍ୟରେ ନା ତ ଜଙ୍ଗଲରେ ନିଆଁ ଲାଗିଛି ନା ଗୋଟିଏ ବି ଗଛ ଚୋରି ହୋଇଛି। ନିଜ ଛୁଆକୁ ଛୋଟରୁ ବଡ଼ କରିବା ପରି ଦିନରାତି ଏହି ଗଛମାନଙ୍କର ଯତ୍ନ ନେଇ ସେମାନେ ତାହାକୁ ବଢ଼ାଇଛନ୍ତି।

author-image
Niharika Rout
Forest

Forest

୨୦ ବର୍ଷ ତଳେ ଜଙ୍ଗଲରେ ଲଗା ଯାଇଥିବା ଛୋଟ ଛୋଟ ଚାରାକୁ ଆଜି ଆଖି ପାଉନି। ଚାରିଆଡ଼େ ସବୁଜିମା। କେଉଁଠି ଶାଳ, ପିଆଶାଳ ତ କେଉଁଠି ହସୁଛି କେନ୍ଦୁ ଓ ମହୁଲ ଗଛ। ଭଳିକି ଭଳି ଗଛରେ ପରିପୂର୍ଣ୍ଣ ହୋଇଛି ୫୦ ହେକ୍ଟର ପରିମିତ ଜାଗା। ଆଉ ଏହାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି ୧୬ ମହିଳା। ବନ ସୁରକ୍ଷା ସମିତିର ଏହି ୧୬ ମହିଳା ହାତରେ ବାଡ଼ି ତଥା କାନ୍ଧରେ କୁରାଢି ଧରି ବର୍ଷ ସାରା ଜଙ୍ଗଲକୁ ଜଗି ରହୁଛନ୍ତି ।

Advertisment

ଏହି ମହିଳାଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ  ୨୦ ବର୍ଷ ମଧ୍ୟରେ ନା ତ ଜଙ୍ଗଲରେ ନିଆଁ ଲାଗିଛି ନା ଗୋଟିଏ ବି ଗଛ ଚୋରି ହୋଇଛି। ନିଜ ଛୁଆକୁ ଛୋଟରୁ ବଡ଼ କରିବା ପରି ଦିନରାତି ଏହି ଗଛମାନଙ୍କର ଯତ୍ନ ନେଇ ସେମାନେ ତାହାକୁ ବଢ଼ାଇଛନ୍ତି।

Forestମହିଳା ପାଲଟିଛନ୍ତି ବଡ଼ମାଳ ସଂରକ୍ଷିତ ଜଙ୍ଗଲର ସୁରକ୍ଷା କବଚ

 ଏଥିପାଇଁ ଏହି ସମିତିକୁ ରାଜ୍ୟ ସରକାରଙ୍କ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେଳେ ପ୍ରଶଂସା ବି ଢେର ମିଳୁଛି। ଏପରି ଏକ ଜଙ୍ଗଲ ହେଉଛି ବଲାଙ୍ଗିର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଧୀନ ବଡମାଲ ରେଞ୍ଜରେ ଥିବା ବଡ଼ମାଲ ସଂରକ୍ଷିତ ଜଙ୍ଗଲ ।

Advertisment

ବଡ଼ମାଲ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି ଲମ୍ୱଟିଦାଦର ଗାଁ । ୨୦ ବର୍ଷ ତଳେ ଏହି ଜଙ୍ଗଲ ପୁରୁଷମାନଙ୍କ ହାତରେ ଥିବା ବେଳେ ପ୍ରବଳ ଚୋରି ହେବା ସହ ନିଆଁ ବି ଲାଗୁଥିଲା। ଏହାପରେ ଗାଁର ୧୬ ଜଣ ମହିଳା ଏକ ବନ ସୁରକ୍ଷା ସମିତି ଗଠନ କରି ଏହି ଜଙ୍ଗଲ ଜଗିବା ଆରମ୍ଭ କଲେ। ହାତରେ ଏକ ଲମ୍ବା ବାଡ଼ି ସହ କାନ୍ଧରେ କୁରାଢ଼ି ପକାଇ ଦିନକୁ ୨ ଜଣ ଲେଖା ମହିଳା ଜଙ୍ଗଲରେ ପଇଁତରା ମାରୁଛନ୍ତି । ଫଳରେ ଜଙ୍ଗଲରେ କେହି ପଶିବାକୁ ସାହସ କରି ପାରୁ ନ ଥିବା ବେଳେ ୫୦ ହେକ୍ଟର ଜାଗାରେ ପରିବ୍ୟାପ୍ତ ହୋଇଛି ସବୁଜିମା ।

Forest ବନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ମହିଳାମାନେ।

ଏହି ମହିଳାମାନେ ନିଜ ପିଲା ପରି ସବୁ ଗଛର ଯତ୍ନ ନେଉଛନ୍ତି। ଗଛରେ ଲାଗିଥିବା ଉଇକୁ ସଫାକରି ଅନାବନା ଡାଳକୁ ନିୟମିତ ବ୍ୟବଧାନରେ କାଟୁଛନ୍ତି। ସତର୍କତାର ସହିତ ସୁଖିଲା ପତ୍ରକୁ ସଫାକରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରୁଛନ୍ତି।  ଜଙ୍ଗଲକୁ ସୁରକ୍ଷା ଯୋଗାଇବା ସହ ମହିଳାମାନ ଏଠାରୁ ଛତୁ, ଶାଳପତ୍ର, କେନ୍ଦୁ ପତ୍ର, ଶାଳ ମଞ୍ଜି, ଝୁଣା, ମହୁଲ, ହରିଡ଼ା, ବାହାଡ଼ା ଆଦି ସଂଗ୍ରହ କରି ନିଜେ ବି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି। ବେଶି କିଛି ଆର୍ଥିକ ଲାଭ ନ ମିଳିଲେ ମଧ୍ୟ ଜଂଗଲକୁ ଆମେ ଆମ ପିଲା ପରି ଭଲ ପାଇ ତା’ ସେବା ଯତ୍ନରେ ଲାଗି ପଡ଼ିଛୁ ବୋଲି ହସ ହସ ମୁହଁରେ କହିଛନ୍ତି ମହିଳାମାନେ ।

Forestଜଙ୍ଗଲକୁ ସୁରକ୍ଷା ଦେଉଥିବା ବନ ସୁରକ୍ଷା ସମିତି ସଭ୍ୟା।

ମା’ ଲକ୍ଷ୍ମୀ ଭିଏସଏସ ସଭାପତି ଶୁଭ୍ରକେଶୀ ବୁଡେକ କହିଛନ୍ତି, ଆଗରୁ ଜଙ୍ଗଲରୁ ଚୋରି ହେଉଥିବା ବେଳେ ଆମେ ଏହାର ସୁରକ୍ଷା ନିଜ ହାତକୁ ନେଲୁ। ସେବେଠୁ ଚୋରି ବନ୍ଦ ହୋଇ ଯାଇଛି। ୨୦୦୩-୦୪ରୁ ଆମେ ୧୬ ଜଣ ଜଙ୍ଗଲ ଜଗୁଛୁ। ୨୦ ବର୍ଷ ମଧ୍ୟରେ କେବେ ବି ଏହି ଜଙ୍ଗଲରେ ଲାଗିନି ନିଆଁ । ଆବଶ୍ୟକ ସ୍ଥଳରେ ଅନ୍ୟମାନଙ୍କୁ ଫୋନ୍‌ କରି ସହାୟତା ମାଗୁଛୁ। ଫଳରେ ତତ୍‌କ୍ଷଣାତ ବନ ବିଭାଗ କର୍ମଚାରୀଙ୍କ ସମେତ ଗାଁ ଲୋକେ ବି ପହଞ୍ଚି ଯାଉଛନ୍ତି। ଫଳରେ ଆମର ବେଶି କିଛି ସମସ୍ୟା ହେଉନି।

Forestମହିଳାମାନେ ଗଛର ଯତ୍ନ ନେଉଛନ୍ତି।

, ବଡମାଲ ରେଂଜର ରେଞ୍ଜର ପ୍ରଦୀପ ସେଠୀ କହିଛନ୍ତି, ମହିଳାମାନଙ୍କ ନିରବଚ୍ଛିନ ପ୍ରୟାସ ଯୋଗୁ ଏହି ଜଙ୍ଗଲ ଏବେ ସବଜିମାରେ ପରିପୂର୍ଣ୍ଣ ହୋଇ ହସୁଛି। ଏଠାରେ ବହୁ ଜୀବଜନ୍ତୁ ବି ରହୁଛନ୍ତି। ୨୦ ବର୍ଷ ହେଲା ଚୋରି ହୋଇନି କି ନିଆଁ ଲାଗିନି।

ସବୁଜିମା ପାଇଁ ନିରବଚ୍ଛିନ ପ୍ରୟାସ ନିମନ୍ତେ ରାଜ୍ୟ ସରକାର ତଥା ବିଭିନ୍ନ ଅନୁଷ୍ଠାନପକ୍ଷରୁ ଅନେକ ପ୍ରଶଂସା ପତ୍ର ସାଉଣ୍ଟିଛନ୍ତି ଏହି ସମିତିର ସଦସ୍ୟା। ସରକାର ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ଲମ୍ୱଟିଦାଦର ଗାଁର ଏହି ମହିଳାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମାନେ ଆଖପାଖ ଗ୍ରାମବାସୀଙ୍କୁ  ଜଂଗଲର ଉପକାରିତା ବିଷୟରେ ବୁଝାଇବା ସହ ସଚେତନ କରୁଛନ୍ତି।  

Balangir Women Empowerment Forest