Advertisment

କିଏ ଜାଣିଥିଲା ବାପା ଓ ଦୁଇ ଝିଅ ଘରକୁ ଫେରିବେନି ବୋଲି?

ବସ୍‌ ଧକ୍କାରେ ବାପା ଓ ତାଙ୍କର ଦୁଇ ଝିଅଙ୍କୁ ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ଆଜି ସକାଳେ ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ଥାନା ଅଞ୍ଚଳରେ ଘଟିଛି।

Two Sister

Two Sister

Advertisment

କେତେ ଖୁସିରେ ବାପାଙ୍କ ସହିତ ଦୁଇ ଭଉଣୀ ଯାଇଥିଲେ। ଆଧାର ଅପ୍‌ଡେଟ୍‌ କରି ଶୀଘ୍ର ଘରକୁ ଫେରି ଆସିବେ ବୋଲି କଥା ଦେଇଥିଲେ! ହେଲେ କିଏ ଜାଣିଥିଲା ହସଖୁସିରେ ଘରୁ ବାହାରିଥିବା ପରିବାର ଫେରିବେନି ବୋଲି? କ୍ଷଣକ ଭିତରେ ସବୁକିଛି ଛାରଖାର ହୋଇଗଲା। ଖିଲି ଖିଲି ହସୁଥିବା ଘରର ଅଗଣା ଏବେ ଚୁପ୍‌ ହୋଇଯାଇଛି। ବସ୍‌ ଧକ୍କାରେ ବାପା ଓ ତାଙ୍କର ଦୁଇ ଝିଅଙ୍କୁ ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ଆଜି ସକାଳେ ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ଥାନା ଅଞ୍ଚଳରେ ଘଟିଛି।

Advertisment

ଆଧାରକାର୍ଡ଼ ଅପ୍‌ଡେଟ୍‌ କରିବା ପାଇଁ ବ୍ରାହ୍ମଣୀପାଲି ଗାଁର ବୀଣାପାଣି ପାଣ୍ଡେ ନିଜର ଦୁଇ ଝିଅ ଶିଖା ପାଣ୍ଡେ ଓ ରେଖା ପାଣ୍ଡେଙ୍କୁ ବାଇକରେ ବସାଇ ପୁଇଁତଳା ବ୍ଲକ୍‌ ଅଭିମୁଖେ ଯାଉଥିଲେ। ତେବେ ଗାଇଁତଲା ଛକଠାରେ ପଛପାର୍ଶ୍ୱରୁ ଆସୁଥିବା ଏକ ଘରୋଇ ବସ୍‌ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ତିନି ଜଣ ଯାକ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ତେବେ ବାଇକ୍‌ ପଛରେ ବସିଥିବା ସାନ ଝିଅ ରେଖା ପାଣ୍ଡେ ବସ ଚକା ତଳକୁ ଚାଲି ଆସିଥିଲା। ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ରେଖାକୁ ଅଧା କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଘଟଣା ସ୍ଥଳରେ ରେଖାର ମୃତ୍ୟୁ ହୋଇଥିଲା

ସ୍ଥାନୀୟ ଲୋକ ବାପା ବୀଣାପାଣି ଓ ବଡ଼ ଝିଅ ଶିଖାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଖା ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା। ବଡ଼ ଝିଅ ମୃତ୍ୟୁର କିଛି ସମୟ ପରେ ବାପା ବୀଣାପାଣି ପାଣ୍ଡେ ମେଡ଼ିକାଲ୍‌ ବେଡ୍‌ରେ ଆଖି ବୁଜିଥିଲେ।

Advertisment

ସେପଟରେ ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରେଖା ପାଣ୍ଡେଙ୍କ ମୃତଦେହ ରଖି ଗଇଁତଳା ଛକରେ ରାସ୍ତା ରୋକ କରିଥିଲେ। କ୍ଷତିପୂରଣ ସହିତ ବସ୍‌ ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ପୁଲିସ ଫୋର୍ସ ସହିତ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ତେବେ ପୁଇଁତଳା ତହସିଲଦାର ରୋହିତ ଭୋଇ କ୍ଷତିପୂରଣ ବାବଦକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟପକ୍ଷରେ ନରହନ୍ତା ବସ୍‌କୁ ପୁଲିସ୍‌ ଜବତ କରିଛି। ବସ୍‌ ଚାଳକକୁ ପୁଲିସ୍‌ ଗିରଫ କରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ଉପରେ ତଦନ୍ତ ଚଳାଇଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Accident Roadaccident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe