ବଲାଙ୍ଗିର/କଣ୍ଟାବାଞ୍ଜି/କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଫେସବୁକ୍ରେ ପ୍ରେମ ହେଲା। ପରସ୍ପରକୁ ଖୁବ୍ ଭଲ ପାଉଥିଲେ ଉଭୟ ପ୍ରେମିକ ଓ ପ୍ରେମିକା। ଉଭୟଙ୍କର ଜାତି ସମାନ ଥିବାରୁ ବିବାହ ପାଇଁ ଦୁଇପକ୍ଷର ପରିବାର ରାଜି ହୋଇଥିଲେ। ହେଲେ ବିବାହ ପାଇଁ ଯେତେବେଳେ ପ୍ରେମିକର ପରିବାର ଲୋକେ ଯୌତୁକ ମାଗିଲେ, ସେତେବେଳେ ପ୍ରେମିକାର ବାପା ପ୍ରସ୍ତାବକୁ ମନା କରିଦେଇଥିଲେ। ଆଉ ପ୍ରେମ ବିବାହରେ ବିଫଳ ହେବାରୁ ନିଜ ପ୍ରେମିକାକୁ ଘରୁ ଡାକି ନେଇ ତାକୁ ନିର୍ମମ ଭାବେ ହତ୍ୟା କରିଦେଇଥିଲା ପ୍ରେମିକ। ଏହି ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ସିନ୍ଧେଇକେଲା ଥାନା ଶୁଣ୍ଢିମୁଣ୍ଡା ଗାଁରେ ଘଟିଛି। ଘଟଣାରେ ମାସେ ପରେ ପୁଲିସ୍ ପ୍ରେମିକକୁ ଗିରଫ କରିଛି।
ବ୍ରହ୍ମପୁରର ସନ୍ତୋଷ ସାହୁ ଆର୍ମିରେ ଚାକିରୀ କରେ। ସୂର୍ଯ୍ୟାକାନ୍ତିଙ୍କ ସହ ଫେସବୁକରେ ତା’ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମ ପରେ ଉଭୟ ପରିବାର ବାହାଘର କରାଇବା ପାଇଁ ରାଜି ହୋଇଥିଲେ। ତେବେ ବିବାହ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ସନ୍ତୋଷର ମା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୂର୍ଯ୍ୟକାନ୍ତିଙ୍କ ବାପା। ଆଉ ପରେ ସୂର୍ଯ୍ୟକାନ୍ତିଙ୍କ ବାପା ବାହାଘର ପ୍ରସ୍ତାବ ଭାଙ୍ଗିଦେଇଥିଲେ।
ବାହାଘର ଭାଙ୍ଗିଯିବାରୁ ଭୀଷଣ ରାଗି ଯାଇଥିଲେ ସନ୍ତୋଷ। ପ୍ରେମ ବିବାହ ବିଫଳ ହେବା ଦେଖି ସନ୍ତୋଷ ପ୍ରତିକ୍ରିୟାଶୀଳ ହୋଇ ସୁର୍ଯ୍ୟକାନ୍ତିକୁ ଘରୁ ଡାକି ନେଇ ସିନ୍ଧେକେଲା ସ୍କୁଲ ନିକଟରେ ହତ୍ୟା କରିଦେଇଥିଲା। ପାଖାପାଖି ମାସ ପରେ ପୁଲିସ୍ ସନ୍ତୋଷକୁ ଖୋଜାଖୋଜି କରୁଥିଲା। ଆଉ କିଛି ଦିନ ତଳେ ସନ୍ତୋଷକୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଥିଲା। ଆଉ ଆଜି ତାକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ୱର ୯ ତାରିଖରେ ପୁଲିସ୍ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମକୁ ମିଳିଥିବା ସୁରାଗରୁ ତଦନ୍ତ କରିବା ପରେ ମୃତ ଯୁବତୀ ଜଣକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଶକ୍ତନଗର ପଡାର ଦୂର୍ଗା ସାହୁଙ୍କ ଝିଅ ସୂର୍ଯ୍ୟକାନ୍ତି ସାହୁ ବୋଲି ଜଣାପଡିଥିଲା। ସୂର୍ଯ୍ୟକାନ୍ତିଙ୍କ ବାପାଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ସୂର୍ଯ୍ୟକାନ୍ତିଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ନେଇ ଜାଣିବା ପରେ ପୁଲିସ୍ ସନ୍ତୋଷକୁ ଗିରଫ କରିଛି। ଗିରଫ ପରେ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି।