Advertisment

ବଲାଙ୍ଗିରରେ ସରପଞ୍ଚଙ୍କ ସାର୍ଟିଫିକେଟ ବି ନକଲି; ବାପାଙ୍କ ନାଁ ଜାଗାରେ ଶ୍ୱଶୁରଙ୍କ ନାଁ

ନକଲି ସାର୍ଟିଫିକେଟ ନେଇ ଚର୍ଚ୍ଚାକୁ ଆସିଥିବା ବଲାଙ୍ଗିର ଜିଲ୍ଲା ଏବେ ନକଲି ନେତା ପାଇଁ ଚର୍ଚ୍ଚାରେ ରହିଛି। ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟର ଗୁମର ଖୋଲୁ ଖୋଲୁ, ସାମ୍ନାକୁ ଆସୁଛି  ସାଂଘାତିକ ତଥ୍ୟ ।

author-image
Niharika Rout
Sarapancha

Sarapancha

ନକଲି ସାର୍ଟିଫିକେଟ ନେଇ ଚର୍ଚ୍ଚାକୁ ଆସିଥିବା ବଲାଙ୍ଗିର ଜିଲ୍ଲା ଏବେ ନକଲି ନେତା ପାଇଁ ଚର୍ଚ୍ଚାରେ ରହିଛି। ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟର ଗୁମର ଖୋଲୁ ଖୋଲୁ, ସାମ୍ନାକୁ ଆସୁଛି  ସାଂଘାତିକ ତଥ୍ୟ । ଡାକଘରୁ ଆରମ୍ଭ ହୋଇଥିବା ନକଲି ସାର୍ଟିଫିକେଟର ଚେର ସମବାୟ ବିଭାଗ ଓ ଶିକ୍ଷା ବିଭାଗ ବାଟ ଦେଇ ଏବେ ରାଜନୀତି ଗଳିରେ ପଶିଛି।

Advertisment

ଡାକ କର୍ମଚାରୀ, ପେକ୍ସ ସମ୍ପାଦକ ଓ ଶିକ୍ଷକ ବି ନକଲି ବୋଲି ପୂର୍ବରୁ ଜଣାପଡ଼ିଥିବା ବେଳେ ଏବେ ନେତା ବି ନକଲି ବାହାରିଲେଣି । ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ ।

ବୁଡ଼ାବାହାଲ ପଞ୍ଚାୟତ ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ଦେଇଥିବା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନକଲି ବୋଲି ଜଣାପଡିଛି । ଏହା ବାଦ ଶିକ୍ଷକଜଣକ ବାପାଙ୍କ ନାଁ ସ୍ଥାନରେ ନିଜ ଶ୍ୱଶୁରଙ୍କ ନାଁ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏପରି ଖୁଲାସା ହୋଇଛି । ହେଲେ ଏନେଇ ଯୁଗଲାଲ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଏନେଇ ଅଭିଯୋଗକାରୀ ସାମୁଏଲ ନନ୍ଦ କହିଛନ୍ତି, ସରପଞ୍ଚ ଯୁଗଲାଲ ମାଝୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟର ସତ୍ୟତାକୁ ନେଇ ପ୍ରଥମରୁ ସନ୍ଦେହ ସୃଷ୍ଟି ହୋଇଥିଲା। ସୂଚନା ଅଧିକାର ଆଇନ ବଳରେ ଏହାର ସତ୍ୟତା ଜାଣିବାକୁ ଆବେଦନ କରିଥିଲୁ। ଏହାପରେ ଉକ୍ତ ସ୍କୁଲ ଯାଇ ବୁଝାବୁଝି କରିବାରୁ ଯୁଗଲାଲ ମାଝୀ ନାମକ କୌଣସି ବ୍ୟକ୍ତି ଉକ୍ତ ସ୍କୁଲରେ ପଢ଼ି ନ ଥିବା ପ୍ରଧାନଶିକ୍ଷକ କହିଥିଲେ। ତେଣୁ ତାହା ନକଲି ବୋଲି ସ୍ପଷ୍ଟ ହୋଇଛି।

ପୂର୍ବରୁ ବଲାଙ୍ଗିର ଜିଲ୍ଲାରୁ ନକଲି ଏମବିଏ, ବିଇଡି, ଗ୍ରାଜୁଏଶନ ସାର୍ଟିଫିକେଟ ବାହାରି ସାରିଥିବା ବେଳେ ଏବେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ବି ନକଲି ବୋଲି ଜଣାପଡ଼ିଛି। ତେବେ ଏହା ମନୋଜ ମିଶ୍ରଙ୍କ କୋଚିଙ୍ଗ ସେଣ୍ଟରରୁ ଆସିଛି ନା ଅନ୍ୟ କେଉଁଠାରୁ ଆସିଛି ତାହା ତଦନ୍ତସାପେକ୍ଷ ।

ସୂଚନାଯୋଗ୍ୟ, ବଲାଙ୍ଗିରରେ ନକଲି ସାର୍ଟିଫିକେଟ ଚେର ବହୁ ତଳକୁ ଲମ୍ବିଥିବା ବେଳେ କ୍ରାଇମବ୍ରାଞ୍ଚ ୮ ଦିନ ହେବ ଏହାର ତଦନ୍ତ କରୁଛି । ୩ ଦିନ ହେଲା ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଡେରା ପକାଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ପୂର୍ବରୁ କ୍ରାଇମବ୍ରାଞ୍ଚ ଡିସିପି କହିଥିଲେ ମଧ୍ୟ ଏଯାଏ ସେ ସଂଖ୍ୟା ବଢ଼ିନି।

ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ନାଁରେ ୬ଟି କେସ୍‌ ହୋଇଛି। ବଲାଙ୍ଗିର ପୁଲିସ୍‌ ୨ଟି ଓ କ୍ରାଇମବ୍ରାଞ୍ଚ ଆଉ ୪ଟି କେସ୍‌ କରିଛି। ହେଲେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ୁ ନ ଥିବା ବେଳେ ଏହାର ତଦନ୍ତ ପରିସରକୁ ବ୍ୟାପକ କରାଯାଉ ନ ଥିବା ଅଭିଯୋଗ ହେଉଛି।

Balangir Sarapanch Fake Certificate