Advertisment

ବାଇକ୍‌ ପାଇଁ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ!

ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସଙ୍ଗୀତା ରାଜି ହୋଇନଥିଲେ। ଯେଉଁଥିପାଇଁ ସଙ୍ଗୀତାଙ୍କ ଉପରେ ଆରମ୍ଭ ହେଲା ଅକଥନୀୟ ନିର୍ଯାତନା। ସ୍ୱାମୀଙ୍କ ଅସହ୍ୟ ନିର୍ଯାତନା ନେଇ ସଙ୍ଗୀନା ଫୋନ୍‌ କରି ବାପାଙ୍କୁ କହିଥିଲେ।

author-image
Manoranjan Sial
Balangir

Balangir

ସାତ ଜନମର ସାଥୀ ହେବା ପାଇଁ ସଙ୍ଗୀତାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ ସାଧୁ। ହେଲେ ଏଇ ଜନମରେ ବାଇକ୍‌ଟିଏ ପାଇଁ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ! ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରୁ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପାଟଣାଗଡ଼ ଲରମ୍ଭାଥାନା ଇନ୍ଦପୁର ଗାଁର ସାଧୁ ଚରଣ ଛତର ୨୦୧୮ ମସିହା ଏପ୍ରିଲ୍‌ ୨୫ ତାରିଖରେ ଧଣ୍ଡାମୁଣ୍ଡା ଗ୍ରାମର ସଂଗୀତା କଥାରଙ୍କୁ ସାମାଜିକ ରୀତିନୀତି ଅନୁସାରେ ବାହା କରିଥିଲେ। ବିବାହ ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କର ଔରଷରୁ ୩ ବର୍ଷର ପୁଅ ମଧ୍ୟ ରହିଛି। ହସ ଖୁସିରେ ପରିବାର ଚାଲୁଥିବା ବେଳେ ସାଧୁଙ୍କୁ ଯୌତୁକ ଭୁତ ଗ୍ରାସ କଲା! ବାପ ଘରୁ ଯୌତୁକରେ ଗୋଟିଏ ବାଇକ ଆଣିବା ପାଇଁ ସଙ୍ଗୀତାଙ୍କୁ ସାଧୁ କହିଥିଲେ।

ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସଙ୍ଗୀତା ରାଜି ହୋଇନଥିଲେ। ଯେଉଁଥିପାଇଁ ସଙ୍ଗୀତାଙ୍କ ଉପରେ ଆରମ୍ଭ ହେଲା ଅକଥନୀୟ ନିର୍ଯାତନା। ସ୍ୱାମୀଙ୍କ ଅସହ୍ୟ ନିର୍ଯାତନା ନେଇ ସଙ୍ଗୀନା ଫୋନ୍‌ କରି ବାପାଙ୍କୁ କହିଥିଲେ। ଏହା ପରେ ବାପଘର ଲୋକେ ଯାଇ ବୁଝାବୁଝି କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସଙ୍ଗୀତାଙ୍କ ବାପା ସୁବଲ କଠାରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ ଯାଇଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ, ତୁମ ଝିଅର ଜୀବନ ଆଉ ନାହିଁ।

Advertisment

ଝିଅର ମୃତ୍ୟୁ ଖବର ପାଇ ସୁବଲଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏହା ପରେ ପରିବାର ଲୋକ ଆସି ପହଞ୍ଚିଥିଲେ ଝିଅର ଶାଶୁଘର ଇନ୍ଦପୁର ଗାଁରେ। ଘର ଭିତରେ ସଙ୍ଗୀତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ବେକରେ କଳା ରଙ୍ଗର ଦାଗ ଥିବାରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକ। ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ମାମଲାରେ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Murder Balangir