Advertisment

ବଲାଙ୍ଗିରରେ ମାଷ୍ଟ୍ରେ ବି ନକଲି; ଶିକ୍ଷକ ଦମ୍ପତିଙ୍କ ଉପରେ ଉଠିଲା ପ୍ରଶ୍ନ

ପିଲା ତିଆରି କାରଖାନାର କାରିଗର ହେଉଛନ୍ତି ନକଲି। ବର୍ଷ ବର୍ଷ ଧରି ଆଶାୟୀ ପ୍ରାର୍ଥୀ ବାହାର ରାଜ୍ୟର ସାର୍ଟିଫିକେଟ ଦେଇ ଚାକିରି ହାତେଇ ଚାଲିଥିବା ବେଳେ ଟେର ପାଇପାରିନି ଶିକ୍ଷା ବିଭାଗ ।

author-image
Niharika Rout
undefined

Duplicate

କେବଳ ଡାକ ବିଭାଗ କି ସମବାୟ ବିଭାଗ ନୁହେଁ, ଶିକ୍ଷା ବିଭାଗରେ ବି ଲମ୍ବିଛି ନକଲି ସାର୍ଟିଫିକେଟର ଚେର । ଅର୍ଥାତ ପିଲା ତିଆରି କାରଖାନାର କାରିଗର ହେଉଛନ୍ତି ନକଲି। ବର୍ଷ ବର୍ଷ ଧରି ଆଶାୟୀ ପ୍ରାର୍ଥୀ ବାହାର ରାଜ୍ୟର ସାର୍ଟିଫିକେଟ ଦେଇ ଚାକିରି ହାତେଇ ଚାଲିଥିବା ବେଳେ ଏ ସମ୍ପର୍କରେ ଟେର ପାଇପାରିନି ଶିକ୍ଷା ବିଭାଗ । ଏକ ଶିକ୍ଷକ ଦମ୍ପତିଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ହେବାରୁ ଖୋଳତାଡ଼ ହେବା ପରେ ଏହି ଘଟଣା ପଦାକୁ ଆସିଛି। ଏପରିକି ଶିକ୍ଷକଜଣକ ୨ ବର୍ଷରେ କିପରି ୨ଟି ରାଜ୍ୟରୁ ବିଏ ଓ ବିଏଏଡ ସାର୍ଟିଫିକେଟ ହାତେଇ ପାରିଲେ ତାକୁ ନେଇ ଦେଖାଦେଇଛି ପ୍ରଶ୍ନ ।

Advertisment

ଗତ ୩ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୩୭୮ ଜଣ ଶିକ୍ଷକଙ୍କର ବାହାର ରାଜ୍ୟର ସାର୍ଟିଫିକେଟ ଥିବା ଜଣାଯାଇଛି । ତେବେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ସାର୍ଟିଫିକେଟ ଅସଲି ଓ କେତେ ଜଣଙ୍କର ନକଲି ତାହା ସ୍ପଷ୍ଟ ହୋଇପାରିନି । ଏପରି ଚାଞ୍ଚଲ୍ୟକର ଖବର ପ୍ରଚାରିତ ହେବା ପରେ ଶିକ୍ଷା ବିଭାଗ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ବି ଏହି ଘଟଣାର ଖୋଳତାଡ଼ କରିବାରେ ଲାଗି ପଡ଼ିଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଇଁତଳା ଥାନା ପାଇକ ସମରା ଗାଁର ଜିତେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ଗାୟତ୍ରୀ ମଲ୍ଲିକ ବାହାର ରାଜ୍ୟର ସାର୍ଟିଫିକେଟ ଦେଇ ନିଜ ରାଜ୍ୟରେ ଚାକିରି ହାତେଇଛନ୍ତି। ତେବେ ସେମାନଙ୍କ ସାର୍ଟିଫିକେଟ ଅସଲି ନା ନକଲି ତାହା ସ୍ପଷ୍ଟ ହୋଇ ପାରିନି।

Advertisment

୨୦୧୧ ମସିହାରେ ଜିତେନ୍ଦ୍ର ମଲ୍ଲିକ ତାମିଲନାଡୁର କାମରାଜ ୟୁନିଭରସିଟିରେ ବି. ଏ ପାସ କରିଥିବା ବେଳେ ୨୦୧୨ରେ ମିରଟର ଚୌଧୁରୀ ଚରଣ ସିଂ ବିଦ୍ୟାଳୟରେ ବି. ଇ. ଡ଼ି ପାସ କରିଛନ୍ତି। ଜଣେ ଦୁଇ ବର୍ଷ ଭିତରେ କେମିତି ଦୁଇଟି ଭିନ୍ନ ଭିନ୍ନ ରାଜ୍ୟର ୟୁନିଭରସିଟିରେ ବି. ଏ ଓ ବି. ଇ. ଡ଼ି ପାସ୍‌ କରିପାରିଲା ତାକୁ ନେଇ ଦେଖାଦେଇଛି ଦ୍ଵନ୍ଦ ।

କେବଳ ସେତିକି ନୁହେଁ, ଜିତେନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ଗାୟତ୍ରୀ ମଲ୍ଲିକ ମଧ୍ୟ ତାମିଲନାଡୁର ଆନାମଳାଇ ୟୁନିଭରସିଟିର ବି. ଇ.ଡ଼ି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଜଣାପଡିଛି । ଦୁଇଜଣ ଯାକ ଫେକ୍‌ ସାର୍ଟିଫିକେଟ ଦେଇଥିବା ନେଇ ଏସ. ପି ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।

କେବଳ ବଲାଙ୍ଗିର ଜିଲ୍ଲାରୁ ଗତ ୩ ବର୍ଷରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ୩୭୮ ଜଣ ଶିକ୍ଷକଙ୍କର ବାହାର ରାଜ୍ୟର ସାର୍ଟିଫିକେଟ ଥିବା ଜଣାଯାଇଛି । ବାହାର ରାଜ୍ୟ ଡିଗ୍ରୀଧାରୀ ଶିକ୍ଷକଙ୍କ ତାଲିକା କରୁଛି ଶିକ୍ଷା ବିଭାଗ । ଖୁବ୍‌ ଶୀଘ୍ର ସାର୍ଟିଫିକେଟ ଯାଞ୍ଚ ପାଇଁ ଶିକ୍ଷା ବିଭାଗର ସ୍ୱତନ୍ତ୍ର ଟିମ୍‌ ବାହାର ରାଜ୍ୟକୁ ଯିବ ବୋଲି ଜଣାଯାଇଛି।

ସୂଚନାଯୋଗୃ, ପୂର୍ବରୁ ଡାକ ବିଭାଗରେ ଚାକିରି ପାଇଥିବା କର୍ମଚାରୀଙ୍କ ସାର୍ଟିଫିକେଟ ନକଲି ବୋଲି ଧରା ପଡ଼ିଥିବା ବେଳେ ଗତକାଲି ଜଣେ ପେକ୍ସ ସମ୍ପାଦକଙ୍କ ସାର୍ଟିଫିକେଟ ନକଲି ବୋଲି ଧରାପଡ଼ିଥିଲା। ନକଲି ଏମବିଏ ସାର୍ଟିଫିକେଟ ଦେଇ ରଶ୍ଜୀରଞ୍ଜନ ନାମକ ଯୁବକ ଏହି ଚାକିରି ହାତେଇଥିବା ଜଣାପଡ଼ିଥିଲା।

ଏହାପରେ ଆଜି ଶିକ୍ଷକଙ୍କ ନକଲି ସାର୍ଟିଫିକେଟ କେଳେଙ୍କାରୀ ସାମନାକୁ ଆସିଛି । ଏହି ନକଲି ସାର୍ଟିଫିକେଟର ଚେର କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ ବହୁ ଜିଲ୍ଲାକୁ ବ୍ୟାପିଥିବେ ଜଣାପଡ଼ୁଛି।

Odisha Education Department Fake Certificate