ବେଆଇନ କଫ୍ ସିରପ ବିକ୍ରି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଝାଙ୍କରପଡ଼ାର କୁନ୍ତୀ ନାଗ ନାମ୍ନୀ ମହିଳା କଫ ସିରପ ବ୍ୟବସାୟୀଙ୍କୁ ବାନ୍ଧିଛି ପୁଲିସ୍। l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି l
ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଏନଏସିସ୍ଥିତ ଝାଙ୍କରପଡ଼ାର କୁନ୍ତୀ ନାଗ ନିଜ ଘରେ କଫ ସିରପ୍ ବିକ୍ରି କରୁଥିଲେ l କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। କୁନ୍ତୀଙ୍କ ଘରୁ ୧୩୦ଟି କଫ ସିରପ ବୋତଲ ଜବତ କରାଯାଇଥିଲା।
ଥାନାରେ ଅଟକ ରଖି ପଚରାଉଚରା କରାଯିବା ପରେ କୁନ୍ତୀ କଫ ସିରପ ବିକ୍ରି କରୁଥିବା ସ୍ୱୀକାର କରିଥିଲେ l କୁନ୍ତୀଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପୁଅ ବି ଏଥିରେ ସାମିଲ ଥିବା ଜଣାଯାଇଛି। ତେବେ ତାଙ୍କ ପୁଅଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
ଅନେକ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବେଆଇନ ଭାବରେ କଫ ସିରପ ବିକ୍ରି ଚାଲିଛି l କିନ୍ତୁ ଚୁପ୍ ବସିଥିଲେ ଅବକାରୀ ବିଭାଗ ଓ ପୁଲିସ। ଜଣେ ମହିଳା ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ଏହି ବ୍ୟବସାୟ ଚଳାଇଥିବା ବେଳେ ପୁଲିସ୍ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।