Advertisment

ଡାକ୍ତର ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନଗଦ ପ୍ରାୟ ଦୁଇ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଜଣାଯାଇଛି।

author-image
Niharika Rout
police

police

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପରିବାର ସହ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଡାକ୍ତର ଦମ୍ପତି। ମାତ୍ର ଏହା ମଧ୍ୟରେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ନଗଦ ପ୍ରାୟ ଦୁଇ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ଶାନ୍ତପଡାରେ ହୋଇଛି। ଲୁଟ୍‌ର ଶିକାର ଡାକ୍ତର ଦମ୍ପତି ହେଲେ ଶିଶୁ ରୋଗ ବିଶେଷଜ୍ଞ ଡା. ପୁଷ୍ପରଂଜନ ମିଶ୍ର ଓ ତାଙ୍କ ପତ୍ନୀ ଡା. ଆରତୀ ମିଶ୍ର।

Advertisment

ଡା. ପୁଷ୍ପରଂଜନ ମିଶ୍ର ପରିବାର ସହ ଶାନ୍ତପଡ଼ାସ୍ଥିତ ନିଜ ଘରେ ରୁହନ୍ତି। ଏକ ବିବାହରେ ଯୋଗ ଦେବାକୁ ଗତ ମଙ୍ଗଳବାରଠାରୁ ସେ ପରିବାର ସହ ସହର ବାହାରକୁ ଚାଲି ଯାଇଥିଲେ। ଏଥିନିମନ୍ତେ ଘରେ ତଥା ଗେଟ୍‌ରେ ତାଲା ଝୁଲୁଥିଲା। ଘରେ କେହି ନ ଥିବା ସନ୍ଦେହରେ ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଡା. ମିଶ୍ରଙ୍କ ଘରେ ପଶିଥିବା ଜଣାଯାଇଛି।

ସେମାନେ ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ମେନ୍‌ଗେଟ୍‌ ସହ ଘରର ତାଲା ଭାଙ୍ଗି ଘରେ ପଶିଥିଲେ। ଏହାପରେ ଘରେ ଥିବା ଆଲମାରୀ ଲକର ଭାଙ୍ଗି ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଓ ଲକ୍ଷାଧୀକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି।

Advertisment

ପଡ଼ୋଶୀଙ୍କଠାରୁ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଡା. ମିଶ୍ରଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ବି ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି। ହେଲେ ଲୁଟେରାଙ୍କ ପତ୍ତା ମିଳିପାରିନି।

ଡା. ମିଶ୍ର ସହର ବାହାରେ ଥିବାରୁ ତାଙ୍କୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ସେ ଆଜି ପହଞ୍ଚିବା ପରେ ଏ ନେଇ ଥାନାରେ ଏତଲା ଦେବେ ବୋଲି ଜଣାଯାଇଛି। ତେବେ ଏ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Loot