ଲମ୍ପଟ ପ୍ରେମିକର ଖେଳ ଶେଷ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରଥମେ ପ୍ରେମ ଆଉ ତାପରେ ଶାରୀରିକ ସଂପର୍କ । ଆଉ ସୁଯୋଗ ଦେଖି ପ୍ରେମିକାକୁ ଅପହରଣ । ଶେଷରେ  ଧୋକା ଦେଇ ଜେଲ ଯାଇଛି ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଂଚଳରେ । ମାଟିଆଭଟା ଗାଁର ଜଣେ କଲେଜ ପଢୁଆ ନାବାଳିକା ଏବଂ ଅନକାମରା ଗାଁର ଅଜୁ ବେହେରାଙ୍କ ମଧ୍ୟରେ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମରେ ଏତେ ଆଗକୁ ଚାଲିଯାଇଥିଲେ ଯେ, ଉଭୟେ ଅନେକ ଥର ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ ।

ଗତ ୨୩ ତାରିଖ ଦିନ ପ୍ରେମିକା ଧଣ୍ଡାମୁଣ୍ଡା କଲେଜକୁ ପାଠପଡିବାକୁ ଯାଇଥିବା ସମୟରେ ପ୍ରେମିକ ଜଣକ ପ୍ରେମିକାକୁ ଅପହରଣ କରିନେଇଥିଲା । କିନ୍ତୁ ଦୁଇଜଣ ଭିନ୍ନ ଜାତିର ହୋଇଥିବାରୁ ପ୍ରେମିକର ପରିବାର ଲୋକେ ବୋହୂ କରିବା ପାଇଁ ମନା କରିଦେଇଥିଲେ । ଫଳରେ ପୁଣିଥରେ ପ୍ରେମିକାକୁ ତାଙ୍କ ଘରେ ଛାଡି ଫେରାର ମାରିଥିଲା ପ୍ରେମିକ । ଏନେଇ ଆଖପାଖ ପାଂଚଖଣ୍ଡ ଗାଁ ଲୋକେ ବୈଠକ ଡାକି ପ୍ରେମିକ ଅଜୁକୁ ପ୍ରେମିକାକୁ ବାହା ହେବା ପାଇଁ କହିଥିଲେ । କିନ୍ତୁ ବୈଠକରେ ଅଜୁ ପ୍ରେମିକାକୁ ବାହା ହେବ ନାହିଁ ବୋଲି କହିଥିଲା ।

ଫଳରେ କିଛି ଏସ.ଏଚ.ଜି ଗ୍ରୁପର ମହିଳାଙ୍କ ସହିତ ପୀଡ଼ିତା ପରିବାର ଲୋକେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖପ୍ରାଖୋଲ ପୁଲିସ ଆଜି ଧୋକାବାଜ ପ୍ରେମିକ ଅଜୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିବାରୁ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଏବଂ ପୋସ୍କୋଆକ୍ଟରେ ମାମଲା ରୁଜୁ କରିଛି ପୁଲିସ । ସେପଟେ ଆଜି ମାଟିଆଭଟା ତଥା ଆଖପାଖ ପାଂଚଟି ଗାଁର  ଶତାଧିକ ମହିଳା  ପିଡିତାଙ୍କ ପରିବାର ସହିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଆନ୍ଦୋଳନ କରିଛନ୍ତି । ଦୋଷୀକୁ କଠୋରରୁ କଠୋର ସଜା ଦେବା ସହିତ ନାରୀ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।