Advertisment

ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ବାପା!

ଗାଁ ଲୋକଙ୍କ ଭୟ ଆଗରେ ନିଷ୍ଠୁର ହେଲେ ରାଜେନ୍ଦ୍ର। ନିଜର ଦୁଇ ପୁତୁରାଙ୍କ ସହ ମିଶି ଝିଅର ମୃତଦେହକୁ ଖଟରେ ତିନି କିମି ବୋହି ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ମୃତଦେହ ଉପରେ କାଠି ପତର ପକାଇ ଦେଇ ଆସିଥିଲେ।

Balangir

Balangir

Advertisment

ନିଷ୍ଠୁର ହେଲେ ଜଣେ ବାପା। ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଲେ! ମୃତଦେହ ଫିଙ୍ଗିବାର ପ୍ରାୟ ୨୪ ଘଣ୍ଟା ପରେ ସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଉଦ୍ଧାର କରି ଆଜି ସତ୍କାର କରିଛନ୍ତି। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

Advertisment

ସୋନପୁର ଜିଲ୍ଲା ତରଭା ଥାନା ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଞ୍ଜୁକ୍ତା। ବୟସ ପ୍ରାୟ ୨୯ ହେବ। ସେ ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କ ପାଟିରେ ଘାଆ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା। ବରଂ ପାଟିରେ ହୋଇଥିବା ଘାଆ ଧୀରେ ଧୀରେ ବଢ଼ିଥିଲା।

ଡାକ୍ତରଙ୍କ ପରାମର୍ଶ କ୍ରମେ ସଞ୍ଜୁକ୍ତାଙ୍କୁ ବଲାଙ୍ଗିରର ଏକା ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା। ତା’ପରେ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ବାପା ରାଜେନ୍ଦ୍ର। ଝିଅକୁ ଭଲ କରିବା ପାଇଁ ଗୁଣି ଗାରେଡିର ସହାୟତା ନେଇଥିଲେ। ତଥାପି ଝିଅର ରୋଗ ଭଲ ହୋଇନଥିଲା। ସଞ୍ଜୁକ୍ତାଙ୍କ ଯନ୍ତ୍ରଣାରେ ଅଥୟ ହୋଇପଡ଼ିଥିଲେ ବାପା ରାଜେନ୍ଦ୍ର। କିଛି ଉପାୟ ନପାଇ ଧାର ଉଧାର କରି ୧୪ ତାରିଖରେ ଝିଅକୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରୁଥିଲେ। ହେଲେ ତା’ପୂର୍ବରୁ ଆଖି ବୁଜିଦେଲା ଝିଅ ସଞ୍ଜୁକ୍ତା।

Advertisment

ଝିଅ ମୃତ୍ୟୁ ପରେ ଗାଁରେ ଗୁଜବ ପ୍ରଚାର ହୋଇଗଲା। ବସନ୍ତ ରୋଗରେ ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହୋଇଯାଇଥିଲା। ଏହା ପରେ ମୃତଦେହ ସତ୍କାର କରିବା ପାଇଁ କେହି ଆସିଲେନି। ଜ୍ଞାତି, କୁଟୁମ୍ବଙ୍କୁ ଯେତେ ହାରି ଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ। ବରଂ ମିଳିଥିଲା ଧମକ। ଝିଅର ମୃତଦେହକୁ ବାହାରେ ଫିଙ୍ଗି ଦେବା ପାଇଁ ଗାଁ ଲୋକେ କହିଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଥିଲେ ରାଜେନ୍ଦ୍ର। ଯେଉଁ ଝିଅକୁ କୋଳେ କାଖେଇ ବଡ଼ କରିଥିଲେ, ତାକୁ କେମିତି ଫିଙ୍ଗି ଦେବେ? ସେହି ଚିନ୍ତାରେ ଘାଣ୍ଟି ହେଉଥିଲେ ରାଜେନ୍ଦ୍ର।

ଗାଁ ଲୋକଙ୍କ ଭୟ ଆଗରେ ନିଷ୍ଠୁର ହେଲେ ରାଜେନ୍ଦ୍ର। ନିଜର ଦୁଇ ପୁତୁରାଙ୍କ ସହ ମିଶି ଝିଅର ମୃତଦେହକୁ ଖଟରେ ତିନି କିମି ବୋହି ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ମୃତଦେହ ଉପରେ କାଠି ପତର ପକାଇ ଦେଇ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିରର କେତେକ ସ୍ୱଚ୍ଛାସେବୀ ଆଜି ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍‌ ଓ ପ୍ରାଶାସନର ଅନୁମତିରେ ସନ୍ଧ୍ୟା ବେଳେ ମୃତଦେହକୁ ବଲାଙ୍ଗିର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ।

ବସନ୍ତ ହାଡଫୁଟି ରୋଗର ନିରାକରଣ ହେଲାଣି। ତା’ର ଔଷଧ ମଧ୍ୟ ବାହାରିଲାଣି। ସେହି ଔଷଧ ସେବନ କରି ଲୋକେ ଆରୋଗ୍ୟ ହେଉଛନ୍ତି। ଏହା ସତ୍ତ୍ୱେ ବସନ୍ତ ରୋଗକୁ ନେଇ ଏତେ ଭୟ କାହିଁକି? କଣ ପାଇଁ ଲୋକମାନେ ବସନ୍ତ ରୋଗକୁ ନେଇ ଭୟଭୀତ? 

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe