ଛୁଆକୁ ଅଲଗା କରିଦେଲା ନିଆଁ ଲଗା ପ୍ରେମ, ଫେସବୁକ୍‌ ପ୍ରେମିକ ସହ ଅଜଣା ରାଇଜରେ ମା’

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଭଲକରି ପାଟି ଫିଟିନି।  କଥାବି କହିପାରୁନି । ଦିନରାତି ମା’କୁ ଖୋଜୁଛି। ମା’ କୋଉଠି ଅଛୁ ଫେରିଆ ଫେରିଆ ବୋଲି ଡାକ ଛାଡ଼ୁଛି।  କିନ୍ତୁ ଫେସବୁକ୍‌ ପ୍ରେମିକ ସହ ଫେରାର ହୋଇଥିବା ମା ଆଉ ଫେରିକି ଚାହୁଁନି ।  ପାଂଚବର୍ଷର ବକଟେ ଛୁଆକୁ ବି ମନେ ପକାଉନି। ଏମିତି ଏକ ସମ୍ବେଦନଶୀଳ ଚିତ୍ର ବଲାଙ୍ଗିରରୁ ଆସିଛି। ଏନେଇ ବଲାଙ୍ଗିର ଆଦର୍ଶ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ତଥାପି ସ୍ୱାମୀ ଓ ପରିବାର ଲୋକେ […]

nbcc

Tapas Behera
  • Published: Saturday, 10 April 2021
  • , Updated: 10 April 2021, 05:47 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଭଲକରି ପାଟି ଫିଟିନି।  କଥାବି କହିପାରୁନି । ଦିନରାତି ମା’କୁ ଖୋଜୁଛି। ମା’ କୋଉଠି ଅଛୁ ଫେରିଆ ଫେରିଆ ବୋଲି ଡାକ ଛାଡ଼ୁଛି।  କିନ୍ତୁ ଫେସବୁକ୍‌ ପ୍ରେମିକ ସହ ଫେରାର ହୋଇଥିବା ମା ଆଉ ଫେରିକି ଚାହୁଁନି ।  ପାଂଚବର୍ଷର ବକଟେ ଛୁଆକୁ ବି ମନେ ପକାଉନି। ଏମିତି ଏକ ସମ୍ବେଦନଶୀଳ ଚିତ୍ର ବଲାଙ୍ଗିରରୁ ଆସିଛି। ଏନେଇ ବଲାଙ୍ଗିର ଆଦର୍ଶ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ତଥାପି ସ୍ୱାମୀ ଓ ପରିବାର ଲୋକେ ନିରାଶ।

ସୂଚନା ଅନୁଯାୟୀ ବଲାଙ୍ଗିର ରାମେଶ୍ୱରନଗର ପଡ଼ାରେ ସ୍ୱାମୀ ବିଶ୍ୱଜିତ ନାଏକ , ସ୍ତ୍ରୀ ରାଜସ୍ମିତା ଓ ୫ବର୍ଷର ପୁଅ ଓ ବିଧବା ଶାଶୁକୁ ନେଇ ପରିବାର। ଅବଶ୍ୟ ପରିବାରରେ ଅଭାବ ଥିଲା।  କିନ୍ତୁ ଖୁସମିଜାଜରେ କଟୁଥିଲା ସମୟ।  ହେଲେ ଲୁଚିଲୁଚି ରାଜସ୍ଥାନର ଜଣେ ଯୁବକ ସହିତ ଫେସବୁକ୍‌ ଚାଟିଂରୁ ପ୍ରେମ ହୋଇଗଲା । ମୋବାଇଲରେ ଘଣ୍ଟା ଘଣ୍ଟା କଥାହେବା ପରେ ପ୍ରେମରେ ପାଗଳ ହୋଇଗଲେ ରାଜସ୍ମିତା। ଗୋଟିଏ ଛୁଆର ମା ହୋଇ ମଧ୍ୟ ପରକୀୟା ପ୍ରେମର ଜାଲରୁ ମୁକୁଳି ପାରି ନଥିଲେ ରାଜସ୍ମିତା। ଗତ ମାର୍ଚ୍ଚ ୨ ତାରିଖ  ଘରୁ ବଜାର ଯାଉଛି କହି ପ୍ରେମିକ ସହ ଫେରାର ହୋଇ ଗଲେ ରାଜସ୍ମିତା। ଖୋଜାଖୋଜି ପରେ ମହିଳାଙ୍କ ନାଁରେ ବଲାଙ୍ଗିର ଟାଉନଥାନାରେ ନିଖୋଜ ମାମଲା ରୁଜୁ କରିଛି ପୁଲିସ। ହେଲେ ଆଗେଇ ପାରୁନି ତଦନ୍ତ । ଏବେ ବକଟେ ଛୁଆକୁ ପୋଷୁଛନ୍ତ ବିଧବା ଶାଶୂ । ତେଣୁ  ବୋହୂକୁ ଫେରି ଆସିବା ପାଇଁ ନିବେଦନ କରିଛନ୍ତି ସେ।

ତେବେ ବିଶ୍ୱଜିତ ଓ ରାଜସ୍ମିତାଙ୍କ ପ୍ରେମ କାହାଣୀ କୌଣସି ସିନେମାର ପ୍ରେମ କାହାଣୀ ଠୁ କମ ନୁହେଁ।  ଏମାନେ କେନ୍ଦ୍ରପଡା ଜିଲ୍ଳା ଚନ୍ଦନପୂର ଗାଁର ମୂଳବାସିନ୍ଦା । ଉଭୟ ଥିଲେ ପଡୋଶୀ । ପ୍ରେମରେ ଉବୁଟୁବୁ ବିଶ୍ୱଜିତ ଓ ରାଜସ୍ମିତା ଘର ଲୋକଙ୍କ ବାରଣ ସତ୍ୱେ ଘରୁ ଫେରାର ହୋଇ କଟକରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଅଗ୍ନି ନହେଲେ ନାହିଁ ସରକାରୀ ଦଲିଲରେ ସାତ ଜନମର ସାଥି ହେବା ପାଇଁ ହାତକାଟି ଲେଖିଦେଇଥିଲେ।  ଘର ଲୋକଙ୍କ ବିରୋଧ ଯୋଗୁଁ ବଲାଙ୍ଗିର ଆସି ରାମେଶ୍ୱରନଗର ପଡାରେ ରହୁଥିଲେ। ବିଶ୍ୱଜିତ ପରିବାର ପ୍ରତିପୋଷଣ ପାଇଁ ନିଜ ମାମୁଙ୍କ ଫୁଲ ଦୋକାନରେ କାମକରନ୍ତି ।  ଯେତିକି ରୋଜଗାର ହୁଏ ସାମର୍ଥ ଅନୁଯାୟୀ ସ୍ତ୍ରୀର ଆବଶ୍ୟକତା ପୂରଣ କରନ୍ତି ।  କିନ୍ତୁ ବିଶ୍ୱଜିତଙ୍କ କହିବା କଥା ସ୍ତ୍ରୀ ରାଜସ୍ମିତା ସୌକିନ ଲାଇଫଷ୍ଟାଇଲ ଚାହୁଁଥିଲେ। ତେଣୁ ଫେସବୁକ୍‌ରେ ଚାଟିଂ କରୁକରୁ ଜଣେ ଯୁବକ ସହିତ ପ୍ରେମରେ ପଡିଥିଲେ । ଏ ନେଇ କିଛି ଦିନ ଆଗରୁ ବିଶ୍ୱଜିତ ଜାଣିଥିଲେ ।  ବାରଣ କଲାରୁ ସ୍ତ୍ରୀ ସମ୍ପୃକ୍ତ ଯୁବକଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ।  କିନ୍ତୁ ଶେଷରେ ଦିନେ ପ୍ରେମ ପାଇଁ ଘର ଛାଡିଥିବା ପ୍ରେମିକା ନିଜ ପ୍ରଥମ ପ୍ରେମକୁ ପ୍ରତାରିତ କରି ଫେସବୁକ୍‌ ପ୍ରେମିକ ସହିତ ଫେରାର ହୋଇଗଲେ।

କିନ୍ତୁ ନିଜ ଜୀବନରୁ ଅଧିକ ସ୍ତ୍ରୀକୁ ଭଲ ପାଉଥିବା ବିଶ୍ୱଜିତ ଏବେ ସ୍ତ୍ରୀର ଫଟୋ ଧରି ଗୁମୁରି ଗୁମୁରି କାନ୍ଦୁଛନ୍ତି  । ପୁଲିସ ପାଖକୁ ଦଉଡି ଦଉଡି ନୟାନ୍ତ। କେବଳ ତାରିଖ ଦେଇ ଗତ ଦେଢ ମାସ ହେବ ଫେରାଇ ଦେଉଛି ବଲାଙ୍ଗିର ଆଦର୍ଶ ପୁଲିସ ।  ତେଣୁ ଗଣମାଧ୍ୟମ ଜରିଆରେ ସ୍ତ୍ରୀକୁ ଫେରି ଆସିବା ପାଇଁ ସେ ନିବେଦନ କରିଛନ୍ତି।

କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ।  ପ୍ରେମ ପାଇଁ ଜୀବନ ଦେବାରେ ବି ନଜିର ଅଛି।  କିନ୍ତୁ ପ୍ରେମରେ ଏମିତି ବି ପ୍ରତାରଣା ହୁଏ, ଯାହା ପବିତ୍ର ପ୍ରେମକୁ  କଳଙ୍କିତ କରେ। ଆଉ ଉପରୋକ୍ତ କାହାଣୀ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

 

Related story