Advertisment

ସଂପର୍କୀୟ ଭାଇଙ୍କ ଉପରେ ଚଢ଼ିଗଲା ବିଜେଡି ସାଂସଦଙ୍କ ଗାଡ଼ି

ଦୁର୍ଘଟଣା ବେଳେ ଗାଡ଼ିରେ ସାଂସଦ ଥିବା ନେଇ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
CAR AND SCOOTY

CAR AND SCOOTY

Advertisment

ବିଜେଡିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର ଧକ୍କାରେ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଟଙ୍କଧର ବିଶ୍ୱାଳ। ତାଙ୍କ ଘର ଲରମ୍ଭା ଥାନା ଇନପୁର ଗାଁରେ।

ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟଙ୍କଧର ବିଶ୍ୱାଳ ସ୍କୁଟିରେ ପାଟଣାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଇନୋଭା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଟଙ୍କଧରଙ୍କୁ ଧକ୍କା ଦେବା ପରେ ଇନୋଭାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଡ୍ରାଇଭର ଗାଡ଼ିକୁ ନେଇ ଲରମ୍ଭା ଥାନାକୁ ଚାଲି ଯାଇଥିଲେ। ଗାଡ଼ିଟି ଲରମ୍ଭା ଥାନାରେ ଥିବା ବେଳେ ଡ୍ରାଇଭରଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖାଯାଇଛି।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ଗୁରୁତର ତାଙ୍କଧରକୁ ପାଟଣାଗଡ଼ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସାଂସଦଙ୍କ ଇନୋଭା ଗାଡ଼ିରେ ଡ୍ରାଇଭରଙ୍କ ସହିତ ସଫାରୀ ପିନ୍ଧା ଆଉ ଜଣେ ବ୍ୟକ୍ତି ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ସାଂସଦଙ୍କ ପ୍ରତିକ୍ରିୟା ସନ୍ଦେହ ସୃଷ୍ଟି କରିଛି।

ସାଂସଦ ନିରଞ୍ଜନ ବିଶି ନିଜେ ଗାଡ଼ିରେ ଥିଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ କହିଛନ୍ତି, ମୁଁ ଗାଡ଼ିରେ ନଥିଲି। ଡ୍ରାଇଭର ଏକା ଆମ ଗାଁ କୁତୁର୍ଲାକୁ ଯାଉଥିଲେ। ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଏହା ସହିତ ମୃତ ଟଙ୍କଧର ବିଶ୍ୱାଳ ତାଙ୍କର ସମ୍ପର୍କୀୟ ଭାଇ ହେବେ ବୋଲି କହିଛନ୍ତି ସାଂସଦ।

ଏହା ଘଟଣା ତାଙ୍କୁ ମର୍ମାହତ କରିଛି। ମୃତକଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଯୋଗାଇଦିଆଯିବ ବୋଲି କହିଛନ୍ତି ସାଂସଦ।

ପ୍ରତ୍ୟକ୍ଷଦର୍ଶୀ ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ଦୁଇ ଜଣ ଥିବା କହୁଥିବା ବେଳେ ସାଂସଦ କହିଛନ୍ତି ଯେ ଡ୍ରାଇଭର ଏକୁଟିଆ ଗାଁକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀ ଓ ସାଂସଦଙ୍କ କଥାରେ ତାଳମେଳ ରହୁ ନଥିବାରୁ ସନ୍ଦେହ ସୃଷ୍ଟି ହେଉଛି। ତଦନ୍ତ ପରେ କିଏ ସତ କହୁଛି ଜଣାପଡ଼ିବ।

ପାଟଣାଗଡ଼ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ପୁଲିସ ଏହି ଘଟଣା ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

BjD Accident Bolangir Bjd Mp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe