Advertisment

ଗଞ୍ଜେଇ ଚାଷ କରିବାକୁ ଅନୁମତି ମାଗିଲେ ଚାଷୀ

‘ଧାନ କିଣ, ନହେଲେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଅ। ଅନୁମତି ନମିଳିଲେ ଆତ୍ମାହୂତି ଦେବି’

author-image
Manoranjan Sial
ଅଦ୍ୟତନ ହୋଇଛି
Balangir

Balangir

‘ମୋତେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯାଉ।’ ଏପରି ଅଜବ ନିବେଦନ କରିଛନ୍ତି ଜଣେ ଚାଷୀ। ସେ ଖପ୍ରାଖୋଲ୍‌ ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏପରି ଚିଠି ଲେଖିଛନ୍ତି। ଅନୁମତି ନମିଳିଲେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଆତ୍ମାହୂତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

ଖପ୍ରାଖୋଲ ବ୍ଲକ୍‌ ଭାଲୁଡୁଙ୍ଗୁରୀ ଗାଁର ଚାଷୀ ହେଉଛନ୍ତି ନୀଳାମ୍ୱର ବିଶ୍ୱାଳ। ତାଙ୍କର ୧୫ ଏକର ଚାଷ ଜମି ରହିଛି। ଏଥର ଭଲ ଅମଳ ମଧ୍ୟ ହୋଇଛି। ସେହି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ। ନୀଳାମ୍ୱରଙ୍କୁ ୭୮ କ୍ୱିଣ୍ଟାଲ୍‌ ଓ ତାଙ୍କ ପୁତୁରା ଅବିନାଶ ବିଶ୍ୱଳଙ୍କୁ ୫୪ କ୍ୱିଣ୍ଟାଲ୍‌ ଧାନ ବିକିବାକୁ ଟୋକନ୍‌ ମିଳିଥିଲା।

ଟୋକନ୍‌ ମିଳିବା ପରେ ନୀଳାମ୍ୱର ଗତ ୨ ତାରିଖରେ ମଣ୍ଡିକୁ ଧାନ ନେଇ ଯାଇଥିଲେ। ଆଜି ୨୦ ତାରିଖ ହେଲାଣି। ହେଲେ ମଣ୍ଡିରୁ ଧାନ ଉଠି ପାରିନାହିଁ। କେହି ଧାନ କିଣୁ ନାହାନ୍ତି। କିଛି ଉପାୟନ ପାଇ ନିଜ ଧାନକୁ ମଣ୍ଡିରେ ଜଗି ରହିଛନ୍ତି ନୀଳାମ୍ୱର। ସେପଟେ ରବି ଚାଷ ପାଇଁ ପଡ଼ିଥିବା ତଳିରୂଆ କାମ କରିପାରୁ ନାହାନ୍ତି। ତେଣୁ ସେ ଖପ୍ରାଖୋଲ ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଧାନ ନକିଣିଲେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଚିଠିରେ ଉଲ୍ଲେଖ କରିଛନ୍ତି। ଗଞ୍ଜେଇ ଚାଷ ପାଇଁ ଅନୁମତି ନଦେଲେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଆତ୍ମାହୂତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

ନୀଳାମ୍ୱର ବିଶ୍ୱାଳ କହିଛନ୍ତି, ଚାଷୀଙ୍କୁ ସରକାର ଠକୁଛନ୍ତି। ଜିଲ୍ଲା ପ୍ରଶାସନ ହେଉଛି ସରକାରଙ୍କ ଦଲାଲ୍‌। ମିଲ୍‌ ମାଲିକମାନେ ଯେମିତି ଚଲାଇବେ, ପ୍ରଶାସନ ସେମିତି ଚାଲୁଛି। କାରଣ ସେମାନେ ଚାନ୍ଦା ଦେଉଛନ୍ତି। ଚାଷୀ ଶୋଷଣରେ ଶିକାର ହେଉଛି। ଘୋଟାଲାରେ ସମସ୍ତଙ୍କର ଭାଗ ରହିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଚାଷୀ ନୀଳାମ୍ୱର ବିଶ୍ୱାଳଙ୍କ ଏହି ଚିଠି ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରାଯିବାରୁ ସେ କହିଛନ୍ତି, ସେମିତି କିଛି ଖବର ମୁଁ ପାଇନି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Farmer Farmer Protest