ଗାଁଠୁ ଅଳ୍ପ ଦୂରରେ ହେଉଥିବା ଅଷ୍ଟ ପ୍ରହରୀ ଦେଖିବାକୁ ବାଇକ୍ରେ ବାହାରି ଯାଇଥିଲେ ଦୁଇ ଭାଇ ଓ ଅନ୍ୟ ଜଣେ ସାଙ୍ଗ। ଅଷ୍ଟ ପ୍ରହରୀ ଦେଖି ହସୁଖୁସିରେ ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ଦୂର ଥିବା ବେଳେ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ବାଇକ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଧୂମାଭଟା ଦେଓଗାଁ ଆଶ୍ରମ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।
ମୃତ ଯୁବକ ଜଣଙ୍କ ହେଲେ ଟିକ୍ରାପଡା ଥାନା ସର୍ଗୁଲ ଗାଁର ବିକାଶ ଥପା। ଜଗା ଥଫା ଓ ପିଙ୍କୁ ଛତ୍ରିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗା ଓ ବିକାଶ ଦୁଇ ଭାଇ ଅଟନ୍ତି।
ଗତକାଲି ରାତିରେ ଜଗା,ବିକାଶ ଓ ପିଙ୍କୁ ବାଇକ୍ରେ ଅଷ୍ଟ ପ୍ରହରୀ ଦେଖିବାକୁ ଧୂମାଭଟା ଯାଇଥିଲେ। ଅଷ୍ଟ ପ୍ରହରୀ ଦେଖି ଫେରିଲା ବେଳେ ଦେଓଗାଁ ଆଶ୍ରମ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ଜଗା ଓ ପିଙ୍କୁଙ୍କୁ ଉଦ୍ଧାର କରାଯାଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବିକାଶଙ୍କ ମୃତଦେହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।