Advertisment

ନ୍ୟାୟ ମାଗୁଛି କଙ୍କାଳ!

ଅପରାଧୀଙ୍କ ପାଇଁ ସୁରକ୍ଷିତ ପାଲଟିଛି କି ତରେଇକେଲାର ଘଞ୍ଚ ଜଙ୍ଗଲ? ଏପରି କହିବାର କାରଣ ହେଉଛି ବାରମ୍ୱାର ଏହି ଜଙ୍ଗଲରୁ ମିଳୁଛି ମୃତଦହ। କେତେବେଳେ ଦର ପୋଡ଼ା ମୃତଦେହ ମିଳୁଛି ତ ଆଉ କେତେ ବେଳେ ମାଟି ତଳୁ ମିଳିଛି ମର ଶରୀର।

author-image
Manoranjan Sial
ଅଦ୍ୟତନ ହୋଇଛି
Balangir

Balangir

ପରିଚୟ ଖୋଜୁଛି କଙ୍କାଳ। ଏ ନର କଙ୍କାଳ କାହାର? କିଏ ଓ କାହିଁକି ଜଙ୍ଗଲ ଭିତରେ ପୋଡ଼ିଦେଲା? ଏପରି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇ ଜଙ୍ଗଲରୁ ମିଳିଥିବା ଅର୍ଦ୍ଧ ଦଗ୍ଧ କଙ୍କାଳ ଧରି ପୁଲିସ୍‌ ବୁଲୁଛି। ପରିଚୟ ଜାଣିବା ପାଇଁ ଏ ଥାନା ସେ ଥାନାକୁ ଖବର ଦେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ପୁଲିସ୍‌କୁ ମିଳିନି ସୁରାଗ। ସେପଟେ ତରେଇକେଲ୍‌ରେ ଥିବା ଘଞ୍ଚ ଜଙ୍ଗଲରୁ ବାରମ୍ୱାର ମୃତଦେହ ମିଳୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଛନକା ପଶିଛି।

Advertisment

ମହନିଲହ ଗାଁର ଲୋଚନ ଗଡ଼ତିଆ ବେଲବାଞ୍ଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଛେଳି ଚରାଉଥିବା ବେଳେ ସେଠାରେ ଭୟଙ୍କର ଦୁର୍ଗନ୍ଧ ହେଉଥିଲା। ଏହା ପରେ ସେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ସେହି ସମୟରେ ଜଙ୍ଗଲ ଭିତରେ ଗୋଟିଏ ଅର୍ଦ୍ଧ ଦଗ୍ଧ ମୃତଦେହ ପଚି ଦୁର୍ଗନ୍ଧ କରୁଥିବା ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ଥାନାକୁ ଫୋନ୍‌ କରି କହିଥିଲେ। ଏହା ପରେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରେ ପହଞ୍ଚି ଥିଲେ।

ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ ପରେ ମୃତ ବ୍ୟକ୍ତି ଜଣକ ପୁରୁଷ ଓ ତାଙ୍କ ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ମୃତବ୍ୟକ୍ତି ଜଣକ କିଏ? ତାଙ୍କୁ କାଏ ଓ କାହିଁ ଜଙ୍ଗଲ ଭିତରେ ଅର୍ଦ୍ଧ ଦଗ୍ଧ କରି ପଳାଇ ଗଲା। ଏହା ହତ୍ୟା ନୁହେଁ ତ? ମୃତଦେହ ମିଳିବା ପରେ ସାଧାରଣରେ ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଛି। ପୁଲିସ୍‌ ଦର ପୋଡ଼ା ହାଡ଼ ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ବେଲବାଞ୍ଜି ଜଙ୍ଗଲ ଭିତରୁ ମୃତଦେହ ମିଳିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ମୃତଦେହ ଏହି ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁସାରେ କିଛି ବର୍ଷ ତଳେ ଝାରଖଣ୍ଡର ରାଞ୍ଚି ଜିଲ୍ଲା ସାକ୍ରା ଗାଁରୁ ୭ ଜଣ ଯୁବକ କାମ କରିବା ପାଇଁ କଣ୍ଟାବାଞ୍ଜି ଆସିଥିଲେ। ଏଠାରେ ରହି କାମ କରୁଥିବା ବେଳେ କୌଣସି କଥାକୁ ନେଇ ନିଜ ନିଜ ଭିତରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଲତିଫୁଲ ଅଂଶରୀଙ୍କୁ ହତ୍ୟା କରି ବେଲ୍‌ବାଞ୍ଜି ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲେ। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ପୁଲିସ୍‌ ମାଟି ତଳୁ ମଣିଷ କଙ୍କାଳ ଉଦ୍ଧାର କରି ତିନି ଜଣଙ୍କୁ ଗିରଫ କରିଥିଲା।

ସେହିପରି ୨୦୨୨ ମସିହା ନଭେମ୍ବର ୨୪ ତାରିଖରେ ତୁରେକେଲା-ଲାଠୋର ରାସ୍ତାର ଜଙ୍ଗଲରୁ ଛତିଶଗଡ଼ ଜିଲ୍ଲାର ପଣ୍ଡରୀ ଥାନାର ଜଣେ ଯୁବତୀ ତନୁ କୁରେଙ୍କ ଅର୍ଦ୍ଧ ପୋଡା ମୃତଦେହ ଉଦ୍ଧାର କରିଥିଲା ତୁରେକେଲା ଥାନା ପୁଲିସ୍‌। ତଦନ୍ତ ବେଳେ ପୁଲିସ୍‌ ମିଳିଥିବା ସୂଚନା ଅନୁସାରେ ତନୁ କୁରେଙ୍କୁ କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ପ୍ରେମ କରିଥିଲେ। ପରବର୍ତ୍ତୀ ସମୟରେ ତନୁଙ୍କୁ ବନ୍ଧୁକରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୁହଁରେ ଏସିଡ୍‌ ଢାଳି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ ସଚିନ ଓ ତା’ ସହଯୋଗୀଙ୍କୁ ମିଶାଇ ୩ ଜଣଙ୍କୁ ଗିରଫ କରିଥିଲା ତୁରେକେଲା ପୁଲିସ୍‌।

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେଇକେଲାରେ ରହିଛି ବିସ୍ତିର୍ଣ୍ଣ ଘଞ୍ଚ ଜଙ୍ଗଲ। ଲୋକଙ୍କ ଗତାଗତ ବହୁ କମ୍‌ ଥାଏ। ତେଣୁ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ସେମାନଙ୍କ କାୟା ବିସ୍ତାର କରିବାରେ ଲାଗୁଛନ୍ତି। ହତ୍ୟାକାଣ୍ଡ ଭିଆଇବା ପରେ ମୃତଦେହକୁ ଜଙ୍ଗଲ ପିତରେ ଜାଳି ଦେଉଛନ୍ତି ତ ଆଉ କେତେବେଳେ ଗାତ ଖୋଳି ପୋତି ଦେଉଛନ୍ତି। ଉକ୍ତ ଜଙ୍ଗଲ ଭିତରୁ ବାରମ୍ୱାର ମୃତଦେହ ମିଳିବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଦିଗ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Murder Balangir Crime Story