Advertisment

ଡାକ୍ତରଖାନା ବାହାରେ ମୃତଦେହ ପଡ଼ି ରହିଲା ୧୩ ଘଣ୍ଟା, ମୁଣ୍ଡ ଉପରେ ଜଗି ବସିଛି କୁନି ପୁଅ

ଟିଟିଲାଗଡ଼ ସବଡିଭିଜିନାଲ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ମୃତୁ ଅଭିଯୋଗ। ସେପଟେ ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସହ ଡାକ୍ତରଙ୍କୁ ଚପଲରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
The dead body lay outside the hospital

The dead body lay outside the hospital

Advertisment

ଟିଟିଲାଗଡ଼ ସବଡିଭିଜିନାଲ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ମୃତୁ ଅଭିଯୋଗ। ସେପଟେ ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସହ ଡାକ୍ତରଙ୍କୁ ଚପଲରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଭିତରେ ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତର ମନା କରିବା ପରେ ଡାକ୍ତରଖାନାରେ ଉତ୍ତେଜନା ବଡ଼ ରୂପ ଧାରଣା କରିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ମାନବିକତା ଭୁଲି ଯିବାରୁ ଦୀର୍ଘ ୧୩ ଘଣ୍ଟା ଧରି ମୃତଦେହ ଡାକ୍ତରଖାନା ବାହାରେ ପଡ଼ିରହିଛି। ମୃତଦେହ ପାଖରେ ପତ୍ନୀ, ୮ ବର୍ଷ କୁନି ପୁଅ ଓ ସମ୍ପର୍କିୟ କାନ୍ଦିକାନ୍ଦି ଜଗି ବସିଛନ୍ତି। ଏହି ଅପ୍ରୀତିକର ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ମାମଲା ଦାଏର ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଡାକ୍ତରଙ୍କ ମାନବିକତା ଓ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଯିଏ ବି ଦେଖୁଛି ସିଏ ଘଟିଏ ଅଟକି ଯାଇ ଘଟଣାକୁ ତୀବ୍ର ନିନ୍ଦା କରୁଛି। ସେପଟେ ପୁଲିସର ହସ୍ତକ୍ଷେପ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ମତି ଦେଇଛନ୍ତି।

Advertisment

ସୂଚନା ମୁତାବକ, ଗତ ରାତି ପ୍ରାୟ ୧ଟା ବେଳେ ଟିଟିଲାଗଡ଼ ନେହେରୁ ନଗରର ଯୁବ ବ୍ୟବସାୟୀ ନାରାୟଣ ହୋତା ରଥଯାତ୍ରା ଦେଖି ଘରକୁ ଫେରିଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଘଟିବା ଅଭିଯୋଗ ପାଇ ଡାକ୍ତର ପିକେ ପାଳ ପହଞ୍ଚିଥିଲେ। ରୋଗୀଙ୍କ ସମ୍ପର୍କିୟଙ୍କ ସହ ମତାନ୍ତର ପରେ ଡାକ୍ତର ପାଲଙ୍କୁ ଜଣେ ଚପଲରେ ମାଡ଼ ମାରିବାକୁ ଉଦ୍ୟମ କରିଥିଲା। ଯାହା ତାଙ୍କ ଚଷମାରେ ବାଜିଥିବା ଅଭିଯୋଗ ହୋଇଛି। ଏନେଇ ସେ ପୁଲିସ, ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ ଦେଇଥିଲେ। ସେପଟେ ଡାକ୍ତରମାନଙ୍କ ଏକ ଟିମ ଟିଟିଲାଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରି ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଥିଲେ। ହେଲେ ଡାକ୍ତରମାନେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ମନା କରିଦେଇଥିଲେ। ଯାହା ପରେ ଉତ୍ତେଜନା ଆହୁରି ବଢିଥିଲା।

Advertisment

ଡାକ୍ତରମାନେ ଦାବି କରିଥିଲେ ଯେ ପ୍ରଥମେ ଆକ୍ରମଣ କରିଥିବା ଲୋକଙ୍କୁ ଗିରଫ କରାଯାଉ। ପରେ ମୃତକଙ୍କ ପରିବାର ତରଫରୁ ମଧ୍ୟ ଡାକ୍ତରମାନଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହକୁ ବଲାଙ୍ଗୀର ରେଫର କରିବାକୁ ଡାକ୍ତର କହିବାରୁ ମାମଲା ଆହୁରି ସଂଗୀନ ହୋଇପଡିଥିଲା। ଯାହାକୁ ନେଇ ପୁଣି କିଛି ସମୟ ଧରି ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଓ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଘଟଣାରେ ହସ୍ତକ୍ଷେପ କରିବାରୁ ମାମଲା ଶାନ୍ତ ହୋଇଥିଲା।

ଟିଟିଲାଗଡ଼ରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପାଇଁ ସମ୍ମତି ଦେଇଥିଲେ ଡାକ୍ତର। ତେବେ ଚିକିତ୍ସାରେ ତୃଟି ହୋଇନାହିଁ ବୋଲି ଡାକ୍ତର ସଫେଇ ଦେଇଛନ୍ତି।

ଡାକ୍ତର ପିକେ ପାଲ କହିଛନ୍ତି, ରୋଗୀ ପହଞ୍ଚିବାର ୧୫ ମିନିଟ୍ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉପସ୍ଥିତ ଥିବା ଜଣେ ଡାକ୍ତର ଏହି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା କରିଥିଲେ। ତେବେ ଚିକିତ୍ସା ବେଳେ ମୃତ୍ୟୁ ଘଟିବାରୁ ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ହୋହଲ୍ଲା କରିଥିଲେ। ଅନ୍ୟଜଣେ ଡାକ୍ତରଙ୍କ ଡକାଇ ପରୀକ୍ଷା କରାଇବାକୁ କହିଥିଲେ। ଖବର ପାଇ ପହଞ୍ଚିବା ପରେ ମୃତକଙ୍କ ପୁଣି ନାଡ଼ି ପରୀକ୍ଷା ହୋଇଥିଲା। ସେ ମୃତବୋଲି ପୁନଃ ଘୋଷଣା କରାଯାଇଥିଲେ ହେଁ ପରିବାର ଲୋକେ ଚିକିତ୍ସା ଅବହେଳା ଅଭିଯୋଗ କରି ଯୁକ୍ତିତର୍କ କରିବା ସହ ସେମାନଙ୍କ ଭିତରୁ ଜଣେ ଚପଲରେ ଆକ୍ରମଣ କରିଥିଲା ବୋଲି ଡାକ୍ତର ପାଲ କହିଛନ୍ତି।

ଟିଟିଲାଗଡ ଏସ୍‌ଡିଏମଓ ଡାକ୍ତର. ପି କେ ନାୟକ କହିଛନ୍ତି, ପୁଲିସ ଘଟଣାର ତଦନ୍ତ କରୁଛି। ତେଣୁ ପୁଲିସ ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ। ଜଣଙ୍କ ଶବ ବ୍ୟବଚ୍ଛେଦ ହେବାକୁ ଥିବାରୁ ଏହାପରେ ନାରାୟଣଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ।

ତେବେ ପରିବାର ଲୋକେ କହିଛନ୍ତି, ଗତ ରାତି ୧ଟାରୁ ଆଜି ଦିନ ୨ଟା ବାଜି ଯାଇଥିଲେ ହେଁ ନା ମୃତଦେହ ବ୍ୟବଚ୍ଛେଦ କରିବାକୁ ପଦକ୍ଷେପ ନିଆଗଲା ନା ମୃତଦେହ ରଖିବାକୁ ଶବସଂରକ୍ଷଣ ଗୃହକୁ ନିଆଗଲା। ମାନବିକତାକୁ ଭୁଲି ଡାକ୍ତର ଓ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ବାହାରେ ପକାଇ ରଖିଛନ୍ତି। ଏଠାରେ ଠିକ୍‌ ଭାବେ ଚିକିତ୍ସା କରା ନ ଯିବାରୁ ଆଜି ଜଣେ ଲୋକର ଜୀବନ ଚାଲିଗଲା। ଏପରି ଘଟଣା କାହାରି ସହ ହେବାକଥା ନୁହେଁ।

ସେପଟେ ଡାକ୍ତରଙ୍କୁ ମାଡ଼ ମାରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ତେଣେ ଜଣାପଡ଼ିଛି ଟିଟିଲାଗଡ୍ ସବ୍‌ଡିଭିଜିନାଲ ଡାକ୍ତରଖାନାରେ ୪ ଜଣ ଡେପୁଟୀ ଡାକ୍ତର ଓ ୫ ସରକାରୀ ଡାକ୍ତର ନିୟୋଜିତ ଅଛନ୍ତି। ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି। ତେଣେ ଡାକ୍ତର ଓ ରୋଗୀଙ୍କ ଉପଯୁକ୍ତ ସୁରକ୍ଷା ନିମନ୍ତେ ଏଠାରେ ପୁଲିସ ସୁରକ୍ଷା ନାହିଁ। ଫଳରେ ଏଭଳି ଅଘଟଣ ଘଟୁଛି।

Doctor Medical Negligence Balangir Patients Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe