Advertisment

ହଷ୍ଟେଲ ପିଲାଙ୍କ ୨.୫ ଲକ୍ଷ ଟଙ୍କା ହଡ଼ପ କଲେ ପ୍ରଧାନଶିକ୍ଷକ, ପହଞ୍ଚିଲା ନିଲମ୍ବନ ଆଦେଶ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବାହାବଲ ସ୍କୁଲର ପ୍ରଧାନଶିକ୍ଷକ ନେହେରୁ ତାଣ୍ଡିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Headmaster

Headmaster

ସ୍କୁଲ ହଷ୍ଟେଲ ପିଲାମାନଙ୍କ ଖାଦ୍ୟ ପେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ଆସିଥିବା ୨ ଲକ୍ଷ ୪୫ ହଜାର ଟଙ୍କା ହଡ଼ପ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବାହାବଲ ସ୍କୁଲର ପ୍ରଧାନଶିକ୍ଷକ ନେହେରୁ ତାଣ୍ଡିଙ୍କ ବିରୋଧରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସ୍କୁଲ କମିଟି ସଭାପତିଙ୍କ ଜାଲ ଦସ୍ତଖତ କରି ସେ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିଲେ।

Advertisment

ଏନେଇ ଗ୍ରାମବାସୀ ଓ ସ୍କୁଲ କମିଟି ତୁରେକେଲା ବିଇଓ ଅଫିସରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଟଙ୍କା ହଡ଼ପ ନେଇ ଏତଲା ଦେଇଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ସେପଟେ ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ ବିଇଓ ଫକୀର ମୋହନ ବିଶିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ତୁରେକେଲା ବିଇଓ ସୁରେନ୍ଦ୍ର ପୁରୋହିତ।

ତଦନ୍ତ ପରେ ଟଙ୍କା ହଡ଼ପ ଚକ୍ରାନ୍ତ ଜଣାପଡ଼ିଥିଲା। ସ୍କୁଲ କମିଟି ସଭାପତିଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରିଥିବା ସ୍ୱୀକାର କରିଥିଲେ ପ୍ରଧାନଶିକ୍ଷକ ନେହେରୁ ତାଣ୍ଡି। ରିପୋର୍ଟ ପାଇବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ତୁରେକେଲା ବିଇଓ ସୁରେନ୍ଦ୍ର ପୁରୋହିତ।

Advertisment

ତେବେ ଏହି ଘଟଣାରେ ଚୁପ୍ ରହିଛି ପୁଲିସ। ଯାହାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି ଓ ଅସନ୍ତୋଷ ପ୍ରକାଶ ପାଇଛି।

ବିଇଓ ସୁରେନ୍ଦ୍ର ପୁରୋହିତ କହିଛନ୍ତି, ପଦବୀର ଦୁରୁପୋଯୋଗ କରି ତଥା ମନ୍ଦ ଉଦ୍ଦେଶ୍ୟ ରଖି ଏହି ପ୍ରଧାନଶିକ୍ଷକ ଟଙ୍କା ହଡ଼ପ କରିଥିଲେ। ତାଙ୍କୁ ନିଲମ୍ବନ କରିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ହେଲେ ଏନେଇ ପୁଲିସରେ ବିଭାଗ ପକ୍ଷରୁ କୌଣସି ଏତଲା ଦିଆଯାଇନାହିଁ।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

School Scam